ଭୁବନେଶ୍ୱର: ନବ ଦାସଙ୍କ କ୍ଷେତ୍ରରେ କଂଗ୍ରେସ ଯେଉଁ ଭୁଲ୍ କରିଥିଲା, ଯୋଗେଶ ସିଂଙ୍କ କ୍ଷେତ୍ରରେ ତାହା କଲାନି । ସୁନ୍ଦରଗଡ଼ର ଏହି ବିଧାୟକଙ୍କୁ ଆଜି ତରବରିଆ ଭାବେ ଦଳରୁ ସସପେଣ୍ଡ କରାଯାଇଛି । ଦଳବିରୋଧୀ ମନ୍ତବ୍ୟ ପାଇଁ ତାଙ୍କୁ ସସପେଣ୍ଡ କରାଯାଇଛି । ପିସିସି ଶୃଙ୍ଖଳା କମିଟି ଆବାହକ ଅନନ୍ତ ସେଠୀ କହିଛନ୍ତି, ଯୋଗେଶଙ୍କୁ ତାଙ୍କ ମନ୍ତବ୍ୟ ସଂକ୍ରାନ୍ତରେ ୨୪ ଘଣ୍ଟା ମଧ୍ୟରେ ଉତ୍ତର ରଖିବାକୁ କୁହାଯାଇଥିଲା । ମାତ୍ର ସେ ଉତ୍ତର ନ ଦେବାରୁ ଏଆଇସିସି ଅନୁମୋଦନକ୍ରମେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି ।
ଗତକାଲି ଝାରସୁଗୁଡ଼ା ବିଧାୟକ ନବ ଦାସଙ୍କୁ କଂଗ୍ରେସ ବହିଷ୍କାର କରିଥିଲା । ତେବେ ବହିଷ୍କାର ପାଇଁ ସଜବାଜ ଚାଲିଥିବା ବେଳେ ନବ ଆଗୁଆ ଦଳରୁ ଇସ୍ତଫା ଦେଇଥିଲେ । ଏହା କଂଗ୍ରେସ ପାଇଁ ଚଟକଣି ଭଳି ହୋଇଥିଲା । ଯୋଗେଶଙ୍କ କ୍ଷେତ୍ରରେ ସେଭଳି ପରିସ୍ଥିତି ସୃଷ୍ଟି କରିବାକୁ ହାଇକମାଣ୍ଡ ଚାହିଁନାହାନ୍ତି । ବିଜେଡ଼ିମୁହାଁ ଦଳୀୟ ନେତାଙ୍କୁ ଦଳୀୟ ଛାଟ ଦେଖାଇ କଂଗ୍ରେସର ଇଜ୍ଜତ ରକ୍ଷା କରିବାକୁ ଚେଷ୍ଟା କରିଛନ୍ତି ।
ଗତକାଲି ଯୋଗେଶ କହିଥିଲେ ଯେ ଜନସାଧାରଣ ମୋର ହାଇକମାଣ୍ଡ । ସେମାନେ ଯାହା ଚାହିଁବେ ମୁଁ ସେୟା କରିବି । ବିଜେଡ଼ିକୁ ଯିବେ କି ବୋଲି ପ୍ରଶ୍ନରେ ଯୋଗେଶ ଏହି ଉତ୍ତର ଦେବା ସହ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ । ୧୮ ବର୍ଷ ଧରି ଶାସନ କରୁଥିବା ନବୀନ ପଟ୍ଟନାୟକ ଜଣେ ଦକ୍ଷ ଓ ବିଚକ୍ଷଣ ରାଜନେତା । ତାଙ୍କର ତୁଳନା ନାହିଁ ବୋଲି ଯୋଗେଶ କହିଥିଲେ । ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସୁଥିବା ରାହୁଲ ଗାନ୍ଧୀଙ୍କ ସଭାରେ ସେ ଉପସ୍ଥିତ ରହିବେନି ବୋଲି ମଧ୍ୟ ଜଣାଇ ଦେଇଥିଲେ ।
ନବଙ୍କ ପରେ ଯୋଗେଶଙ୍କ ଏହି ମନ୍ତବ୍ୟ କଂଗ୍ରେସ ନେତୃତ୍ୱକୁ ଚିନ୍ତାରେ ପକାଇଥିଲା । ବିଜେଡ଼ିକୁ ସେ ଯିବା ଥୟ ଭାବି ଦଳର ଇଜ୍ଜତ ବଞ୍ଚାଇବାକୁ ନେତୃତ୍ୱ ଚାହିଁଲେ । ତେଣୁ ଗତକାଲି ତାଙ୍କୁ କାରଣଦର୍ଶଆ ନୋଟିସ୍ ଜାରି କରିବା ପରେ ଆଜି ଦଳରୁ ସସପେଣ୍ଡ କରାଯାଇଛି ।
ଦଳୀୟ କାର୍ଯ୍ୟାନୁଷ୍ଠାନ ପରେ ଯୋଗେଶ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ମୁଁ କିଛି ଭୁଲ କରିନାହିଁ । ମୁଁ କଂଗ୍ରେସ ଛାଡ଼ିବି ବୋଲି କୌଣସିଠାରେ କହିନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଲ କାମ କରୁଥିବାରୁ ତାଙ୍କ ପ୍ରଶଂସା କଲାରୁ ଭୁଲ୍ ରହିଲା କେଉଁଠି? ଏହା କ’ଣ ଦଳବିରୋଧୀ କାର୍ଯ୍ୟ? ବିଜେଡ଼ିରେ ଯୋଗଦେବେ କି ବୋଲି ପ୍ରଶ୍ନରେ ଯୋଗେଶ କହିଛନ୍ତି, ତାହା ଭବିଷ୍ୟତ କହିବ । ଲୋକଙ୍କ ମତ ନେଇ ମୁଁ ମୋର ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବି । କଂଗ୍ରେସରୁ ସସପେଣ୍ଡ ହୋଇଥିବାରୁ ସେ ବିଧାୟକ ପଦ ଛାଡ଼ିବେ ବୋଲି ଯୋଗେଶ ଘୋଷଣା କରିଛନ୍ତି ।