ଭୁବନେଶ୍ୱର: ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କ aide-de-camp(ଏଡିସି) ଭାବେ ଅନନ୍ୟା ଅବସ୍ଥୀ ନିଯୁକ୍ତି ପାଇଛନ୍ତି । ଏହି ସମ୍ମାନଜନକ ପଦବୀରେ ଜଣେ ମହିଳା ଆଇପିଏସ୍ ଙ୍କୁ ପ୍ରଥମ ଥର ପାଇଁ ସୁଯୋଗ ମିଳିଛି । ଆଜି ଲୋକ ଭବନରେ ଔପଚାରିକ ଭାବେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜ୍ୟପାଳଙ୍କ ସମେତ ଲୋକ ଭବନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
୨୦୨୨ ବ୍ୟାଚ୍ ର ଆଇପିଏସ୍ ଅଧିକାରୀ ଅନନ୍ୟା ଏହାପୂର୍ବରୁ କଟକ(ୟୁପିଡି)ରେ ଏସିପି ଭାବେ କାର୍ଯ୍ୟ କରୁଥିଲେ । ଜଣେ ଦକ୍ଷ ପୁଲିସ ଅଫିସର ଭାବେ ସେ ନିଜକୁ ପ୍ରତିପାଦିତ କରିଛନ୍ତି । ୨୦୨୧ ବ୍ୟାଚ୍ ଆଇପିଏସ୍ କୁଲଦୀପ ମୀନାଙ୍କ ଜାଗାରେ ସେ ଏଡିସି ଦାୟିତ୍ୱଭାର ନେଇଛନ୍ତି । ରାଜ୍ୟପାଳଙ୍କ ପ୍ରତିଟି କାର୍ଯ୍ୟକ୍ରମର ତଦାରଖ, ସୁରକ୍ଷା, ପ୍ରୋଟୋକଲ୍ ଆଦି ଏଡିସିଙ୍କ ଉପରେ ନ୍ୟସ୍ତ ଥିବାରୁ ଏହି ପଦବୀର ଯଥେଷ୍ଟ ଗୁରୁତ୍ୱ ଓ ସମ୍ମାନ ରହିଛି । ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ରାଜ୍ୟପାଳଙ୍କ ଏଡିସି ଭାବେ ଜଣେ ମହିଳା ଅଧିକାରୀଙ୍କୁ ଦେଖିବାକୁ ମିଳିଛି ।