ଭୁୁବନେଶ୍ୱର: ଗତକାଲି କଂଗ୍ରେସରୁ ନିଲମ୍ବନ ହୋଇଥିବା ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ ଆଜି ଦଳ ଛାଡ଼ିଦେଇଛନ୍ତି । ବିଧାୟକ ପଦ ବି ଛାଡ଼ିଛନ୍ତି । ସେ କଂଗ୍ରେସରୁ ତାଙ୍କର ଇସ୍ତଫାପତ୍ର ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି । ଝାରସୁଗୁଡ଼ା ବିଧାୟକ ନବ ଦାସଙ୍କ ପରେ ଯୋଗେଶ ସିଂଙ୍କ ଇସ୍ତଫା କଂଗ୍ରେସ ପାଇଁ ଶକ୍ତ ଆଘାତ ଆଣିଛି । ଯୋଗେଶ ନିଜର ଆଗାମୀ କାର୍ଯ୍ୟପନ୍ଥା ସ୍ପଷ୍ଟ କରି ନ ଥିଲେ ମଧ୍ୟ ବିଜେଡ଼ିରେ ଯୋଗଦେବା ନିଶ୍ଚିତ ବୋଲି ଜଣାପଡ଼ିଛି ।
ଇସ୍ତଫାପତ୍ରରେ ଯୋଗେଶ ତାଙ୍କ ଉପରେ ଦଳୀୟ କାର୍ଯ୍ୟାନୁଷ୍ଠାନକୁ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ଦଳ ବିରୋଧୀ କାର୍ଯ୍ୟ ନୁହେଁ । ୟୁପିଏ ସରକାର ଅମଳରେ ଓଡ଼ିଶାକୁ ଆସୁଥିବା କେନ୍ଦ୍ରମନ୍ତ୍ରୀମାନେ ନବୀନଙ୍କୁ ପ୍ରଶଂସା କରୁଥିଲେ । ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ସେ ସର୍ବଭାରତୀୟସ୍ତରରେ ସମ୍ମାନିତ ହୋଇଛନ୍ତି । ତେଣୁ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବାରେ ଅସୁବିଧା କେଉଁଠି ରହିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିଭଳି ତାଙ୍କର ଅନ୍ୟ କାର୍ଯ୍ୟକ୍ରମ ଥିବାରୁ ରାହୁଲ ଗାନ୍ଧୀଙ୍କ ଭୁବନେଶ୍ୱର ସଭାରେ ଉପସ୍ଥିତ ରହିପାରିବେନି ବୋଲି ପୂର୍ବରୁ ଜଣାଇଥିଲେ । ତେଣୁ ଏହା କିଭଳି ଦଳବିରୋଧୀ କାର୍ଯ୍ୟ ହେଲା?
ଦୀର୍ଘ ୧୭ ବର୍ଷ ଧରି କଂଗ୍ରେସ ପାଇଁ ସେ କାର୍ଯ୍ୟ କରୁଛନ୍ତି । ମାତ୍ର ବିନା କାରଣଦର୍ଶାଅ ନୋଟିସ୍ ରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ସେ ଗ୍ରହଣ କରିପାରୁନାହାନ୍ତି । ଦଳ ତାଙ୍କୁ ଚାହୁଁ ନ ଥିବାରୁ ସେ ଦଳରେ ଆଉ ରହିବାକୁ ଶ୍ରେୟ ମଣୁନାହାନ୍ତି ବୋଲି ଯୋଗେଶ ଦର୍ଶାଇଛନ୍ତି ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଯୋଗେଶ ବିଜେଡ଼ି ସହ ଯୋଗସୂତ୍ରରେ ଥିବା କଂଗ୍ରେସ ପାଖରେ ଖବର ଅଛି । ଦଳରେ ଥାଇ ଦଳ ଓ ନେତୃତ୍ୱ ବିରୋଧରେ ଯିଏ ବି ଯିବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ ପଛଘୁଞ୍ଚା ଦେବ ନାହିଁ । କଂଗ୍ରେସ ଭଳି ଏକ ବୃହତ୍ତ ଦଳରୁ କିଏ ଛାଡ଼ି ଚାଲିଗଲେ ସେଥିରେ ଦଳର କ୍ଷତି ହେବ ନାହିଁ । ନବ କିମ୍ବା ଯୋଗେଶ କଂଗ୍ରେସ ଛାଡ଼ି ଚାଲିଯିବାରେ ଆମେ ଆଦୌ ଭୟଭୀତ ନୁହେଁ । କଂଗ୍ରେସକୁ ସବୁ ଚାଲେଂଜକୁ ମୁକାବିଲା କରିବାରେ ସମର୍ଥ ବୋଲି ନିରଞ୍ଜନ କହିଛନ୍ତି ।