ଭୁୁବନେଶ୍ୱର: ରାଜ୍ୟପାଳ ପଦରୁ ରଘୁବର ଦାସ ବିଦା ହୋଇସାରିଥିଲେ ମଧ୍ୟ ତାଙ୍କ ପୁଅ ଲଳିତ ଦାସଙ୍କ ଦେହରେ ହାତ ମାରିବାକୁ ଓଡ଼ିଶା ପୁଲିସର ଦମ୍ଭ ପାଉନି । ଅଣଓଡ଼ିଆ ରଘୁବରଙ୍କ ପାଇଁ ଓଡ଼ିଆ ଅସ୍ମିତା ବନ୍ଧା ପଡ଼ିଯାଇଛି । ମାତ୍ର ଏହି ମାମଲାକୁ ଟାଳିବା ସହଜ ହେବ ନାହିଁ । ରାଜ୍ୟପାଳଙ୍କ ପୁଅକୁ ସୁରକ୍ଷା ଦେଇ ଲୋକଙ୍କ ନିନ୍ଦା ଅପବାଦକୁ ବରଣ କରିଥିବା ମୋହନ ମାଝୀଙ୍କ ସରକାରଙ୍କ ପାଇଁ ଆଗକୁ ଏହା ଭୀଷଣ ବିପଦ ଆଣିପାରେ । ମାଡ଼ ଖାଇଥିବା ଏଏସଓ ବୈକୁଣ୍ଠ ପ୍ରଧାନଙ୍କ ପରିବାର ଦୀର୍ଘ ଦିନର ଅପେକ୍ଷା ପରେ ନ୍ୟାୟ ପାଇଁ ଘରୁ ବାହାରିଛନ୍ତି । ତାଙ୍କ ପତ୍ନୀ ସାୟୋଜ ଆଜି ରାଜଭବନ ଆସି ନୂଆ ରାଜ୍ୟପାଳଙ୍କୁ ଭେଟିବା ପାଇଁ ସମୟ ମାଗିଥିଲେ । ରାଜଭବନରୁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲେ ମଧ୍ୟ ସେ କିନ୍ତୁ ଦବି ଯାଇନାହାନ୍ତି । ସ୍ୱାମୀ ନ୍ୟାୟ ପାଇବା ପର୍ଯ୍ୟନ୍ତ ଲଢ଼େଇ କରିବେ ବୋଲି ଘୋଷଣା କରିଛନ୍ତି ।
ବୈକୁଣ୍ଠ ପ୍ରଧାନଙ୍କ ପତ୍ନୀଙ୍କର ଦାବି- ”ମୋ ସ୍ୱାମୀଙ୍କୁ ମାଡ଼ ମାରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ । ଆମେ ଏତଲା ଦେଇଛୁ । ପୁଲିସ ତାହାକୁ ଗ୍ରହଣ କରିଛି । ସବୁ ମାମଲା ଭଳି ପୁଲିସ ଏହି ମାମଲାର ତଦନ୍ତ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ । ଏତିକି ହେଲେ ମୋ ସ୍ୱାମୀଙ୍କୁ ନ୍ୟାୟ ମିଳିବ । ଆମ ପରିବାର ଶାନ୍ତିରେ ରହିବୁ । ବାସ୍ ସେତିକି ।”
ରାଜ୍ୟପାଳ ପୁଅ ବିରୋଧରେ ଅଭିଯୋଗ ଆଣିବାର ସପ୍ତାହ ମଧ୍ୟରେ ରାଜଭବନରୁ ଗୃହ ବିଭାଗକୁ ବଦଳି ହୋଇଯାଇଥିଲେ ଏଏସଓ ବୈକୁଣ୍ଠ ପ୍ରଧାନ । ରାଜନୀତି ଗଣିତକୁ ଭଲ ଭାବରେ ବୁଝିଥିବା ବୈକୁଣ୍ଠ ବାବୁ ରାଜ୍ୟ ସରକାରଙ୍କ ନିରବତାକୁ ବି ବୁଝିଥିଲେ । ଆଉ ନିଜର ଚାକିରିର ସୁରକ୍ଷା ଆଗରେ ଶରୀର ଓ ମନର ଯନ୍ତ୍ରଣାକୁ ତୁଚ୍ଛ କରିଦେଇଥିଲେ । ସରକାରଙ୍କ ନିରବତା ବିରୋଧରେ ଯିବାକୁ ତାଙ୍କର ସାହାସ ନ ଥିଲା । ମାତ୍ର ରଘୁବର ଦାସ ଓଡ଼ିଶାରୁ ବିଦା ହେବା ପରେ ମଧ୍ୟ ତାଙ୍କ ପୁଅର ଦୋଷକୁ ପୁଲିସ ଘୋଡ଼ାଇ ରଖିବାକୁ ବୈକୁଣ୍ଠଙ୍କ ପରିବାର ଗ୍ରହଣ କରିନାହାନ୍ତି । ଯନ୍ତ୍ରଣାରେ ସେମାନେ ଛଟପଟ ହେଉଛନ୍ତି ।
ପାଠକଙ୍କୁ ଆଉ ଥରେ ଘଟଣା ମନେ ପକେଇ ଦେଉଛୁ ।
୨୦୨୪ ଜୁଲାଇ ୭ ତାରିଖ ରାତି । ସ୍ଥାନ ଥିଲା ପୁରୀ ରାଜଭବନ । ରଥଯାତ୍ରା ଡ୍ୟୁଟି କରୁଥିଲେ ରାଜଭବନ କର୍ମଚାରୀ ଏଏସଓ ବୈକୁଣ୍ଠ ପ୍ରଧାନ । ଅଭିଯୋଗ ଅନୁଯାୟୀ, ରାଜ୍ୟପାଳ(ତତ୍କାଳୀନ) ରଘୁବର ଦାସଙ୍କ ପୁଅ ଲଳିତ କୁମାର ଏବଂ ତାଙ୍କର ୫ ଝାଡ଼ଖଣ୍ଡୀ ସାଙ୍ଗ ମିଶି ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ନିସ୍ତୁକ ପିଟିଥିଲେ । ହତ୍ୟା ଧମକ ଦେଇ ଡ଼ରାଇଥିଲେ । ଜୋତାରେ ଛେପ ପକାଇ ଚାଟିବାକୁ କହିଥିଲେ । ଏହି ଅଧ୍ୟାୟର ମୁଖ୍ୟ ଖଳନାୟକ ଥିଲେ ରାଜ୍ୟପାଳଙ୍କ ପୁଅ । ବାଡ଼େଇବାର କାରଣ ଥିଲା- ପୁରୀ ରେଳଷ୍ଟେସନରୁ ତାଙ୍କୁ ପାଛୋଟି ଆଣିବା ପାଇଁ ଯେଉଁ ଗାଡ଼ି ପଠାଯାଇଥିଲା, ତାହା ତାଙ୍କର ପସନ୍ଦ ହୋଇ ନ ଥିଲା । ଗଭର୍ଣ୍ଣରଙ୍କ ପୁଅ । ଦାମିକିଆ ଗାଡ଼ିରେ ସେ ଆସିଥାନ୍ତେ । ତେଣୁ ମୁଣ୍ଡକୁ ପିତ ଚଢ଼ିଗଲା । ସହଯୋଗୀଙ୍କ ସହ ମିଶି ଡ୍ୟୁଟିରେ ଥିବା କର୍ମଚାରୀ ବୈକୁଣ୍ଠଙ୍କୁ ଲହୁ ଲୁହାଣ କଲେ ।
ମାଡ଼ ଓ ନିର୍ଯ୍ୟାତନା ପାଇଥିବା ଶ୍ରୀ ପ୍ରଧାନ ପରଦିନ ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିଲେ । ତାଙ୍କ ପତ୍ନୀ ପୁରୀ ସମୁଦ୍ର କୂଳ ଥାନାରେ ଏତଲା ଦେଇଥିଲେ । ପୁଲିସ ପ୍ରଥମେ ଏତଲା ରଖୁ ନ ଥିଲା । ମାତ୍ର ରାଜ୍ୟ ସଚିବାଳୟ ସଂଘର ହସ୍ତକ୍ଷେପରେ ପୁଲିସ ଏତଲାକୁ ଥାନାରେ ରେଜିଷ୍ଟ୍ରି କଲା । ହେଲେ ତଦନ୍ତ କଲା ନାହିଁ ।
ଜୁଲାଇ ୧୩ ତାରିଖରେ ତତ୍କାଳୀନ ଡିସିପି ପ୍ରତୀକ ସିଂଙ୍କ ଉପସ୍ଥିତିରେ ତତ୍କାଳୀନ ରାଜ୍ୟପାଳ ଶ୍ରୀ ଦାସ, ପୀଡ଼ିତ ଓ ତାଙ୍କ ପରିବାରଙ୍କ ସହ ରାଜଭବନରେ ଆଲୋଚନା କରିଥିଲେ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଜେ ରାଜ୍ୟପାଳ ପ୍ରତିଶ୍ରୁତି ଦେଇ ୭ ଦିନ ସମୟ ନେଇଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୃଷ୍ଟିକୁ ବି ମାମଲା ଅଣାଯାଇଥିଲା ଏବଂ ସମାନ ପ୍ରତିଶ୍ରୁତି ମିଳିଥିଲା ।
ଘଟଣାର ଦେଢ଼ମାସ ପରେ ପୁଲିସର ନିରବତାକୁ ନେଇ ବିଧାନସଭା ହୁଲସ୍ତୁଲ ହେଲା । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସରକାରଙ୍କୁ ନିଶାନା କରିଥିଲେ । ବିଧାନସଭାରେ ଏହାକୁ ନେଇ ଝଡ଼ ବୋହିବା ପରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଥିଲେ । ପୁରୀ ଜିଲ୍ଲାପାଳ ତଦନ୍ତ କରି ୧୫ ଦିନ ଭିତରେ ରିପୋର୍ଟ ଦେବେ ଏବଂ ଏହି ରିପୋର୍ଟ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ । ମାତ୍ର ୬ ମାସ ବିତିଯାଇଥିଲେ ମଧ୍ୟ ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ଆସିଲାନି ।
ଏଣେ ବୈକୁଣ୍ଠଙ୍କ ପତ୍ନୀଙ୍କ ସୂଚନା ଅନୁଯାୟୀ, ପୁଲିସ ଏ ଯାଏଁ ମାମଲାର ତଦନ୍ତ ବି କରିନାହିଁ ।
ଇତିମଧ୍ୟରେ ବହୁ ଘଟଣା ଘଟିଯାଇଛି । ଡିସେମ୍ବର ଶେଷ ସପ୍ତାହରେ ରାଜ୍ୟପାଳ ପଦରୁ ହଟି ନିଜ ରାଜ୍ୟ ଝାଡ଼ଖଣ୍ଡରେ ବିଜେପିର ସକ୍ରିୟ ରାଜନୀତିକୁ ଫେରିଛନ୍ତି ରଘୁବର । ତା’ ପୂର୍ବରୁ ବୋହୁ ତଥା ପୁଅ ଲଳିତଙ୍କ ପତ୍ନୀ ପୂର୍ଣ୍ଣମା ସାହୁଙ୍କୁ ନିଜ ପାରମ୍ପରିକ ପୂର୍ବ ଜାମସେଦପୁର ଆସନ ଛାଡ଼ିବାରୁ ସେ ବିଧାୟକ ହୋଇଛନ୍ତି ।
ସୁତରାଂ ଝାଡ଼ଖଣ୍ଡ ରାଜନୀତିରେ ରଘୁବର ଏବଂ ପୁଅ ଲଳିତ ଏବେ ଖୁବ୍ ଚଳଚଞ୍ଚଳ । ସେମାନଙ୍କ ପତିଆରା ଆଗରେ ବୈକୁଣ୍ଠ ପ୍ରଧାନଙ୍କ ଭଳି ଓଡ଼ିଆ ସରକାରୀ କର୍ମଚାରୀ ଛାର୍ । ମୋହନ ସରକାର ଏ ପର୍ଯ୍ୟନ୍ତ ଝାଡ଼ଖଣ୍ଡୀ ରଘୁବର ନନ୍ଦନଙ୍କର ସୁରକ୍ଷା କବଚ ହୋଇଛନ୍ତି । ଓଡ଼ିଆ ଅସ୍ମିତା ଉପରେ ପ୍ରହାର ତାଙ୍କୁ ବ୍ୟଥିତ କରିନି । ଆଗକୁ କ’ଣ କରିବେ ଦେଖିବାର କଥା ।