By Our Correspondent September 9, 2018 at 13:13:39


ଭୁବନେଶ୍ୱର: ୨୫ ଦିନ ହେଲା ଲୋୟର୍ ପିଏମଜିରେ ବସିଛନ୍ତି ୪୦ ହଜାର ବ୍ଲକ୍ ଗ୍ରାଣ୍ଟ ଶିକ୍ଷକ ଓ କର୍ମଚାରୀ । ସେମାନଙ୍କ ଆନ୍ଦୋଳନ ଯୋଗୁଁ ୫ ହଜାରରୁ ଅଧିକ ସ୍କୁଲରେ ପଡ଼ିଛି ତାଲା । ୫୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବନ୍ଦ ହୋଇଯାଇଛି । ଆନ୍ଦୋଳନରତ ଶିକ୍ଷକମାନେ ନିଜ ଦାବିରେ ନଛୋଡ଼ବନ୍ଧା ରହିଥିଲା ବେଳେ ସରକାର ବି ନିଜ ଜିଦ୍ ରେ ଅଟଳ । ଲଢ଼େଇ ଶିକ୍ଷକ-ସରକାରଙ୍କ ଭିତରେ ଆଉ ସୀମିତ ନାହିଁ । ସେଥିରେ ପୂରା ପଲିଟିକ୍ସ ପଶିଯାଇଛି । ସରକାରଙ୍କ ବିରୋଧରେ ଆନ୍ଦୋଳନ ଚାଲୁ ରଖିବା ପାଇଁ ବିରୋଧୀ ଦଳର ନେତାମାନେ ଅକୁଣ୍ଠ ସମର୍ଥନ ଢ଼ାଳି ଦେଇଛନ୍ତି । ଶିକ୍ଷକଙ୍କ ଧାରଣାସ୍ଥଳ ସେମାନଙ୍କ ପାଇଁ ଆକର୍ଷଣ ପାଲଟିଛି । ଶିକ୍ଷକ ନେତାମାନେ ବି ଏହାର ଭରପୂର ଫାଇଦା ଗୋଟାଇବାରେ ବ୍ୟସ୍ତ । ପିଲାଙ୍କ ଭବିଷ୍ୟତ ଯୁଆଡ଼େ ଯାଉ ସେଥିପାଇଁ ପରବାଏ ନାହିଁ । କିଛି ନେତା ସରକାରଙ୍କୁ ବ୍ଲାକମେଲିଂ ଆରମ୍ଭ କରିଛନ୍ତି । ବିରୋଧୀ ରାଜନୈତିକ ପକ୍ଷର ବଡ଼ବଡ଼ିଆଙ୍କ ଆଡ଼େ ଆକୃଷ୍ଟ ହୋଇ ଓଲଟି ନିଜ ପକେଟ ଗରମ କରିବାରେ ଲାଗିଥିବା ଅଭିଯୋଗ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଶିକ୍ଷକ ସଂଘର ନେତାମାନଙ୍କ ସହ ଆଲୋଚନା କରି ସମାଧାନର ରାସ୍ତା ବାହାର କରିବାକୁ ରାଜ୍ୟ ସରକାର ୩ ଦିନ ହେଲାଣି ଚେଷ୍ଟା କରୁଛନ୍ତି । ଶିକ୍ଷକ ନେତାଙ୍କ ସହ ସରକାରଙ୍କ ପ୍ରତିନିଧି ବରାବର ଯୋଗଯୋଗ କରୁଛନ୍ତି । ମାତ୍ର ସଂଘ ନେତାମାନେ ଆଉ ଧରାଛୁଆଁ ଦେଉନାହାନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନ୍ଦୋଳନସ୍ଥଳକୁ ଆସି ଶିକ୍ଷକ ନେତାଙ୍କୁ ସାହାସ ଦେବା ପରଠୁ ସେମାନଙ୍କ ମୁହଁ ବଢ଼ିଯାଇଛି । ଏହି ପରିସ୍ଥିତି ଆନ୍ଦୋଳନକାରୀ ଶିକ୍ଷକଙ୍କ ମଧ୍ୟରେ ଫାଟ ସୃଷ୍ଟି କରିଛି । ସଂଘର ନେତାମାନଙ୍କ ଉପରେ ଅନେକ ଶିକ୍ଷକ କ୍ଷୁବ୍ଧ ହୋଇପଡ଼ିଛନ୍ତି । ଆନ୍ଦୋଳନ ନାଁରେ ସେମାନେ ନିଜର ପକେଟ, ପ୍ରତିପତ୍ତି ବଢ଼ାଇ ବ୍ୟକ୍ତିଗତ ସ୍ୱାର୍ଥ ହାସଲରେ ମାତିଥିବା ସମାଲୋଚନା କରିଛନ୍ତି । ସେପଟେ ସ୍କୁଲ, କଲେଜ ଛାଡ଼ି ଭୁବନେଶ୍ୱରରେ ଆନ୍ଦୋଳନର ଦିନ ଗଢ଼ି ଚାଲିଥିବା ବେଳେ ଅଭିଭାବକଙ୍କ ଆକ୍ରୋଶର ଶିକାର ହେଲେଣି ଶିକ୍ଷକ । ବର୍ଷରେ ୩ ମାସ ଆନ୍ଦୋଳନ କରି ଶିକ୍ଷକମାନେ ପାଲା କରୁଛନ୍ତି । ଏଣିକି ଆଉ ବରଦାସ୍ତ କରିବୁନୁ ବୋଲି ରାଜ୍ୟର ସବୁ ଅଞ୍ଚଳରୁ ଅଭିଭାବକଙ୍କ ପ୍ରତିକ୍ରିୟା ଆସୁଛି ।
ଶିକ୍ଷା ବ୍ୟବସ୍ଥାରେ ଆଜିର ଏ ବିଭ୍ରାଟ ଏକ ବିତର୍କର ବିଷୟ ହୋଇଯାଇଛି । ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥା ଯୋଗୁଁ ଆଜି ଏଭଳି ସଙ୍କଟ ସୃଷ୍ଟି ହୋଇଥିବା କୁହାଯାଉଛି । ନବେ ଦଶକରେ ସାରା ରାଜ୍ୟରେ ଛତୁ ଫୁଟିଲା ଭଳି ଘରୋଇ ସ୍କୁଲ, କଲେଜ ଖୋଲିଲା । ସଂପୃକ୍ତ ପରିଚାଳନା କମିଟି ମନଇଚ୍ଛା ନିଯୁକ୍ତି ଦେଲେ । ଉପଯୁକ୍ତ ଯୋଗ୍ୟତା ନ ଥାଇ ଅନେକ ଲୋକ ଶିକ୍ଷକ, ଅଧ୍ୟାପକ ପାଲଟିଗଲେ । ନିଯୁକ୍ତିରେ ସ୍ୱଚ୍ଛତା ରହିଲା ନାହିଁ । ସେଥିରେ ସରକାରଙ୍କ ବି ଅଙ୍କୁଶ ରହିଲା ନାହିଁ । ଯାହାର ଅବସ୍ଥା ଏବେ ଭୋଗିବାକୁ ପଡୁଛି । ଧୂଆ, ଅଧୂଆ ସମସ୍ତେ ଦାବି କଲେ, ଆମକୁ ପୂର୍ଣ୍ଣ ସରକାରୀ ଅନୁଦାନ ଦିଅ । ତାହା ହେଲା ପରେ ବି ଦାବି କଲେଣି, ଆମକୁ ଏରିଅର୍ ଆକାରରେ ପୁରୁଣା ଦିନରୁ ସବୁ ପଇସା ଦିଅ । ଚାକିରି ସର୍ତ୍ତବାଳୀ ରଖି ପେନସନ୍ ଦିଅ । ସରକାର ପୂର୍ବରୁ ଯେତେ ଯାହା ହକ୍, ଅନୁଗ୍ରହ ଦେଇଥିଲେ ବି ସେମାନଙ୍କ ମନ ବୁଝିନି । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥଠାରୁ ସେମାନଙ୍କ ବ୍ୟକ୍ତିଗତ ସ୍ୱାର୍ଥ ବଡ଼ ହୋଇଯାଇଛି ।
ଶିକ୍ଷକଙ୍କ ଦାବି ପରିପ୍ରେକ୍ଷୀରେ ସରକାର ଯେଉଁ ଯୁକ୍ତି ରଖିଛନ୍ତି ତାହା ବି ଗ୍ରହଣଯୋଗ୍ୟ । ସରକାରଙ୍କ କହିବା କଥା, ୭୦ ଓ ୮୦ ଦଶକରେ ଘରୋଇ ଉଦ୍ୟମରେ ରାଜ୍ୟରେ ଛତୁ ଫୁଟିଲା ଭଳି ସ୍କୁଲ, କଲେଜ ଖୋଲିଲା । ସେଥିରେ ସରକାରଙ୍କ ଭୂମିକା ନ ଥିଲା । ଯୋଗ୍ୟତା ମାପକାଠି ନ ଥାଇ ମନଇଚ୍ଛା ନିଯୁକ୍ତି ଦିଆଗଲା । ସରକାର ଏହି ଅଯୋଗ୍ୟଙ୍କୁ ଖୋଜିବା ପ୍ରକ୍ରିୟା ଆରମ୍ଭ କଲା କ୍ଷଣି ଏହି ଶିକ୍ଷକମାନେ ତାଙ୍କ ନିଯୁକ୍ତିକୁ ବୈଧିକରଣ ପାଇଁ ଭିତିରିଆ କାରସାଦି ଆରମ୍ଭ କରିଦେଲେ । ସରକାରୀ ନିୟମ ଅନୁଯାୟୀ, ଘରୋଇ ଉଦ୍ୟୋଗୀ ଦ୍ୱାରା ଆରମ୍ଭ ହେଉଥିବା ସ୍କୁଲ, କଲେଜର ସ୍ୱୀକୃତି ପାଇଁ ସରକାରଙ୍କଠାରୁ ଏକ ଏନଓସି ଆଣିବା ବାଧ୍ୟତାମୂଳକ । ସରକାରଙ୍କଠାରୁ କୌଣସି ଗ୍ରାଣ୍ଟ ଇନ ଏଡ୍ ଦାବି କରିପାରିବେ ନାହିଁ ବୋଲି ଲିଖିତ ଭାବେ ଜଣାଇବାର ବ୍ୟବସ୍ଥା ବି ରହିଛି । ମାତ୍ର ଆନ୍ଦୋଳନକାରୀମାନେ ତାହାକୁ ଭୁଲିଯାଇଛନ୍ତି । ସରକାରୀ ସର୍ତ୍ତର ଉଲ୍ଲଂଘନ କରିଛନ୍ତି ।
ଏହା ସତ୍ତ୍ୱେ ବ୍ଲକ୍ ଗ୍ରାଣ୍ଟ ଉଚ୍ଛେଦ ପାଇଁ ଶିକ୍ଷକଙ୍କ ଦୀର୍ଘ ଦିନର ଦାବିକୁ ସରକାର ବିଚାର କରି ୨୦୧୮ ଜାନୁଆରୀରୁ ସମସ୍ତଙ୍କ ପାଇଁ ଗ୍ରାଣ୍ଟ ଇନ୍ ଏଡ୍ ବ୍ୟବସ୍ଥା କରିଛନ୍ତି । ୨୦୦୯ ସୁଦ୍ଧା ବ୍ଲକ୍ ଗ୍ରାଣ୍ଟ ବ୍ୟବସ୍ଥା ପରିଧିକୁ ଆସୁଥିବା ଶିକ୍ଷକ, କର୍ମଚାରୀଙ୍କ ପାଇଁ ଏହା ଲାଗୁ ହୋଇଛି । ଏଥିରେ ୧୧୮୬ କଲେଜର ୨୦,୮୫୪ ଶିକ୍ଷକ ଓ କର୍ମଚାରୀ ଏବଂ ୨୪୦୦ ହାଇସ୍କୁଲର ୨୯,୦୦୦ ଶିକ୍ଷକ/ ଶିକ୍ଷୟିତ୍ରୀ ଉପକୃତ ହୋଇଛନ୍ତି । ଏଥିପାଇଁ ସରକାରଙ୍କ ଉପରେ ବାର୍ଷିକ ୧ ହଜାର କୋଟି ଅତିରିକ୍ତ ବ୍ୟୟ ଭାର ପଡ଼ିଛି । ଶିକ୍ଷକମାନଙ୍କ ଏବେକାର ଦାବି ପୂରଣ ହେଲେ ସରକାରୀ ରାଜକୋଷ ଉପରେ ଆଉ ୮୦୦ କୋଟି ଟଙ୍କାର ବ୍ୟୟଭାର ପଡ଼ିବ । ରାଜ୍ୟର ଉନ୍ନୟନ କାର୍ଯ୍ୟକୁ ବଳି ଦେଇ ଏତେ ଟଙ୍କା ଖର୍ଚ୍ଚ କରିବା ସମ୍ଭବ ନୁହେଁ ବୋଲି ସରକାରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି ।
ତେବେ ସେ ଯାହା ହେଉ, ଶିକ୍ଷକମାନେ ଆନ୍ଦୋଳନରେ ବସିବା ଆଜିକୁ ୨୫ ଦିନ ପୂରିଥିଲେ ବି ସମାଧାନର ସୂତ୍ର ବାହାରିପାରୁନି । ସରକାର ନିଜ ଯୁକ୍ତିରେ ଅଟଳ ଥିବା ବେଳେ ଶିକ୍ଷକମାନେ ସେମାନଙ୍କ ଦାବିରେ ଅଟଳ । ସେଥିରେ ପୁଣି ରାଜନୈତିକ କେଁ । ବିରୋଧୀଙ୍କ ବଳ ପାଇ ଶିକ୍ଷକ ସଂଘ ନେତାମାନେ ବି ବଳୁଆ ହୋଇଛନ୍ତି । ସେମାନେ ନିଜକୁ ଶିକ୍ଷକ ବୋଲି ଭୁଲିଗଲେଣି । ଦାବି ହାସଲ କରିବାରେ କୁଆଡ଼େ ଆଉ ଆନ୍ତରିକତା ନାହିଁ । ବରଂ ଆନ୍ଦୋଳନ ଦିନ ଯେତେ ଗଡ଼ିବ ନିଜର ନୂଆ ପଲିଟିକାଲ୍ ବସ୍ ସେତେ ଖୁସି ହେବେ । ଏହା ପୂରା ବାସ୍ତବ ରୂପ ନେଇସାରିଛି ବୋଲି ବହୁ ଶିକ୍ଷକ କ୍ଷୋଭର ସହ କହିଛନ୍ତି । ପିଲାଙ୍କ ଭବିଷ୍ୟତ ଉପରେ ଏହି ଖେଳ ବେଶ୍ ମହଙ୍ଗା ପଡ଼ିବ ଏବଂ ଅଭିଭାବକମାନଙ୍କ କଡ଼ାଗଣ୍ଡା ମୂଲ୍ୟର ହିସାବ ଆମକୁ ଦେବାକୁ ପଡ଼ିବ ବୋଲି ସେମାନେ କହିଛନ୍ତି ।
SHARE

LEAVE A REPLY