ଭୁବନେଶ୍ୱର: ବାଲିଅନ୍ତା ମବ୍ ଲିଞ୍ଚିଂର ଶିକାର ସୌମ୍ୟରଞ୍ଜନ ସ୍ୱାଇଁଙ୍କ ବାପା ଓ ମା’ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିବାକୁ ଆସିଥିଲେ । ମାତ୍ର ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଉଭୟଙ୍କୁ ବୁଝାଇ ଫେରାଇ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଭେଟିବାକୁ ୪ରୁ ୮ ଦିନ ସମୟ ଦିଆଯାଇଛି । ଏହା ଭିତରେ ମୁଖ୍ୟମନ୍ତ୍ରୀ ଦେଖା କରିବାକୁ ଡାକିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ସୌମ୍ୟ ହତ୍ୟାକାଣ୍ଡକୁ ୨୫ ଦିନ ପୂରିବାକୁ ଯାଉଥିଲା ବେଳେ ନ୍ୟାୟ ମାଗୁଛନ୍ତି ତାଙ୍କର ବାପା ମା’ । କ୍ରାଇମବ୍ରାଞ୍ଚ କାର୍ଯ୍ୟାନୁଷ୍ଠାନରେ ସେମାନେ ସନ୍ତୁଷ୍ଟ ନାହାନ୍ତି । ଷଡ଼ଯନ୍ତ୍ରକାରୀ ଖସି ଯାଉଛନ୍ତି ବୋଲି ସେମାନଙ୍କର ଅଭିଯୋଗ । ସୌମ୍ୟଙ୍କୁ ତିଳ ତିଳ କରି ମାରିଥିବା ସମସ୍ତ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସେମାନେ ଦାବି କରୁଛନ୍ତି । ଇତିମଧ୍ୟରେ ଏହି ଘଟଣାରେ ୧୭ ଜଣ ଗିରଫ ହୋଇଛନ୍ତି ଏବଂ ଆଉ ୧୦ ଜଣଙ୍କୁ ଚିହ୍ନଟ କରାଯାଇ ସାରିଛି ବୋଲି କ୍ରାଇମବ୍ରାଞ୍ଜ ଡିଆଇଜି ସୂଚନା ଦେଇଥିଲେ ମଧ୍ୟ ସୌମ୍ୟଙ୍କ ବାପା ମା’ ଏବଂ ଗ୍ରାମବାସୀଙ୍କୁ ତାହା ସନ୍ତୁଷ୍ଟ କରିପାରି ନାହିଁ ।
ଆଜି ସେମାନେ ଭୁବନେଶ୍ୱର ଆସି ଲୋୟର ପିଏମଜି ଗାନ୍ଧୀ ମାର୍ଗରେ ଧାରଣାରେ ବସିଥିଲେ । ସୌମ୍ୟଙ୍କ ମା’ କାନ୍ଦି କାନ୍ଦି ଗଡ଼ୁଥିଲେ । କାନି ପତାଇ ସରକାରଙ୍କୁ ନ୍ୟାୟ ମାଗୁଥିଲେ । ଏହି ଦୃଶ୍ୟ ଦେଖଣାହାରୀଙ୍କ ଆଖିରେ ଲୁହ ଭରି ଦେଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଭେଟି ସ୍ମାରକପତ୍ର ଦେବାକୁ ସୌମ୍ୟଙ୍କ ବାପା ମା ଓ ସମ୍ପର୍କୀୟ ଚାହିଁଥିଲେ । ସୁରକ୍ଷା କର୍ମୀମାନେ ସେମାନଙ୍କୁ ପୁଲିସ ଗାଡ଼ିରେ ବସାଇ ଲୋକସେବା ଭବନ ନେଇଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନ ପାରି ନିରାଶରେ ଫେରିଥିଲେ । ପ୍ରତିଶ୍ରୁତି ଅନୁଯାୟୀ, ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଭେଟି ଅଭିଯୋଗର ସମାଧାନ ନ କଲେ ଆତ୍ମାହୂତି ଦେବାକୁ ସୌମ୍ୟଙ୍କ ବାପା ମା’ ଚେତାବନୀ ଦେଇଛନ୍ତି ।