ଭୁବନେଶ୍ୱର: ମୟୁରଭଞ୍ଜ ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ଥିବା ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁଙ୍କ ବିରୋଧରେ ଆସିଥିବା ଉଠ୍ ବସ୍ ଅଭିଯୋଗକୁ ନେଇ ରାଜନୀତି ସରଗରମ ହୋଇଛି । ଆଜି ବାରିପଦାରେ ଯୁବ, ଛାତ୍ର କଂଗ୍ରେସ, ବିଜେପି ଯୁବମୋର୍ଚ୍ଚା ଓ ଏବିଭିପି ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ରାଇରଙ୍ଗପୁର ଓ ଭୁବନେଶ୍ୱରରେ ମଧ୍ୟ ଏବିଭିପି କରିଛି ଆନ୍ଦୋଳନ । ବାରିପଦାରେ ଏସବୁ ସଂଗଠନ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ କରି ଅରୁଣଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି । ଅରୁଣଙ୍କ ଇସ୍ତଫା ଦାବି କରିବା ସହ ସେ କ୍ଷମା ନ ମାଗିଲେ ତାଙ୍କୁ ମୟୁରଭଞ୍ଜରେ ପୂରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।
ସେପଟେ ଅଭିଯୋଗକାରୀ ଛାତ୍ରନେତା ତଥା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ସଭାପତି ତୁଷାର ନାୟକଙ୍କର ଆଜି କୌଣସି ଖୋଜଖବର ନାହିଁ । ଅରୁଣ ତାଙ୍କୁ ର୍ଦୁବ୍ୟବହାର କରିଥିବା ନେଇ ଗତକାଲି ସେ ଫେସବୁକ୍ ରେ ପୋଷ୍ଟିଂ କରିବା ସହ କିଛି ଟିଭି ଚାନେଲ୍ କୁ ବାଇଟ୍ ଦେଇଥିଲେ । ମାତ୍ର ଆଜି ତାଙ୍କର ରହସ୍ୟଜନକ ଆତ୍ମଗୋପନ ଚର୍ଚ୍ଚାର ବିଷୟ ହୋଇଛି । ସେଭଳି ଅରୁଣ ବି କିଛି କହିବାକୁ ଆଜି ମନା କରିଛନ୍ତି । ଗତକାଲି ତାଙ୍କ ବିରୋଧରେ ଅଭିଯୋଗ ଆସିଲା କ୍ଷଣି ଅରୁଣ ଆଶ୍ଚର୍ଯ୍ୟପ୍ରକଟ କରି ପ୍ରତିକ୍ରିୟା ଦେଇଥିଲେ । ତୁଷାରଙ୍କୁ ସାନଭାଇ ବୋଲି ଭାବିଥିବାରୁ ବିଶ୍ୱବିଦ୍ୟାଳୟ ସମସ୍ୟା ନେଇ ଲଢ଼େଇ କରିବାକୁ ହେଲେ ଯୋଗ, ବ୍ୟାୟାମ କରିବାକୁ ଏମିତି ହାଲକା ପରାମର୍ଶ ଦେଇଥିବା କହିଥିଲେ । ସେ ବିଷୟରେ ଆଉ ଅଧିକ କିଛି କହିବାକୁ ଏବେ ଚାହାନ୍ତି ନାହିଁ ବୋଲି ଆଜି କହିଛନ୍ତି ।
ଅରୁଣଙ୍କ ସମର୍ଥକମାନଙ୍କ କହିବାନୁଯାୟୀ, ବିରୋଧୀ ଗୋଷ୍ଠୀର କିଛି ଛାତ୍ରନେତା ତୁଷାରଙ୍କୁ ଉସକାଇ ଏଭଳି ମିଥ୍ୟା ଅଭିଯୋଗ ତିଆରି କରିଛନ୍ତି । ଜଣେ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ସଭାପତି ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକଙ୍କ କଥାରେ ଉଠ୍ ବସ୍ ହେବା ସମ୍ଭବ କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ତେବେ ତୁଷାର ତାଙ୍କର ଭୁଲ୍ ବୁଝିସାରିଲେଣି ବୋଲି ସେ ଦାବି କରିଛନ୍ତି । ଛାତ୍ର ବିଜେଡ଼ି ସଭାପତି ରାଣା ପ୍ରତାପ ପାତ୍ର ଅରୁଣଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି । ବିଜେଡ଼ିରେ ଯୁବ ଓ ଛାତ୍ରନେତାମାନଙ୍କୁ ନେତାମାନେ ଅପମାନ ଦେବା ଦୂରେ ଥାଉ, ଟାଣରେ କଥା କହନ୍ତିନି ବୋଲି ସେ ସଫେଇ ଦେଇଛନ୍ତି ।
ତେବେ ଆଜି ତୁଷାରଙ୍କ ନିରବତା ପରିପ୍ରେକ୍ଷୀରେ କଥାଟି କେତେ ସତ କେତେ ମିଛ ତାହା ସ୍ପଷ୍ଟ ହୋଇପାରି ନ ଥିଲେ ମଧ୍ୟ ଅରୁଣ କିନ୍ତୁ ଅଡୁଆରେ ପଡ଼ିଛନ୍ତି । କଂଗ୍ରେସ ଏବଂ ବିଜେପି ଏହି ମାମଲାକୁ ଧରି ଆନ୍ଦୋଳନ ଆଗକୁ ବଢ଼ାଇବାକୁ ସଜବାଜ ହେଉଛନ୍ତି । ଖାଲି ମୟୁରଭଞ୍ଜ ନୁହେଁ, ସମଗ୍ର ରାଜ୍ୟରେ ଆନ୍ଦୋଳନ ଗଢ଼ି ତୋଳିବାକୁ ସେମାନେ ଯୋଜନା କରୁଛନ୍ତି ।
ସୂଚନାଯୋଗ୍ୟ, ବିଶ୍ୱବିଦ୍ୟାଳୟ ସମସ୍ୟା ସମ୍ପର୍କରେ ଆଲୋଚନା କରିବାକୁ ତୁଷାର ଗତକାଲି ବାରିପଦା ସର୍କିଟ୍ ହାଉସ୍ ରେ ଅରୁଣ ସାହୁଙ୍କୁ ଭେଟିଥିଲେ । ତେବେ ଅରୁଣ ତାଙ୍କ କଥା ନ ଶୁଣି ଓଲଟି ଉଠ୍ ବସ୍ କରିବା ସହ ର୍ଦୁବ୍ୟବହାର କରିଥିବା ତୁଷାର ଅଭିଯୋଗ କରିଥିଲେ । ଅରୁଣ ତାଙ୍କୁ ୫୦ ଥର ଉଠ୍ ବସ୍ କରାଇଛନ୍ତି ବୋଲି କହିଥିଲେ ।