ଭୁବନେଶ୍ୱର: ରେଭେନସା ବିବାଦ ଏବେ ରାଜ୍ୟର ସବୁଠାରୁ ବଡ଼ ପ୍ରସଙ୍ଗ ପାଲଟିଛି । କେବଳ ନାମ ପରିବର୍ତ୍ତନ ପ୍ରସ୍ତାବରେ ଏହା ଆଉ ସୀମିତ ନାହିଁ । ରେଭେନସାଙ୍କୁ ଗାଳି ଦେବାକୁ ଯାଇ କିଛି ଲୋକ ଆମ ଓଡ଼ିଆ ଜାତିର ପିତାମହ ଫକୀର ମୋହନ ସେନାପତି, ମୟୁରଭଞ୍ଜ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓ, ମଧୁସୂଦନ ଦାସ ଏବଂ ସୁରେନ୍ଦ୍ର ମହାନ୍ତିଙ୍କ ଧଜିଆ ଉଡ଼ାଉଛନ୍ତି । ମାତ୍ର ‘ଓଡ଼ିଆ ଅସ୍ମିତା’ର ଦ୍ୱାହିରେ ଶାସନଗାଦିକୁ ଆସିଥିବା ବିଜେପି ସରକାର ଏହାର ନିରବଦ୍ରଷ୍ଟା ସାଜିଛନ୍ତି । ଏହି ତଥାକଥିତ ଓଡ଼ିଆ ଅସ୍ମିତାର ରକ୍ଷକ ତଥା ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ପରିଚୟ ଗଢ଼ୁଥିବା ମୋହନ ମାଝୀ ରେଭେନସା ପ୍ରସଙ୍ଗରେ ଆଦୌ ପାଟି ଖୋଲୁନାହାନ୍ତି । ତାଙ୍କର ଏଭଳି ନିରବତା ପଛର ରହସ୍ୟ ବିଭିନ୍ନ ମହଲରେ ଖୁବ୍ ଚର୍ଚ୍ଚାର ବିଷୟ ହୋଇଛି ।
ରେଭେନସା ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନିରବତା ବେଳେ ଏକ ରୋଚକ କଥା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟ୍ ସହଯୋଗୀ କୃଷ୍ଣଚନ୍ଦ୍ର ପାତ୍ର ଗତକାଲି ଗଣମାଧ୍ୟମକୁ ଏକ ବାଇଟ୍ ଦେଇଥିଲେ । ରେଭେନସା ନାମ ପରିବର୍ତ୍ତନକୁ ନେଇ ଚାଲିଥିବା ବିତର୍କ ବନ୍ଦ ହେଉ ବୋଲି ସେ କହିଥିଲେ । ସାମ୍ବାଦିକମାନଙ୍କର ଦ୍ୱିତୀୟ ପ୍ରଶ୍ନକୁ ଏଡ଼ାଇ ମନ୍ତ୍ରୀ ତରବରରେ ଜାଗା ଛାଡ଼ିଦେଇଥିଲେ ସତ, ହେଲେ ଏହି ଧାଡ଼ିକିଆ ମନ୍ତବ୍ୟର ଦମ୍ ଥିଲା । କାରଣ ରେଭେନସା ନାମ ପରିବର୍ତ୍ତନ ପ୍ରସ୍ତାବ କି ଏହାକୁ ନେଇ ଚାଲିଥିବା ବିତର୍କ ଉପରେ କହିବାକୁ ସେ ସାହାସ ଜୁଟାଇଥିଲେ ।
ଏହି ସ୍ପର୍ଶକାତର ପ୍ରସଙ୍ଗରେ ତାଙ୍କ ସରକାରର ଆଭିମୁଖ୍ୟ ନ ଜାଣି ସେ ଏମିତି କହୁ କହୁ କହିଦେଇଥିବେ ବୋଲି କାହାରି ବିଶ୍ୱାସ ହେଉନି । ହୁଏତ୍ ଗଣମାଧ୍ୟମରେ କେହି କିଛି ନ କହିବାକୁ ଦଳରୁ ହୁଇପ୍ ଜାରି ହୋଇଥିବ । ମାତ୍ର କୃଷ୍ଣବାବୁ ନିଜର ଆବେଗ ରୋକି ପାରିନାହାନ୍ତି । ରେଭେନସା ନାଁ ପରିବର୍ତ୍ତନର କୌଣସି ଆବଶ୍ୟକତା ନାହିଁ ଏବଂ ଏହା ଉପରେ ବିତର୍କକୁ ଫାଲତୁ ବୋଲି ଜଣାଇବାକୁ ଚାହିଁଛନ୍ତି ।
ମନ୍ତ୍ରୀଙ୍କର ଏଭଳି ମନ୍ତବ୍ୟରୁ ଏହା ସ୍ପଷ୍ଟ ଯେ ରେଭେନସା ପ୍ରସଙ୍ଗରେ ଅତି ଅକଳରେ ପଡ଼ିଯାଇଛନ୍ତି ମୋହନ ମାଝୀ । ରେଭେନସା ଏକ କଣ୍ଟା ହୋଇ ତାଙ୍କ ତଣ୍ଟିରେ ଅଟକି ଯାଇଛି । ଯାହା ତାଙ୍କୁ ଅଣନିଶ୍ୱାସୀ କରିଦେଇଛି । ରେଭେନସା ପ୍ରସଙ୍ଗରେ ତାଙ୍କ ସରକାରର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ତାଙ୍କର ସାହାସ ଜୁଟୁନାହିଁ ।
ତାଙ୍କର ବେଳା ଖରାପ ଯେ, ସରକାରଙ୍କର ଏହି ଅସହାୟତା ବେଳେ ବିଜେପିର ବିଜୟ-ବଟିକା ‘ଓଡ଼ିଆ ଅସ୍ମିତା’ ବାଜିରେ ଲାଗିଯାଇଛି । ରାଜନୀତିର ଚକ୍ରବୁ୍ୟହର ଶିକାର ହୋଇଛନ୍ତି ଫକୀର ମୋହନ ସେନାପତି, ମଧୁସୂଦନ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ଭଳି ଓଡ଼ିଆ ଜାତିର ମହାପୁରୁଷମାନେ । ବସ୍ ଙ୍କୁ ଖୁସି କରିବାକୁ ସ୍ତାବକମାନେ ଏହି ଓଡ଼ିଆ ଜାତିର ଆଦର୍ଶ ମହାପୁରୁଷମାନଙ୍କୁ ଲାଂଛନା, ଭର୍ତ୍ସନା କରିବାର ପ୍ରତିଯୋଗିତାରେ ଲାଗିଛନ୍ତି ।
ଏ ସବୁ ଜାଣି ଶୁଣି ମଧ୍ୟ ପାଟି ଖୋଲିବାକୁ ସାହାସ କରିପାରୁନାହାନ୍ତି ମୋହନ ମାଝୀ । ଏଣୁ ମାଇଲେ ଗୋ ହତ୍ୟା, ତେଣୁ ମାରିଲେ ବ୍ରହ୍ମହତ୍ୟା ଭଳି ତାଙ୍କର ଅବସ୍ଥା ହୋଇଛି । ରାଜନୀତିର ବାଧ୍ୟବାଧକତାରେ ଓଡ଼ିଶାବାସୀଙ୍କ ଭାବାବେଗ ବୁଝିବାକୁ ସେ ଅସମର୍ଥ ବୋଲି ବାର୍ତ୍ତା ଦେଉଛନ୍ତି । ଆଗକୁ ଏହା ମୋହନ ସରକାରଙ୍କ ପାଇଁ ଭୟଙ୍କର ବିପଦ ସୃଷ୍ଟି କରିବାକୁ ଯାଉଥିବା ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।
ସୂଚନାଥାଉକି, ରେଭେନସା ବିବାଦର ମଞ୍ଜି ପୋତିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରେଭେନସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନ ସପକ୍ଷରେ ବ୍ୟକ୍ତିଗତ ମତ ଦେଇ ଏଥିପାଇଁ ବିତର୍କର ଆବଶ୍ୟକତା ଥିବା କହିଥିଲେ । ସ୍ୱାୟତ୍ତ ଶାସନ ଦିବସ ଅବସରରେ କଟକ ଆସିଥିବା ବେଳେ ଧର୍ମେନ୍ଦ୍ର ଏହି ପ୍ରସଙ୍ଗ କାହିଁକି ଉଠାଇଲେ ତାହା ସମସ୍ତଙ୍କୁ ଅଗୋଚର । ମାତ୍ର ଅତି ହାଲୁକା ଢ଼ଙ୍ଗରେ କହିଥିବା ତାଙ୍କର ଏହି ଗମ୍ଭୀର ମନ୍ତବ୍ୟକୁ କେହି ହାଲୁକା ଭାବେ ଗ୍ରହଣ କରିନାହାନ୍ତି ।
ଏହା ବିରୁଡ଼ି ବସାରେ ହାତ ମାରିଲା ଭଳି ହୋଇଛି । କେନ୍ଦ୍ରମନ୍ତ୍ରୀଙ୍କର ଏହି ଦୁଇପଦ କଥାରେ ରାଜ୍ୟ ଓ ରାଜ୍ୟ ବାହାରେ ରହୁଥିବା ରେଭେନସା ପ୍ରେମୀଙ୍କ ମନ ଓ ହୃଦୟ ଚହଲି ଯାଇଛି । ରେଭେନସା ନାମ ପରିବର୍ତ୍ତନ ପ୍ରସ୍ତାବକୁ ସେମାନେ ପ୍ରତ୍ୟାଖ୍ୟାନ କରି ଏହା ବିରୋଧରେ ଯେ କୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ବୋଲି ଶପଥ ନେଲେଣି । ବିଭିନ୍ନ ମହଲରେ ମଧ୍ୟ ଏହାର ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଆଗାମୀ ଦିନରେ ଏହା ବିରାଟ ଜନ ଆନ୍ଦୋଳନର ରୂପ ନେବାକୁ ବସିଲାଣି ।
ମୁଖ୍ୟ ବିରୋଧୀ ଦଳ ବିଜେଡିକୁ ଏଥିରୁ ରାଜନୈତିକ ଫାଇଦା ଆପେ ଆସିବାକୁ ବସିଲାଣି । ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗକୁ ସିଧା ନ ଆସି ଓଡ଼ିଆ ଅସ୍ମିତାର ଅସ୍ତ୍ରରେ ରାଜ୍ୟ ବିଜେପି ଓ ସରକାରଙ୍କୁ ଆକ୍ରମଣ କରିଛନ୍ତି । ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ ଇତିହାସକୁ ବିକୃତ କରିବାର ଅପଚେଷ୍ଟାକୁ ସେ ନିନ୍ଦା କରିଛନ୍ତି ।
ମହାପୁରୁଷମାନଙ୍କ ପ୍ରତି ସମ୍ମାନ ଓ କୃତଜ୍ଞ ରହିବା ବଦଳରେ ସେମାନଙ୍କୁ ଅସମ୍ମାନ ଜଣାଇ ଇତିହାସକୁ ବିକୃତ କରିବାର ଅପଚେଷ୍ଟା କ’ଣ ଓଡ଼ିଆ ଅସ୍ମିତା କି ବୋଲି ନବୀନ ପ୍ରଶ୍ନ କରିଛନ୍ତି ।
ଅପରପକ୍ଷେ, ସାମଗ୍ରିକ ଭାବେ ଲୋକଙ୍କ ଭାବାବେଗ ବୁଝି ନ ପାରି କିଛି ନେତା ଓ ସଂଗଠନ ଧର୍ମେନ୍ଦ୍ରଙ୍କ ମତ ସପକ୍ଷରେ ବାହାରି ନିଜକୁ ବିରାଟ ଐତିହାସିକ ବୋଲାଇଲେଣି । ଇତିହାସ ପୃଷ୍ଠା ଖେଳାଇ ସେମାନେ ରେଭେନସାଙ୍କୁ ନରହତ୍ୟାକାରୀ ଦର୍ଶାଇବା ସହ ଓଡ଼ିଶାର ମହାପୁରୁଷମାନଙ୍କ ପ୍ରତି ଅତି କଦର୍ଯ୍ୟ ଟିପ୍ପଣୀ ଦେଉଛନ୍ତି । ଅତି ଭକ୍ତି ଚୋର ଲକ୍ଷଣ ଭଳି ଏହା ଯେ ବିଜେପିର ଡବଲ ଇଞ୍ଜିନ୍ ସରକାରକୁ କ୍ଷତିଗ୍ରସ୍ତ କରୁଛି ତାହା ସେମାନେ ବୁଝିବା ଅବସ୍ଥାରେ ନାହାନ୍ତି ।
ଅବସ୍ଥା ବିଗୁଡୁ ଥିବା ବେଳେ ଧର୍ମେନ୍ଦ୍ର ମଧ୍ୟ ଚୁପ୍ ବସିଯିବା ସମସ୍ତଙ୍କୁ ବିସ୍ମିତ କରୁଛି । ରେଭେନସା ପ୍ରସଙ୍ଗରେ ତାଙ୍କର ଆଉ କୌଣସି ପ୍ରତିକ୍ରିୟା ନାହିଁ । ହେଲେ ତାଙ୍କର ସମର୍ଥକମାନେ କିନ୍ତୁ ନଛୋଡ଼ବନ୍ଧା । ରେଭେନସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନ ପାଇଁ ସେମାନେ ଚାପ ପକାଇବାର କୌଶଳରେ ରହିଲେଣି । ରେଭେନସାକୁ ନେଇ ଏଭଳି ମୁହାମୁହିଁ ସ୍ଥିତି ରାଜ୍ୟର ବିଜେପି ସରକାର ପାଇଁ ବଡ଼ ଚାଲେଂଜ ସୃଷ୍ଟି କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିରବତା ସମସ୍ତଙ୍କୁ ଦ୍ୱନ୍ଦରେ ପକାଇଛି ।