ଭୁବନେଶ୍ୱର: ରାଜ୍ୟର ବୟସ୍କ, ଭିନ୍ନକ୍ଷମ ଓ ବିଧବାମାନଙ୍କୁ ଦୁଇ ମାସ ହେଲା ଭତ୍ତା ମିଳୁନି । ହିତାଧିକାରୀମାନଙ୍କୁ ସାମାଜିକ ସୁରକ୍ଷା ଦେବାରେ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ବିଫଳ ବୋଲି ଚାରିଆଡୁ ସମାଲୋଚନା ହେଉଛି । ଏହା ସତ୍ତ୍ୱେ ବିଭାଗୀୟ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କର ଉତ୍ତରଦାୟିତ୍ୱ ନାହିଁ କି ପ୍ରତିକ୍ରିୟା ନାହିଁ । ଅଥଚ ନିଜ ଆଡୁ ଏହାର ଉତ୍ତରଦାୟିତ୍ୱ ନେଇଛନ୍ତି ସରକାରୀ ଦଳର ସଭାପତି ମନମୋହନ ସାମଲ ।
ଆଜି ଗଣମାଧ୍ୟମ ପ୍ରତିନିଧିମାନେ ଏ ସମ୍ପର୍କରେ ମନମୋହନଙ୍କୁ ପ୍ରଶ୍ନ କରିବାରୁ ସେ ରାଜ୍ୟରେ ଦୁଇ ମାସ ଧରି ଲାଗି ରହିଥିବା ଭତ୍ତା ସମସ୍ୟାକୁ ଠାଏ ଠାଏ ମାନି ଯାଇଥିଲେ । ବୟସ୍କ, ଭିନ୍ନକ୍ଷମ ଓ ବିଧବାମାନଙ୍କୁ ଦୁଇମାସ ହେଲା ଭତ୍ତା ମିଳିନି । ତେବେ ୧୫ ଦିନରେ ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ଆଶ୍ୱାସନା ଦେଇଛନ୍ତି । ସେ କହିଛନ୍ତି, ନୂଆ ସଫ୍ଟୱୟାର ଯୋଗୁଁ ଦୁଇ ମାସ ଧରି ଭତ୍ତା ଦେବାରେ ବ୍ୟତିକ୍ରମ ଦେଖାଦେଇଛି । ଯେଉଁମାନେ କ୍ୟାସ୍ ଆକାରରେ ଭତ୍ତା ପାଉଥିଲେ ସେମାନଙ୍କର ସମସ୍ୟା ହୋଇନି । ମାତ୍ର ଯେଉଁମାନଙ୍କ ଅନଲାଇନ୍ ରେ ଭତ୍ତା ଯାଉଛି, ସେମାନଙ୍କର ସମସ୍ୟା ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ସଫ୍ଟୱୟାର ଡେଭଲପ୍ କାମ ଚାଲିଛି । କେନ୍ଦ୍ର ଓ ରାଜ୍ୟ ଯୁଗ୍ମ ଭାବେ ଭତ୍ତା ଦେବା ପାଇଁ ବ୍ୟବସ୍ଥା କରୁଛନ୍ତି । ଯେଉଁମାନଙ୍କୁ ଭତ୍ତା ମିଳିନି ସେମାନେ ଏକକାଳୀନ ପାଇବେ ବୋଲି ଶ୍ରୀ ସାମଲ କହିଛନ୍ତି ।
ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କର କିନ୍ତୁ ଦେଖା ନାହିଁ । ଯେମିତି ତାଙ୍କର କିଛି ଉତ୍ତର ଦାୟିତ୍ୱ ନାହିଁ । ରାଜ୍ୟ ସଭାପତିଙ୍କ କଥା ସତ ହେଲେ ଜୁନ୍ ୧୫ ସୁଦ୍ଧା ବୟସ୍କ, ଭିନ୍ନକ୍ଷମ ଓ ବିଧବାମାନଙ୍କୁ ମିଳିଯିବ ବକେୟା ସରକାରୀ ଭତ୍ତା ।
ସୂଚନାଥାଉକି, ଗତକାଲି ବିଜେଡି ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ କଟୁ ସମାଲୋଚନା କରିଥିଲା । ବିଜେପି ସରକାର ଆସିବା ପରଠାରୁ ବୟସ୍କ, ଭିନ୍ନକ୍ଷମ ଓ ବିଧବାମାନଙ୍କୁ ଦୁର୍ଦ୍ଦଶା ପଡ଼ିଛି । ଦୁଇ ମାସ ହେଲା ଭତ୍ତା ମିଳୁ ନ ଥିବାରୁ କଷ୍ଟରେ ଜୀବନ କାଳାତିପାତ କରୁଛନ୍ତି । ଖାଲି ସେତିକି ନୁହେଁ ଭତ୍ତା ପାଇବା ପାଇଁ ପଞ୍ଚାୟତ ଅଫିସ, ବ୍ୟାଙ୍କ ଆଗରେ ଧାଡ଼ିରେ ଛିଡ଼ା ହେବାକୁ ପଡୁଛି । ଖରା, ବର୍ଷା, ଶୀତରେ କଲବଲ ହେଉଛନ୍ତି । ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଦେବାରେ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ବିଫଳ ବୋଲି ବରିଷ୍ଠ ନେତା ଡ. ଅରୁଣ ସାହୁ, ପ୍ରମିଳା ମଲ୍ଲିକ ଏବଂ ବିଧାୟକ ଗୌତମ ବୁଦ୍ଧ ଦାସ କହିଥିଲେ ।






