ଭୁବନେଶ୍ୱର: ଗୁଜୁରାଟ ନିର୍ବାଚନ ଫଳାଫଳରେ ଓଡ଼ିଶାର ସଭିଏଁ ନେତା ଖୁସ୍ । ଖାଲି ବିଜେପି ନୁହେଁ, ବିଜେଡ଼ି ଓ କଂଗ୍ରେସକୁ ମଧ୍ୟ ବଳ ହୋଇଛି ଗୁଜୁରାଟ ଫଳ । ନିର୍ବାଚନ ଫଳ ଏମିତି ହୋଇଛି ଯେ ସେଥିରେ କାହାର ମନ ଦୁଃଖ ହୋଇନି । ବିଜେପି ସ୍ୱାଭାବିକ ଭାବେ ଉତଫୁଲ୍ଲିତ ହୋଇଥିଲା ବେଳେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଉପରେ କଂଗ୍ରେସର ଭରସା ବଢ଼ିଛି । ବିଜେଡ଼ି ବି ବିଜେପିର କୁସ୍ତି କସରତ୍ କୁ ଡରିଯାଇନି । ଓଲଟି ଅମିତ୍ ଶାହାଙ୍କ ୧୨୦ ପ୍ଲସ୍ ର ଗଣିତ ଉପରୁ ଆଶଙ୍କା ହଟାଇଛି । ଶାହା ପବନରେ କଥା ଉଡ଼ାନ୍ତି ବୋଲି ଆଗରୁ ବିହାର ଏବଂ ଏବେ ଗୁଜୁରାଟରେ ପ୍ରମାଣିତ ହୋଇଥିବା ବିଜେଡ଼ି ନେତାମାନେ ଦାବି କରିଛନ୍ତି । ଓଡ଼ିଶାରେ ଗୁଜୁରାଟ ନିର୍ବାଚନର ପ୍ରଭାବ ନିଶ୍ଚିତ ପକାଇବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବକ୍ତବ୍ୟକୁ ସେମାନେ ବାଏଁ ବାଏଁ ଉଡ଼ାଇଛନ୍ତି । ଓଡ଼ିଶାରେ ନବୀନ ବ୍ରାଣ୍ଡ ଆଗରେ ମୋଦି ବ୍ରାଣ୍ଡ ଫିକା ପଡ଼ିଯିବ ବୋଲି ଚାଲେଂଜ ଦେଇଛନ୍ତି ।
ଗୁଜୁରାଟ ନିର୍ବାଚନ ଫଳ ଓଡ଼ିଶା ଉପରେ କି ପ୍ରଭାବ ରଖିବ ? ଚା ଖଟିଠାରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ସବୁଠି ଏହି ଚର୍ଚ୍ଚା । ରାଜନୈତିକ ମହଲରେ ବି ଏହାକୁ ନେଇ ଭିନ୍ନ ଭିନ୍ନ ଆଲୋଚନା । ତେବେ ଗୁଜୁରାଟରେ କ୍ରମାଗତ ଭାବେ ଷଷ୍ଠଥର ପାଇଁ ବିଜେପି କ୍ଷମତାକୁ ଫେରିଥିଲେ ମଧ୍ୟ ଦଳର ନୈତିକ ପରାଜୟ ହୋଇଥିବା ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଅଙ୍କ ଦେଖିଲେ, ୨୦୧୨ ବିଧାନସଭା ନିର୍ବାଚନରେ ବିଜେପି ୪୮.୩ ପ୍ରତିଶତ ଭୋଟ ସହ ୧୧୫ ଆସନ ପାଇଥିଲା । କଂଗ୍ରେସ ୪୦.୫୦ ପ୍ରତିଶତ ଭୋଟ ସହ ୬୧ ଆସନ ପାଇଥିଲା । ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ୬୦ ପ୍ରତିଶତ ଭୋଟ ସହ ୨୬ଟି ଯାକ ଆସନ ପୋଛି ନେଇଥିଲା । ଏଥର ବିଧାନସଭା ନିର୍ବାଚନରେ ବିଜେପି ୧ ପ୍ରତିଶତରୁ ସାମାନ୍ୟ ଅଧିକ ଭୋଟ ପାଇଥିଲେ ମଧ୍ୟ ଗତଥର ତୁଳନାରେ ୧୬ଟି ଆସନ ହରାଇଛି । ସେହିଭଳି ଗତଥର ତୁଳନାରେ କଂଗ୍ରେସର ଭୋଟ ପ୍ରତିଶତ ମଧ୍ୟ ବଢ଼ି ୪୧.୪ ପ୍ରତିଶତ ହୋଇଛି । ଆଉ ୧୯ ଟି ଆସନ ଅଧିକ ପାଇଛି । ୨୦୧୪ ଲୋକସଭା ନିର୍ବାଚନକୁ ତୁଳନା କଲେ କଂଗ୍ରେସ ସେଥିରେ ମାତ୍ର ୩୫ ପ୍ରତିଶତ ଭୋଟ ପାଇଥିଲା । ଅର୍ଥାତ୍ ଲୋକସଭା ତୁଳନାରେ ଏଥର ବିଧାନସଭାରେ କଂଗ୍ରେସର ଭୋଟ ହାର ୬ ପ୍ରତିଶତ ବଢ଼ିଛି ।
ଏହି ହିସାବକୁ ଅନୁମାନ କଲେ କଂଗ୍ରେସ ପାଇଁ ସ୍ଥିତିରେ ଉନ୍ନତି ହୋଇଛି । କ୍ଷମତାଚଉକି କଥା ଦେଖିଲେ କଂଗ୍ରେସର ବି ମନଦୁଃଖ ହୋଇନି । କାରଣ ଗୁଜୁରାଟରେ କଂଗ୍ରେସ ଆଦୌ ସଂଗଠିତ ନ ଥିଲା । ନେତା ଓ ନେତୃତ୍ୱ କାହାରି ଠିକ୍ ଠିକଣା ନ ଥିଲା । ମାତ୍ର ୪ ମାସ ପୂର୍ବରୁ ରାହୁଲ ଗାନ୍ଧୀ ଗୁଜୁରାଟ ନିର୍ବାଚନ କସରତ୍ ଆରମ୍ଭ କରିଥିଲେ । ନିଜର ଶକ୍ତି ସାମର୍ଥ ଖଟାଇ ଲାଗିପଡ଼ିଥିଲେ । ହେଲେ ଭାଙ୍ଗି ରହିଥିବା ଦଳକୁ ସଜାଡ଼ି ନିର୍ବାଚନ ବୈତରଣୀ ପାର୍ ହେବା ତାଙ୍କ ପାଇଁ କଷ୍ଟକର ଥିଲା । ରାଜନୈତିକ ମହଲର କହିବା କଥା, ରାହୁଲ ଏକା ଏକା ଲଢ଼େଇ କରି କାଣ୍ଟେ କା ଟକ୍କର ଦେଇଛନ୍ତି ବିଜେପିକୁ । ୮୦ ଟି ଆସନରେ କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇ ଆଣିଛନ୍ତି । ସାରା ଭାରତର କଂଗ୍ରେସ ନେତା ଓ କର୍ମୀଙ୍କୁ ଏହା ବଳ ଦେଇଥିବା କୁହାଯାଉଥିବା ବେଳେ ଓଡ଼ିଶାରେ କଂଗ୍ରେସ ନେତାମାନେ ଏହାକୁ ସ୍ୱୀକାର କରିଛନ୍ତି ।
ସେପଟେ ୨୨ ବର୍ଷ ଧରି କ୍ଷମତାରେ ଥିବା ବିଜେପି ପାଇଁ ସରକାର ବିରୋଧୀ ହାୱା ପ୍ରବଳ ଥିଲେ ମଧ୍ୟ ମୋଦି ବ୍ରାଣ୍ଡର ଆକର୍ଷଣ କମି ନ ଥିଲା । ନିଜ ମାଟିର ମଣିଷଙ୍କ ସହାନୁଭୂତିକୁ ସାଉଁଟି ରଖିବାକୁ ମୋଦି କୌଣସି ସୁଯୋଗ ହାତଛଡ଼ା କରି ନ ଥିଲେ । ଦଳବଳ ସହ ଦିଲ୍ଲୀ ଛାଡ଼ି ଗୁଜୁରାଟରେ ଡେରା ପକାଇଥିଲେ । ୩୬ ଟି ରାଲି ସହ ୩୨,୦୦୦ କିମି ବୁଲିଥିଲେ । ହିନ୍ଦୀ ଛାଡ଼ି ଗୁଜୁରାଟୀ ଭାଷାରେ ଭାଷଣ ଦେଇଥିଲେ । ଶାସନଗାଦି ରକ୍ଷା କରିବାକୁ ଶାସନକଳର ସମସ୍ତ ବଳ ଖଟାଇ ଦେଇଥିଲେ ମୋଦି । ଖାଲି ମୋଦି ନୁହଁନ୍ତି, ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା ବି ନିଜ ରାଜ୍ୟରେ ସମସ୍ତ ଶକ୍ତି ଖଟାଇଥିଲେ । ମାତ୍ର ସବୁପରେ ବି ୧୦୦କୁ ଛୁଆଁଇପାରିଲେନି ସଂଖ୍ୟା ।
ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ୍ ଶାହାଙ୍କ ଏତେ କସରତ୍ ପରେ ବି ଗୁଜୁରାଟରେ ଦଳ ଆଶାନୁରୂପକ ସଂଖ୍ୟା ନ ପାଇବା ଓଡ଼ିଶାରେ ବିଜେଡ଼ି ନେତାକୁ ଆଶ୍ୱସ୍ତ କରିଛି । ଖାସ୍ କରି ଅମିତ୍ ଶାହାଙ୍କ ୧୨୦ ପ୍ଲସ୍ ଗଣିତକୁ ସେମାନେ ଫୁତ୍ କହି ଉଡ଼ାଇ ଦେଇଛନ୍ତି । ନିଜ ରାଜ୍ୟ ଗୁଜୁରାଟରେ ୧୫୦ ଆସନର ଦମ୍ଭ ମାରୁଥିବା ଶାହାଙ୍କ ଦୁର୍ବଳ ଗଣିତ ବିଜେଡ଼ିବାଲାଙ୍କ ମନୋବଳ ବଢ଼ାଇଦେଇଛି । ଗୁଜୁରାଟର ଚିତ୍ରଠାରୁ ଓଡ଼ିଶାର ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । ଏଠି ନବୀନ ବ୍ରାଣ୍ଡ ଆଗରେ ମୋଦି ବ୍ରାଣ୍ଡ କାମ କରିବନି ବୋଲି ବିଜେଡ଼ି ମୁଖପାତ୍ରମାନେ କହିଛନ୍ତି ।
ଖାଲି ବିଜେଡ଼ି ନେତା ନୁହଁନ୍ତି ରାଜନୈତିକ ପର୍ଯବେକ୍ଷକମାନେ ମଧ୍ୟ ଶାହାଙ୍କ ମିଶନ୍ ୧୨୦ ପ୍ଲସ୍ ର ବାସ୍ତବତାକୁ ସନ୍ଦେହ କରିଛନ୍ତି । ‘ଅମିତ୍ ଶାହାଙ୍କ ଆକଳନ ଗୁଜୁରାଟ ଭଳି ଓଡ଼ିଶାରେ ବି ସଫଳ ହେବାକୁ ଯାଉନି । ଓଡ଼ିଶାରେ ବିଜେପି ୨୦ ସିଟ୍ ରୁ ଅଧିକ ପାଇବାର ଆଶା ନାହିଁ । ଶାହା ବାସ୍ତବତା ନ ବୁଝି ଫମ୍ଫା ଆୱାଜ୍ କରୁଛନ୍ତି । ଦଳରେ ନା ତାଙ୍କର କରିସ୍ମା ଅଛି ନା ତାଙ୍କ ପଛରେ ବିଜେପି ଭୋଟର ଅଛନ୍ତି । ମୋଦିଙ୍କ ପାଇଁ ଶାହା ନିଜକୁ ହୀରୋ କରାଇବାର କାରଣ ନାହିଁ’ ବୋଲି ବରିଷ୍ଠ ସାମ୍ବାଦିକ ତଥା ରାଜନୈତିକ ସମୀକ୍ଷକ ପ୍ରତାପ ମହାନ୍ତି କହିଛନ୍ତି । ଓଡ଼ିଶା ବିଜେପିରେ ବିଜୟ ମହାପାତ୍ର, ଦିଲ୍ଲୀପ ରାୟଙ୍କ ଭଳି ବରିଷ୍ଠ ନେତାଙ୍କୁ ଉପେକ୍ଷା କରାଯାଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଦାୟିତ୍ୱ ଛଡ଼ାଯିବା ମସ୍ତବଡ଼ ଭୁଲ୍ । ନବୀନ ପଟ୍ଟନାୟକଙ୍କର ସମକକ୍ଷ ନେତା ଧର୍ମେନ୍ଦ୍ର ନୁହଁନ୍ତି ଏବଂ ନବୀନଙ୍କ ତୁଳନାରେ ଧର୍ମେନ୍ଦ୍ରଙ୍କର ଆଦୌ ଗ୍ରହଣୀୟତା ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।






