ଭୁବନେଶ୍ୱର: ଡାକ୍ତର ଦାମୋଦର ରାଉତ ଏଣିକି ଟିଭି କ୍ୟାମେରା ଦେଖିଲେ ଏଣୁତେଣୁ ଗପି ନ ପାରନ୍ତି । ବିଜେଡ଼ି କି ସୁପ୍ରିମୋଙ୍କ କାର୍ଯ୍ୟକଳାପକୁ ଅଙ୍ଗୁଳି ଉଠାଇ ଢ଼ଗ ଛାଡ଼ି ନ ପାରନ୍ତି । ତୁଣ୍ଡରେ ବାଡ଼ବତା ନ ଥିବା ଦାମଙ୍କ ପାଇଁ ଏକ ମହୌଷଧି ଛାଡ଼ିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ସେ ବିଧିବଦ୍ଧ ଭାବେ ଦଳୀୟ ଫୋରମ୍ କୁ ଆଣି ଉଚ୍ଚ ପଦବୀ ଦେଇଛନ୍ତି । ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଭାବେ ଆଜି ତାଙ୍କୁ ନିଯୁକ୍ତ କରିଛନ୍ତି । ନିଜର ଉତ୍ତରାଧିକାରୀ ଭାବେ ପୁଅ ସମ୍ବିତଙ୍କୁ ଥଇଥାନ କରିବାକୁ ଦାମ ମନ କରିଥିବା ପୂର୍ବରୁ ଚର୍ଚ୍ଚା ହେଉଥିଲା । ହେଲେ ନିଜର କାର୍ଯ୍ୟକଳାପ ସକାଶେ ପୁଅର ଭବିଷ୍ୟତ ଆଶଙ୍କାରେ ଥିଲା । ମଝିରେ ମଝିରେ ଟିଭି ଆଗରେ ଦାମଙ୍କ ବିଜେଡ଼ି ବିରୋଧୀ କଟୁକ୍ତି ଏହି ଆଶଙ୍କାକୁ ମଜବୁତ କରୁଥିଲା । ମାତ୍ର ସେହି ଆଶଙ୍କା ଦୂର ହୋଇଛି । ଦାମଙ୍କୁ ଖୁସି ରଖି ତାଙ୍କ ତୁଣ୍ଡ ବନ୍ଦ କରିବାକୁ ନବୀନ ଶେଷରେ ଚାଲ୍ ଖେଳିଛନ୍ତି ।
ନିଜର ତୁଣ୍ଡ ପାଇଁ ମନ୍ତ୍ରୀପଦ ହରାଇଥିବା ଦାମଙ୍କର ଏବେ ଦଳରେ ଅସ୍ତିତ୍ୱ ନାହିଁ କହିଲେ ଚଳେ । ମନ୍ତ୍ରୀପଦ ସାଙ୍ଗକୁ ଦଳର ଉପସଭାପତି ଓ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ତାଙ୍କୁ ହଟାଇ ଦିଆଯାଇଛି । ନିଜର ଏଭଳି ଅବସ୍ଥା ପାଇଁ ସେ ଯେତିକି ବିଚଳିତ ନ ଥିଲେ ପୁଅ ସମ୍ବିତଙ୍କ ଭବିଷ୍ୟତ ତାଙ୍କୁ ଅଧିକ ବିଚଳିତ କରୁଥିଲା । ତେବେ ଗତ ଡିସେମ୍ବର ୨୬ ପୁରୀରେ ଅନୁଷ୍ଠିତ ଦଳର ପ୍ରତିଷ୍ଠା ଦିବସ ଅବସରରେ ସମ୍ବିତ ଦଳର ମୁଖିଆଙ୍କ ଦୃଷ୍ଟି ଆକର୍ଷଣ ପାଇଁ ବେଶ୍ କସରତ୍ କରିଥିଲେ । ପାରାଦ୍ୱୀପରୁ ହଜାର ହଜାର କର୍ମୀଙ୍କୁ ସାଙ୍ଗରେ ପୁରୀ ନେଇ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ଦଳ ବିରୋଧରେ ପାଟି ନ ଖୋଲିବାକୁ ବାପାଙ୍କୁ ସେ ବାରମ୍ବାର ତାଗିଦ୍ ମଧ୍ୟ କରୁଥିଲେ । ହେଲେ ଟଭି କ୍ୟାମେରା ଦେଖିଲେ ବାପାଙ୍କ ତୁଣ୍ଡରେ ବ୍ରେକ୍ ରହୁ ନ ଥିବାରୁ ସମ୍ବିତ ବିରକ୍ତ ହେଉଥିଲେ । ଏହାକୁ ନେଇ ତାଙ୍କ ପରିବାରରେ କୁଆଡ଼େ ଅଶାନ୍ତି ସୃଷ୍ଟି ହୋଇଥିଲା । ବାପାଙ୍କ ସ୍ୱଭାବ ବଦଳାଇବାରେ ବିଫଳ ସମ୍ବିତ ଅଭିମାନରେ କଥାବାର୍ତ୍ତା ବନ୍ଦ କରିଦେଇଥିବା ତାଙ୍କ ବନ୍ଧୁ ମହଲରୁ ଜଣାପଡ଼ିଛି । ତେବେ ସେ ଯାହା ହେଉ, ପୁଅଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ସ୍ମଲ୍ ପ୍ୟାକେଜ୍ ଦାମଙ୍କ ପାଟି ଚୁପ୍ କରାଇବାରେ ନିଶ୍ଚିତ ସହାୟକ ହେବ ବୋଲି କୁହାଯାଉଛି ।
ନବୀନ ନିବାସ ସୂତ୍ରର ଖବର ଅନୁଯାୟୀ, ସାଧାରଣ ନିର୍ବାଚନକୁ ଆଖିରେ ରଖି ମୁଖ୍ୟମନ୍ତ୍ରୀ ଏବେ ଦଳକୁ ସଜାଡ଼ିବା କାମରେ ନିଜେ ସିରିୟସ୍ ହୋଇଛନ୍ତି । ସେ କେତେବେଳେ କେଉଁ ନିଷ୍ପତ୍ତି ନେଉଛନ୍ତି ତାହାର ସୁରାକ୍ ମିଳୁନାହିଁ । ଦଳ ପାଇଁ ଆସେଟ୍ ଭାବୁଥିବା ନେତାଙ୍କୁ ଉତ୍ସାହିତ କରିବାକୁ ଗୁଡ଼ାଏ ଯୋଜନା ହାତକୁ ନେଇଛନ୍ତି । ବିଜେପୁରରେ ଦଳକୁ ବିରାଟ ବ୍ୟବଧାନରେ ବିଜୟର ଟୀକା ପିନ୍ଧାଇବାର ଶ୍ରେୟ ଯାଉଥିବା ମନ୍ତ୍ରୀ ନିରଂଜନ ପୂଜାରୀ, ସୁଶାନ୍ତ ସିଂ ଓ ପ୍ରଫୁଲ୍ଲ ମଲ୍ଲିକଙ୍କୁ ସେ ଗୁରୁତ୍ୱପୂର୍ଣ୍ଣ ବିଭାଗର ଅତିରିକ୍ତ ଦାୟିତ୍ୱ ଦେଇ ପୁରସ୍କୃତ କରିଛନ୍ତି । ବିଜୟର ଶ୍ରେୟ ରଖିଥିବା ୪ ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ଡ. ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ ଏବଂ ସଂଜୟ ଦାସବର୍ମାଙ୍କୁ ମଧ୍ୟ ସେ ପୁରସ୍କୃତ କରି ଅଧିକ ଉତ୍ସାହିତ କରିବାକୁ ଯୋଜନା କରିଥିବା କୁହାଯାଉଛି । ଆଗକୁ ମନ୍ତ୍ରୀମଣ୍ଡଳ ଅଦଳବଦଳ କରି ମୁଖ୍ୟମନ୍ତ୍ରୀ ଏହି ୪ ଯୁବନେତାଙ୍କୁ ପୁଣି ମନ୍ତ୍ରୀ ପଦ ଫେରାଇ ପାରନ୍ତି ବୋଲି ଚର୍ଚ୍ଚା ବଢ଼ିବାରେ ଲାଗିଛି ।