ଭୁବନେଶ୍ୱର: ବିଜେପିର ବଙ୍ଗଳା ଦଖଲ ଫେଲ୍ ମାରିଛି । ଦିଦିଙ୍କ ଶକ୍ତି ଆଗରେ କାମ କରିନି ଶକ୍ତିଶାଳୀ ମୋଦି ଓ ଶାହାଙ୍କ ବଜ୍ର କମ୍ପନ । ୨୦୦ରୁ ଅଧିକ ସିଟ୍ ଜିତି ସରକାର ଗଢ଼ିବାର ବିଜେପି ଦମ୍ଭକୁ ଚୁରମାର୍ କରିଦେଇଛନ୍ତି ଦିଦି । ୨୯୨ ଆସନରୁ ବିଜେପି ମାତ୍ର ୭୭ ଆସନରେ ଆଗୁଆ ଅଛି । ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ୨୧୩ ଆସନରେ ଆଗୁଆ ରହି ରାଜ୍ୟରେ ତୃତୀୟ ଥର ପାଇଁ ସରକାର ଗଢ଼ିବାକୁ ଯାଉଛନ୍ତି ।
ଟିଭି, ସୋସିଆଲ୍ ମିଡ଼ିଆରେ ବ୍ୟାପକ ପ୍ରଚାର ଏବଂ ଭାଷଣବାଜିରେ ପବନ କଲେ ଭୋଟ ମିଳେନି ଏକଥା ଓଡ଼ିଶା ପରେ ପଶ୍ଚିମବଙ୍ଗରେ ଭଲଭାବେ ପ୍ରମାଣିତ ହୋଇଛି । ଓଡ଼ିଶାରେ ୧୨୦ ଆସନ ଦଖଲ କରିବାର ଦମ୍ଭ ଦେଖାଇ ବିଜେପି ବର୍ଷେ ଆଗରୁ ତୁମ୍ବିତୋଫାନ କରିଥିଲା । ନବୀନ ପଟ୍ଟନାୟକଙ୍କୁ ପୋଡା ଟ୍ରାନସଫର୍ମର କହି ସମୁଦ୍ରକୁ ଫିଙ୍ଗିଦେବାର ପବନ କରିଥିଲେ ଅମିତ୍ ସାହା । ତେବେ ଫଳାଫଳ କ’ଣ ହେଲା ତାହା ସମେସ୍ତ ଦେଖିଲେ । ଯାହା ଏବେ ପଶ୍ଚିମବଙ୍ଗରେ ପୁନରାବୃତ୍ତି ହୋଇଛି ।
ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଏପ୍ରିଲ୍ ୧୨ ତାରିଖରେ ବର୍ଦ୍ଧମାନଠାରେ ଏକ ପ୍ରଚାର ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଷଣ ଦେଇଥିଲେ । ମମତାଙ୍କୁ ଛିଗୁଲେଇ କହିଥିଲେ ଯେ ୪ଟି ପର୍ଯ୍ୟାୟ ଭୋଟରେ ଟିଏମସି ସଫା ହୋଇଗଲାଣି । ବାଉଣ୍ଡରି ଓ ଓଭର୍ ବାଉଣ୍ଡରି ମାଡ଼ରେ ବିଜେପି ଶତକ ହାସଲ କରିସାରିଲାଣି ।
ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପରେ ଏପ୍ରିଲ୍ ୧୮ ରେ ଅମିତ୍ ଶାହା ଏକ ପ୍ରଚାର ସଭାରେ ଦମ୍ଭ ମାରିଥିଲେ କି ୧୮୦ଟି ସିଟ୍ ରୁ ବିଜେପି ଅନୁ୍ୟନ ୧୨୨ଟି ସିଟ୍ ରେ ଜିତିବ । ମମତାଙ୍କୁ ଛିଗୁଲେଇ ଶାହା କହିଥିଲେ, ଦିଦିଙ୍କ ପରାଜୟ ଅପରିହାର୍ଯ୍ୟ । ୧୦ ବର୍ଷ ମୁଖ୍ୟମନ୍ତ୍ରୀ ରହିଲେଣି । ତାଙ୍କୁ ଯାହିତାହି ଫେୟାରୱେଲ୍ ଦେବୁନୁ । ନିଶ୍ଚିତ ଗ୍ରାଣ୍ଡ ଫେୟାରୱେଲ୍ ଦେବୁ । ବିଜେପି ୨୦୦ରୁ ଅଧିକ ସିଟ୍ ପାଇବ ବୋଲି ଶାହା ଟାଣପଣ ଦେଖାଇଥିଲେ ।
୨୦୧୬ ସାଧାରଣ ନିର୍ବାଚନରେ ମାତ୍ର ୩ ଟି ବିଧାନସଭା ଆସନ ପାଇଥିବା ବିଜେପି ୨୦୧୮ ପଞ୍ଚାୟତ ନିର୍ବାଚନରେ ଆଖିଦୃଶିଆ ସଫଳତା ପାଇଥିଲା । ତେବେ ୨୦୧୯ ଲୋକସଭା ନିର୍ବାଚନରେ ୪୨ ଲୋକସଭା ଆସନରୁ ୧୮ ଟିରେ ଜିତିବା ପରେ ରାଜ୍ୟରେ କ୍ଷମତା ଦଖଲର ଆତ୍ମବିଶ୍ୱାସ ଅଧିକ ହୋଇଯାଇଥିଲା । କୈଳାସ ବିଜୟର୍ଭାଗିୟା, ଶିବପ୍ରକାଶ, ଅରବିନ୍ଦ ମେନନ୍ ଙ୍କ ଭଳି ନେତାଙ୍କୁ ଦଳ କାମରେ ଲଗାଇଦେଲା । ରୋଡମ୍ୟାପ୍ ଅନୁଯାୟୀ ରାଜ୍ୟ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷ ସାରା ରାଜ୍ୟ ବୁଲି ସଂଗଠନ କଲେ । ଟିଏମସିର ଗୁଣ୍ଡାରାଜ ବିରୋଧରେ ଜନମତ ସୃଷ୍ଟି କରାଗଲା ।
ନିର୍ବାଚନ ପୂର୍ବରୁ ଟିଏମସିର ପ୍ରଭାବଶାଳୀ ନେତାଙ୍କୁ ବିଭିନ୍ନ ଉପାୟରେ ଚାପ ଓ ନାଲିଆଖି ଦେଖାଗଲା । କାହାକୁ ସିବିଆଇ ତ କାହାକୁ ଇଡି ଡରରେ ଛାନିଆଁ କରାଗଲା । ବିଜେପିର ଏହି ଉଦ୍ୟମ କେତେକାଂଶରେ ସଫଳ ହେଲା । ଶୁଭେନ୍ଦୁ ଅଧିକାରୀଙ୍କ ଭଳି ଦୁଇ ଡର୍ଜନରୁ ଅଧିକ ଟିଏମସି ବିଧାୟକ ବିଜେପିକୁ ପଳାଇ ଆସିଲେ । ମିଥୁନ୍ ଚକ୍ରବର୍ତ୍ତୀ ବି ମୋଦି-ଶାହାଙ୍କ ଶରଣ ପଶିଲେ ।
ନିର୍ବାଚନ ପ୍ରକ୍ରିୟାକୁ ନିଜ ସପକ୍ଷରେ ନେବା ଲାଗି ବିଜେପି ନିର୍ବାଚନ କମିଶନଙ୍କୁ ବ୍ୟବହାର କରିଥିବା ମଧ୍ୟ ଅଭିଯୋଗ ହେଲା । ୮ଟି ପର୍ଯ୍ୟାୟରେ ନିର୍ବାଚନକୁ ମମତା ବାନାର୍ଜୀ ସହଜରେ ଗ୍ରହଣ କରି ନ ଥିଲେ । ଏମିତି ହୋଇଥିଲା କି ଗୋଟେ ଗୋଟେ ଜିଲ୍ଲାରେ ବି ୪ଟି ପର୍ଯ୍ୟାୟରେ ନିର୍ବାଚନ କରାଯାଇଥିଲା ।
ନିର୍ବାଚନ ପ୍ରଚାରରେ ବେଶ୍ ଆଗ୍ରେସିଭ୍ ହୋଇଥିଲା ବିଜେପି । ପ୍ରଧାନମନ୍ତ୍ରୀ ମୋଦି ୨୦ରୁ ଅଧିକ ନିର୍ବାଚନ ରାଲିରେ ଯୋଗ ଦେଇଥିଲା ବେଳେ ଅମିତ୍ ଶାହା ୫୦ ଏବଂ ଜେ.ପି.ନଡ୍ଡା ୪୦ ରାଲି ଏବଂ ସାଧାରଣ ସଭାରେ ମମତାଙ୍କ ବିରୋଧରେ ଗର୍ଜିଥିଲେ । କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସେମାନଙ୍କ ସହ ଯୋଗ ଦେଇଥିଲେ ।
ମମତା ବାନାର୍ଜୀଙ୍କ ଦୁର୍ଘଟଣାକୁ ନାଟକବାଜି କହି ବିଜେପି ନେତାମାନେ ଖାଲି ସମାଲୋଚନା କଲେନି ବରଂ ନିର୍ବାଚନୀ ଏଜେଣ୍ଡା ବନେଇଦେଲେ । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସବୁ ଭାଷଣରେ ମମତାଙ୍କୁ ଦିଦି..ଓଃ..ଦିଦି ବୋଲି ସମ୍ବୋଧନ କଲେ । ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଦେଶର ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଏଭଳି ଅଶୋଭନୀୟ, ଛିଗୁଲିଆ ଭାଷାକୁ ଭୋଟର ପସନ୍ଦ କଲେ ନାହିଁ । ଏହି ଦୁଇଟି ପ୍ରସଙ୍ଗ ଦଳ ପାଇଁ ବୁମେରାଂ ହୋଇଥିବା କୁହାଯାଉଛି ।
ଅନ୍ୟପକ୍ଷରେ ଟିଏମସିର ସ୍ଥାନୀୟ ନେତାଙ୍କ ବିରୋଧରେ ଜନମତ ଥିଲେ ମଧ୍ୟ ମମତା ବାନାର୍ଜୀଙ୍କ ଦୃଢ଼ ନେତୃତ୍ୱ ଉପରେ ପ୍ରଶ୍ନ ନ ଥିଲା । ସରକାର ବିରୋଧରେ ଥିବା ଆଣ୍ଟି ଇନକମ୍ବେନ୍ସି ଫ୍ୟାକ୍ଟର୍ କୁ ପରିଚାଳନା କରିବା ମମତାଙ୍କ ପାଇଁ କଷ୍ଟସାଧ୍ୟ ନ ଥିଲା । ସର୍ବୋପରି, ବିଜେପି ରଣନୀତିକୁ ଟକ୍କର ଦେବା ପାଇଁ ମମତା ଦୁଇବର୍ଷ ଆଗରୁ ପ୍ରଶାନ୍ତ କିଶୋରଙ୍କୁ ନିର୍ବାଚନ ରଣନୀତିକାର ଦାୟିତ୍ୱ ଦେଇଥିଲେ । ଆଉ ପ୍ରଶାନ୍ତ କିଶୋରଙ୍କ ଇସାରାରେ ସବୁ କିଛି ପରିଚାଳିତ ହେଲା ।
ତାଙ୍କ ପରାମର୍ଶ ଅନୁଯାୟୀ, ନିର୍ବାଚନ ପୂର୍ବରୁ ୬୦% ଜିଲ୍ଲା ନେତୃତ୍ୱଙ୍କୁ ମମତା ବିଦା କରି ନୂଆ ମୁହଁ ଆଣିଲେ । ପ୍ରଶାନ୍ତ କିଶୋରଙ୍କ ପସନ୍ଦରେ ପ୍ରାର୍ଥୀ ଦିଆଗଲା । କ୍ୟାମ୍ପେନ୍ ଷ୍ଟ୍ରାଟେଜିରେ ବିଜେପିକୁ ‘ବହିରାଗତୋ’ ବା ଆଉଟସାଇଡର ଚିତ୍ରଣ କରାଯାଇ ତୃଣମୂଳକୁ ‘ବେଙ୍ଗଲି’ ଟିଏମସିର ଟ୍ୟାଗ ଦିଆଗଲା । ବିଜେପିର ହିନ୍ଦୁତ୍ୱ ଏଜେଣ୍ଡାକୁ ଅତି ସୁନ୍ଦର ଭାବେ ସାମନା କରାଯାଇ କର୍ମନିଯୁକ୍ତି ଏବଂ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ନିର୍ବାଚନ ପ୍ରଚାରରେ ଅଧିକ ଫୋକସ୍ କରାଗଲା ।
ବିଜେପି ୧୦୦ ଆସନ ଛୁଇଁବନି ଏବଂ ଟିଏମସି ୨୦୦ ଆସନ ଡେଇଁବ ବୋଲି ପ୍ରଶାନ୍ତ କିଶୋର ଆରମ୍ଭରୁ ଚାଲେଂଜ ଦେଇଥିଲେ । ଏହା ନ ହେଲେ ସେ ଏହି ପ୍ରଫେସନ୍ ଛାଡ଼ିଦେବେ ବୋଲି କହିଥିଲେ । ଶେଷରେ ପ୍ରଶାନ୍ତ କିଶୋରଙ୍କ ଆକଳନ ସତ ହୋଇଛି । ଦିଦିଙ୍କୁ ହଟାଇ ପାରିନାହାନ୍ତି ପରାକ୍ରମୀ ଦାଦା । ଓଲଟି ହ୍ୱିଲ୍ ଚେୟାର୍ ରୁ ଦାଦା ବାହିନୀଙ୍କ ସହ ଖେଳ ଖେଳିଛନ୍ତି । ମୋଦିଙ୍କ ଦିଦି..ଓଃ..ଦିଦି ଡାକ ବିଜେପି ପାଇଁ ମହଙ୍ଗା ହୋଇଛି ।