ଭୁବନେଶ୍ୱର: ରାଜ୍ୟରେ ବୟସ୍କ, ଭିନ୍ନକ୍ଷମ ଓ ବିଧବାମାନଙ୍କୁ ଦୁଇ ମାସ ହେଲା ଭତ୍ତା ମିଳୁନି । ଗରିବ ଅସହାୟମାନେ ଦହନୀୟ ଭାବେ ଜୀବନ କାଟୁଛନ୍ତି । ବିଜେପି ସରକାର ଆସିବା ଦିନଠାରୁ ସେମାନଙ୍କର ଦୁର୍ଦ୍ଦଶା ପଡ଼ିଛି । ଭତ୍ତା ପାଇବା ପାଇଁ ପଞ୍ଚାୟତ ଅଫିସ, ବ୍ୟାଙ୍କ ଆଗରେ ଧାଡ଼ିରେ ଛିଡ଼ା ହେବାକୁ ପଡୁଛି । ଖରା, ବର୍ଷା, ଶୀତରେ କଲବଲ ହେଉଛନ୍ତି । ବୟସ୍କ, ଭିନ୍ନକ୍ଷମ ଓ ବିଧବାମାନଙ୍କୁ ସାମାଜିକ ସୁରକ୍ଷା ଦେବାରେ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ବିଫଳ ବୋଲି ଆଜି ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସମାଲୋଚନା କରାଯାଇଛି ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ଼ ଅରୁଣ ସାହୁ, ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଓ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ କହିଛନ୍ତି ଯେ, ବିଜେପି ସରକାରକୁ ଆସିବା ପରେ ସବୁ କ୍ଷେତ୍ରରେ ଲୋକଙ୍କୁ ଧାଡ଼ିରେ ଛିଡ଼ା କରାଉଛି । ବୟସ୍କଙ୍କୁ ଧାଡ଼ିରେ ଛିଡ଼ା କରାଇ ସରକାର ତାଙ୍କୁ ଯେଉଁ ଯନ୍ତ୍ରଣା ଦେଉଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ।
ଡ଼ ସାହୁ କହିଥିଲେ, ଡିଜିଟାଲ ଇଣ୍ଡିଆର ବାହାବାହା ନେଉଥିବା ଡବଲ ଇଞ୍ଜିନ ସରକାର ଅସହାୟ ମାନଙ୍କୁ ଆକାଉଣ୍ଟ ମାଧ୍ୟମରେ କି ଘର ପାଖରେ ଭତ୍ତା ଦେଇପାରୁନି । ସରକାରୀ ସ୍କୁଲ ଛାତ୍ରଛାତ୍ରୀ ୟୁନିଫର୍ମ ପାଇପାରୁ ନାହାନ୍ତି । ସରକାରୀ କର୍ମଚାରୀ ଠିକ୍ ସମୟରେ ଦରମା ପାଉନାହାନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଘରେ ଭତ୍ତା ପହଞ୍ଚାଇବାର ବ୍ୟବସ୍ଥା କରିଥିଲେ । କିନ୍ତୁ ବର୍ତ୍ତମାନର ବାହାପିଆ ବିଜେପି ସରକାର ବୟସ୍କଙ୍କୁ ଖର୍ଚ୍ଚାନ୍ତ କରାଇ ଧାଡ଼ିରେ ଛିଡ଼ା କରାଉଛନ୍ତି ।
ଶ୍ରୀମତୀ ମଲ୍ଲିକ କହିଥିଲେ, ପ୍ରଚାର ସର୍ବସ୍ୱ ରାଜ୍ୟ ସରକାର ନବୀନ ବାବୁଙ୍କ ସବୁ ଯୋଜନାର ରଙ୍ଗ ଓ ନାମ ପରିବର୍ତ୍ତନ କରିଚାଲିଛନ୍ତି । ପ୍ରତି ମାସର ୧୫ ତାରିଖ ପୂର୍ବରୁ ହିତାଧିକାରୀ ମାନଙ୍କ ଘରେ ଭତ୍ତା ପହଞ୍ଚାଇବାର ଯେଉଁ ବ୍ୟବସ୍ଥା ନବୀନ ବାବୁ କରିଥିଲେ, ସେ ବ୍ୟବସ୍ଥାକୁ ସରକାର ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି । ନବୀନ ବାବୁ ଭତ୍ତାର ପରିମାଣ ୩୦୦ ଟଙ୍କାରୁ ବୃଦ୍ଧି କରି ୧୦୦୦ ଟଙ୍କା କରିଥିଲେ । ମଧୁବାବୁ ପେନସନ ଯୋଜନାରେ ୧୨ ଲକ୍ଷରୁ ୩୮ ଲକ୍ଷ ଲୋକଙ୍କୁ ସାମିଲ କରିଥିଲେ । କିନ୍ତୁ ବିଜେପି ସରକାର କ୍ଷମତାକୁ ଆସିଲା ପରେ ବୟସ୍କ ମାନଙ୍କୁ ଏଭଳି ଡହଳବିକଳ କରି କି ଆନନ୍ଦ ପାଉଛନ୍ତି ବୋଲି ପ୍ରଶ୍ନ କରିଥିଲେ ।
ଶ୍ରୀ ଦାସ କହିଥିଲେ, ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ପ୍ରତିଟି ଜୀବନ ମୂଲ୍ୟବାନ । ପ୍ରତ୍ୟେକ ମଣିଷର ବଞ୍ଚିବାର ଅଧିକାର ଅଛି । ତାଙ୍କ ଶାସନ ସମୟରେ ହୋଇଥିବା ବିଭିନ୍ନ ଯୋଜନା ମଧ୍ୟରୁ ଏକ ଉଲ୍ଲେଖନୀୟ ଯୋଜନା ହେଲା ମଧୁବାବୁ ପେନସନ ଯୋଜନା । କିନ୍ତୁ ଯେବେଠୁ ବିଜେପି ସରକାରକୁ ଆସିଛି, ସେବେଠୁ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ, ବିଧବା ଓ ଅସହାୟ ମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ପଞ୍ଚାୟତ ଅଫିସ୍, ବ୍ୟାଙ୍କ ଆଗରେ ଯେଉଁପରି ଅସହାୟ ଅବସ୍ଥାରେ ହିତାଧିକାରୀ ବସୁଛନ୍ତି ତାହା ସମଗ୍ର ରାଜ୍ୟବାସୀଙ୍କୁ ବିଚଳିତ କରୁଛି । ଏ ସରକାର ପାଖରେ ସମ୍ବେଦନଶୀଳତା ବୋଲି କିଛି ନାହିଁ । ଲାଗୁଛି ସରକାର ଏବେ ଦେବାଳିଆ ହୋଇଗଲେଣି । ୨୦୦୦ ମସିହା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ଦରମା ଦେବା ପାଇଁ ତତ୍କାଳୀନ ସରକାର ଓଭରଡ୍ରାଫ୍ଟ କରୁଥିଲେ । ବର୍ତ୍ତମାନ ତାହାର ପୁନରାବୃତ୍ତି ଘଟିବାକୁ ଯାଉଛି । ବୟସ୍କଙ୍କୁ ଧାଡ଼ିରେ ଛିଡ଼ା କରାଇ ଯନ୍ତ୍ରଣା ଦେଉଥିବା ଏ ସରକାରକୁ ଆଗାମୀ ଦିନରେ ଓଡ଼ିଶାବାସୀ ଉଚିତ୍ ଜବାବ ଦେବେ ।