ଡ. ଜ୍ୟୋତି ପ୍ରକାଶ ମହାପାତ୍ର
ଡ୍ରାମା ଆରମ୍ଭ ହେବ ସଂଜକୁ । କିନ୍ତୁ ସିଦିଆ ସାଆଁନ୍ତ ଗାଏବ । ସବୁ ରୋଲ କଲା, ରିହର୍ସାଲ କଲା, କିନ୍ତୁ ଠିକ ଡ୍ରାମା ଦିନ ନାହିଁ । ସେଇଠୁ ଲୋକ ପଠାଗଲା ତାଙ୍କ ଘରକୁ । ଯିଏ ଯାଇଥିଲା, ସିଏ ଆସି କହିଲା- ସେ ଶ୍ୱଶୁର ଘରକୁ ରାଗି ପଳେଇଛନ୍ତି ।
– କିରେ, ଏଥିରେ ରାଗିବାର କଣ ଅଛି? ଆଜି ଡ୍ରାମା, ରଜ ସଂକ୍ରାନ୍ତି, ଆଉ ସିଏ କିମିତି ପଳେଇଲା ମ! ହଇଆଛାଡ଼ ଲୋକୁଟା ।
– ତମେ ତାକୁ ଡ୍ରାମାରେ ମନ୍ତ୍ରୀ ପାର୍ଟ (ରୋଲ) ଦେଲ ତ, ସେଇନାଗି ସିଏ ରାଗିକି ପଳେଇଚି ।
– ସିଏ ତ ବଢିଆ ଆକ୍ଟିଂ କରେ ବୋଲି ତାକୁ ମନ୍ତ୍ରୀ ପାର୍ଟ ଦିଆ ଯାଇଥିଲା । ଏଥର ପୁଣି ମନ୍ତ୍ରୀ ପାର୍ଟ ଜମାଣିଆ । ମୂର୍ଖ, ପାଷାଣ୍ଡ । ଗଲା, କହିଲାନି ଟିକେ, ଜଣେଇଲା ବି ନାହିଁ ।
– ସେ ପରା ଫି’ ବର୍ଷ ଡ୍ରାମାରେ ରାଜା ପାର୍ଟ କରୁଥିଲେ । ତାଙ୍କୁ ମନ୍ତ୍ରୀ ପାର୍ଟ ଦେଲ । ଛୋଟ କରିଦେଲ । ତେଣୁ ସିଏ ରାଗିକି ପଳେଇଲେ ବୋଲି ତାଙ୍କ ଘର ଲୋକ କହୁଛନ୍ତି ।
ଏଇମିତି ଅଚାନକ ସେ ବର୍ଷ ଡ୍ରାମାରେ ଆସି ଉପୁଜିଲା ବାଧା । କଣ କରାଯିବ? ଏଥିକୁ ଉପାୟ କଣ? ସବୁ ସରିଛି, ସଂଜକୁ ଡ୍ରାମା, ଗାଧୁଆ ବେଳୁ ସିଦିଆ ସାଆଁନ୍ତ ଫେରାର । ଡ୍ରାମା ତ ହେବ ଯିମିତି ବି ହେଉ । କିନ୍ତୁ ମନ୍ତ୍ରୀ ପାର୍ଟ ପୁଣି କରିବ କିଏ?
ଗାଁ ସାରା ସେ ବିଷୟକୁ ନେଇ ଚର୍ଚ୍ଚା । କୃଷ୍ଣିଆ ବାରିକ ପିଣ୍ଡାରେ ଗପ, ମହାଦେବ ମୁଣ୍ଡ ତାସ୍ ଖେଳ ବନ୍ଦ ହୋଇ ଆଲୋଚନା । ମନ୍ତ୍ରୀ ପାର୍ଟ କେତେ ଗୁରୁତ୍ୱପୂର୍ଣ୍ଣ ଆଜିର ଡ୍ରାମାରେ, ଆଉ ଯିଏ କଳାକାର ସିଏ ରାଗି ଫେରାର । ସେଇଠୁ ଠିକ ହେଲା- ଆଉ ଜଣକୁ ବଛାଯିବ । ହେଲେ ଏଡ଼େ ରୋଲଟେ ସିଏ କରି ପାରିବ ତ? ଏହା ହିଁ ଥିଲା ମୁଖ୍ୟ ପ୍ରଶ୍ନ ।
ଶେଷକୁ ଧରା ହୋଇ ଆସିଲେ ନବ ସାର୍ । ନବ ସାର୍ ଆମ ଗାଁର ଭାରି ସମ୍ମାନନୀୟ ମଣିଷ । ଦୈତାରୀ ଓଏମ୍ସି ହାଇସ୍କୁଲରେ ସେ ପ୍ରଧାନଶିକ୍ଷକ ଥାଆନ୍ତି । ତାଙ୍କୁ ଯାଇ ଗାଁ ଲୋକେ ଘେରିଗଲେ । ସବୁ କଥା କହିଲେ ଓ ନବ ସାର୍ କିଛି ଉପାୟ ନ ପାଇ, ରାଜି ହୋଇଗଲେ ।
ଆଉ ସେଦିନ ରାତିରେ ଡ୍ରାମାରେ ନବ ସାର୍ ବୋଧେ ଦିଓଟି କି ତିନୋଟି ଡାଇଲଗ୍ କହିଛନ୍ତି ।
‘ଆଜ୍ଞା ମଣିମା ।’ ‘ବିଚାର କରାଯିବ’ । ‘ସୁବିଚାର କରାଯିବ’ । ‘ମହାରାଜଙ୍କ ଜୟ ହେଉ ।’ ଏତକ କହି ସେଦିନର କାମ ଚଳେଇ ନେଇଥିଲେ ନବ ସାର୍ ।
ଗାଁରେ ପ୍ରତିବର୍ଷ ରଜ ତିନି ଦିନ ଡ୍ରାମା ହେଉଥିଲା । ଆମ ଗାଁ ପିଲା ସମସ୍ତେ ଅଭିନୟ କରୁଥିଲେ । ଯିଏ ଗାଁରେ ଡ୍ରାମା ପାଇଁ ବଛା ହେଲା, ସିଏ ଯେମିତି ଫୁଟାଣି ଦେଖାଇ ଗାଁ ଦାଣ୍ଡରେ ଚାଲୁଥିଲା, ତାକୁ ଦେଖି ଆମକୁ ନିଜକୁ ଲାଜ ମାଡ଼ୁଥିଲା ଯେ, ଆମେ ସବୁ ସତରେ ମୂର୍ଖ । ଡ୍ରାମାରେ ଅଭିନୟ କରିବାର ଦମ ଆମମାନଙ୍କର ନାହିଁ । ଖରାଛୁଟିରେ ସ୍କୁଲ ଘରେ ଚାଲୁଥିଲା ରିହର୍ସାଲ୍ । ବାପା ବହି ଧରି ସମସ୍ତଙ୍କୁ କେମିତି ଅଭିନୟ କରାଯିବ କହୁଥିବେ ଓ ସେଇ ଅନୁସାରେ ସାରା ଦିନ, ସଂଜ ଚାଲୁଥିଲା ଅଭିନୟର ପ୍ରାକ୍ଟିସ୍ । ସଂଜକୁ ନାରଣ ସାରଙ୍କ ଘରୁ ପେଟ୍ରୋମାକ୍ସ ଲାଇଟଟେ ଆସି, ପ୍ରାକ୍ଟିସ୍ ଚାଲୁଥିଲା । ଡାଲମା, ଭାତ ରନ୍ଧା ବି ହେଉଥିଲା କେବେ କେବେ ।
ଗାଁ ସାରା ସେଇ ତିନି ଦିନକୁ ଅପେକ୍ଷା କରି ରହି ଥାଆନ୍ତି । ସ୍କୁଲ ପଡ଼ିଆରେ ହୁଏ ଡ୍ରାମା । ଆଖପାଖ ଦଶ ଖଣ୍ଡ ଗାଁରୁ ହଜାରେରୁ ଅଧିକ ଲୋକ ଆସି, ସେଇଠି ହାଜର ହୋଇ ରଜ ତିନି ରାତି ଡ୍ରାମା ଦେଖୁଥିବେ । ରଜରେ ପୁଣି ମୌସୁମୀ ଆସି ଯାଇଥାଏ । ବର୍ଷା ଢାଳିଯିବ, ମଫସଲି ଗାଁରେ । କାଦୁଅ ପଚର ପଚର ହୋଇଯିବ ରାସ୍ତା, ସ୍କୁଲ ପଡ଼ିଆ । ସେଇଠୁ ତାରିଣୀଙ୍କ ନାଁରେ ଗୋଟେ ନଡ଼ିଆ ମହାଦେବ ଛକରେ ଗୋଟେ ଡେଙ୍ଗା ବାଉଁଶ ଅଗରେ ବନ୍ଧା ହୋଇ ମାନସିକ କରାଯିବ- ଯେମିତି ବର୍ଷା ନ ହେଉ ।
ଦିନରେ ଆମେ ସବୁ ଅଖା, ନଡ଼ିଆ ଚଟେଇ, ତାଳ ଚଟ ଆଦି ଧରି ଆପଣା ଆପଣା ଜାଗା ସଂରକ୍ଷିତ କରି ରଖି ଦେଉଥିଲୁ ପେଣ୍ଡାଲ୍ ସାମ୍ନାରେ । ସେଇଠି ଡ୍ରାମା ଆରମ୍ଭ ହେବା ପରେ କିଛି ପିଲା ଶୋଇ ପଡ଼ନ୍ତି, କିନ୍ତୁ ଜାଗା ଛାଡ଼ନ୍ତି ନାହିଁ । ପୁଣି ସଂଜକୁ ଯେବେ ଅଭିନେତାମାନଙ୍କୁ ସଜ କରାଯାଏ, ଆମେ ଯାଇ ଝର୍କାରେ ଗଳି ଅନୋଉ । ଯେମିତି ଝର୍କାରେ ଗଳି ଚାହୁଁଥିଲୁ ରିହର୍ସାଲ୍ ହେଲା ବେଳେ ।
ଖରାଛୁଟି ଯାକ ଆମର ଗାଁ ଡ୍ରାମାକୁ ନେଇ କଟୁଥିଲା । ସ୍କୁଲ ପିଣ୍ଡାରେ ବାଘ, ଛେଳି ଖେଳୁଥିଲୁ, ସେଇଠି ଗାମୁଛା ପାରି ଶୋଉଥିଲୁ ଓ ଡ୍ରାମା ରିହର୍ସାଲ୍ ଦେଖୁଥିଲୁ । ଯୋଉଦିନ ଡ୍ରାମା ହେବ ଓ ଅମୁକ ରଙ୍ଗମଂଚ ସବୁ ଜିନିଷ ନେଇ ଆସିବ, ଡ୍ରାମାରେ ସାହାଯ୍ୟ କରିବାକୁ- ଯେମିତି ସାଜସଜାଠାରୁ ଆରମ୍ଭ କରି ସିନ୍, ମାଇକ୍, ପୋଷାକ ସବୁ, ଆମେ ଯାଇ ବିଲ, ପାଟ ମଝିରେ ଅନେଇ ବସୁଥିଲୁ, କେତେବେଳେ ସେମାନେ ଟ୍ରଲିରେ ଆସିବେ । ଆଉ ଯେତେବେଳେ କାଦୁଆ ରାସ୍ତାରେ ଟ୍ରଲି ଆସୁଥିଲା, ସେତେବେଳେ ଆମେସବୁ ପଛରୁ ତାକୁ ଠେଲି ଠେଲି ଗାଁକୁ ଆଣୁଥିଲୁ । ସେ ବି ଥିଲା ଆମ ପାଇଁ ବେଶ ବାହାଦୂରୀର କାମ । ଗାଁ ପାଇଁ ଏଇ ତିନିଦିନ ମହୋତ୍ସବ ପରି ଥିଲା । ଗାଁଟା ଯାକର ଲୋକେ ଏଥିରେ ସାମିଲ ହେଉଥିଲେ । ଆମ ସ୍କୁଲର ସବୁ ଶିକ୍ଷକ ଯେମିତି ଶିବ ସାର, ଦାମ ସାର, ରାମେଶ୍ୱର ସାର, ବିମଳ ସାର, ରତ୍ନାକର ସାର ଆଦିଙ୍କର ଅବଦାନ ଏଥିରେ ଥିଲା ଅନେକ ।
ଗାଁ ଏକାଠି ହେଉଥିଲା । ନଈକୂଳେ ରଜ ପଟାଦୋଳି ଖେଳୁଥିଲା, ଦିନରେ ଆ’ ତା’ ଘରେ ପିଠା ଖାଇ ମଉଜ କରୁଥିଲା ଏବଂ ସଂଜକୁ ଦେଖୁଥିଲା ଡ୍ରାମା । ଗାଁକୁ ଏକମନ କରିଥିଲା ସେ ଉତ୍ସବ । ଗାଁରେ ମନ ଫଟାପଟି ନଥିଲା ।
କ୍ରମଶଃ ଆମେ ସବୁ ବଡ଼ ହୋଇଗଲୁ । ଯେଉଁମାନେ ଡ୍ରାମାକୁ ଆୟୋଜନ କରୁଥିଲେ ଯେମିତି ବାପା, ଶିବ ସାର୍ ସେମାନେ ଡ୍ରାମାକୁ ଆୟୋଜନ କରିବାର ଭରପୁର ଉଦ୍ୟମ ଜାରି ରଖିଥିଲେ । କିନ୍ତୁ ତାରି ଭିତରେ ରାଜନୀତି ନାମକ ଶବ୍ଦ ଓ ଦଳେ ଅତି କୁଜି ନେତା ମିଶି ଗାଁର ପରିବେଶକୁ ବଢିପାଣିଠାରୁ ଆହୁରି ଗୋଳିଆ କରିଦେଲେ ।
ଏବେ ଗାଁରେ ମେଲୋଡ଼ି ହୁଏ । ଆଉ ଡ୍ରାମା ହୁଏନି । ସେଇ ମେଲୋଡ଼ି ପାଇଁ କୌଣସି ଏକ ରାଜନୈତିକ ଦଳ ଚାନ୍ଦା ଦିଏ । ଗାଁରୁ ମୁଠି ଚାଉଳ ଗୋଟା ଯାଏନି । ରାଜନୈତିକ ଚାନ୍ଦାରେ ବାଈନାଚ ଆମ ଗାଁ ପିଲାଏ ଦେଖନ୍ତି । ମୋବାଇଲରେ ସୁଟିଂ କରି ଫେସବୁକରେ ଅପଲୋଡ଼ କରନ୍ତି । ନିଜେ ବି ମଝିରେ ମଝିରେ ଉଠି ନାଚନ୍ତି । ମଦର ଆସରରେ ଫାଟି ପଡ଼େ ସେଇ ମେଲାଡ଼ି ଜାଗାଟା । ହିତାହିତ ଜ୍ଞାନ ଭୁଲି ଦାଦା, ପୁତୁରା ସମସ୍ତେ ଏକାକାର ହୋଇ ଯାଆନ୍ତି । ମାଲ ପିଅନ୍ତି । ଆଉ ମଝିରେ ମଝିରେ ମାରପିଟ ବି ଲାଗନ୍ତି- ଏ ଦଳ, ସେ ଦଳ ହୋଇ ।
ଗାଁର ଜୀବନରେ ଆସିଥିବା ଏ ବଦଳ ରାଜନୀତି ଯୋଗୁଁ ବେଶ କିଟିମିଟିଆ ହୋଇଗଲା । ବେଶ ନିମ୍ନ ହୋଇଗଲା । ଯେଉଁମାନେ ପାଠଶାଠ ପାଢି ଗାଁ ଲୋକଙ୍କୁ ଖେଳ କି ଡ୍ରାମା ଆଦି ଆୟୋଜନ କରି ବାନ୍ଧି ରଖିଥିଲେ, ସେମାନଙ୍କ ସ୍ଥାନ-ଅତି ଛୋଟ, ଅପାଠୁଆ, ଦଳେ ମୂର୍ଖ କୁଜି ନେତା ନେଇଗଲେ । ସେମାନଙ୍କୁ ତ ଏକାଠି କରିବାର ଉପାୟ ଜଣାନାହିଁ । ଭାଙ୍ଗିବାର ଉପାୟଟି ମାଲୁମ । ତେଣୁ ସେମାନେ ଗାଁର ଘର ଘରକୁ ଏ ଦଳ, ସେ ଦଳରେ ଭାଗ କରିଦେଲେ । ମଦ, ପଇସା, ମାଂସ ଭୋଜି ଦେଇ ନିଜ ପତିଆରା ବଢେଇବାର ପ୍ରୟାସ କଲେ । ଏବଂ ସଫଳ ମଧ୍ୟ ହୋଇଛନ୍ତି ।
ଗାଁର ପୁରୁଣା ଦିନର ଡ୍ରାମାର କାହାଣୀ ଖାଲି ଗପରେ ଏବେ ଜୀଇଁଛି । ଯୋଉମାନେ ବି ଅଛନ୍ତି ଭଲ ଲୋକ, ଏତେ କଦର୍ଯ୍ୟ ରାଜନୀତିର ପରିବେଶ ଭିତରେ ସେମାନେ ଆଉ ମୁଣ୍ଡ ପୁରେଇବାକୁ ଚାହୁଁ ନାହାନ୍ତି । ଫଳରେ ଅସରପା ପରି ଅତି କୁଜି ନେତାଙ୍କ ରାଜୁତି ଚାଲିଛି । ସେମାନେ ବରଂ ଗାଁରେ ଆପଣା ଡ୍ରାମା ଚଳେଇଛନ୍ତି ।
ମୋ ଗାଁ ରାଜନୀତିରେ ଗୋଳେଇ ହୋଇ ଆପଣା ସଂସ୍କୃତି ଓ ଇତିହାସକୁ ଭୁଲିଛି ।
(ଡ. ଜ୍ୟୋତି ପ୍ରକାଶ ମହାପାତ୍ର ଦୀର୍ଘ ବର୍ଷର ସକ୍ରିୟ ସାମ୍ବାଦିକତା ପରେ ସାମ୍ବାଦିକତା ଶିକ୍ଷା କ୍ଷେତ୍ରକୁ ଆସିଥିଲେ । ଢ଼େଙ୍କାନାଳଠାରେ ଥିବା ଭାରତୀୟ ଜନସଂଚାର ସଂସ୍ଥାନରେ ସେ ସହକାରୀ ପ୍ରଫେସର ଭାବେ ଏବେ କାର୍ଯ୍ୟ କରୁଛନ୍ତି । ତାଙ୍କୁ jpm.iimc@gmail.com ରେ ଯୋଗାଯୋଗ କରିହେବ)