ଭୁବନେଶ୍ୱର: କରୋନା ଭୟରେ ପଞ୍ଜାବରେ ଫସି ରହିଥିବା ଭଟିଣ୍ଡାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୬୯ ଜଣ ଓଡ଼ିଆ ଛାତ୍ରଛାତ୍ରୀ ସୁରକ୍ଷିତ ଭାବେ ଓଡ଼ିଶା ଫେରିଆସିଛନ୍ତି । ‘ଓଡ଼ିଶା ମୋ ପରିବାର’ ର ସହାୟତା ଯୋଗୁଁ ସେମାନେ ଓଡ଼ିଶା ଫେରି ଆସିଥିବାରୁ ଖୁସି ପ୍ରକଟ କରିଛନ୍ତି ।
ଭଟିଣ୍ଡା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୧୪୦ ଓଡ଼ିଆ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । କରୋନା ସଂକ୍ରମଣ ରୋକିବା ପାଇଁ ସରକାର ବିଶ୍ୱବିଦ୍ୟାଳୟ ଛୁଟି ଘୋଷଣା କରିଥିବା ବେଳେ ଓଡ଼ିଶା ସରକାର ମଧ୍ୟ କଟକଣା ଜାରି କରିଛନ୍ତି । ଛୁଟି ଓ କଟକଣା ଭିତରେ ଏହି ଓଡ଼ିଆ ଛାତ୍ରଛାତ୍ରୀମାନେ ପଞ୍ଜାବରେ ଏକପ୍ରକାର ଫସି ରହିଥିଲେ । ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ପ୍ରଥମେ ଏ ସମ୍ପର୍କରେ ‘ଓଡ଼ିଶା ମୋ ପରିବାର’ ଆବାହକ ଅରୂପ ପଟ୍ଟନାୟକଙ୍କ ଦୃଷ୍ଟିକୁ ଆଣିବା ପରେ ସେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ତୁରନ୍ତ ଜଣାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର ରବି କାନ୍ତଙ୍କୁ ଏ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।






