ଭୁବନେଶ୍ୱର: ହୃଦଘାତ୍ ରେ ଗୁରୁତର ଅସୁସ୍ଥ ହୋଇଥିବା ଭେଟେରାନ୍ ବିଜୟ ମହାନ୍ତି ମେ ୨୭ ତାରିଖରୁ ହାଇଦ୍ରାବାଦର ଗ୍ଲୋବାଲ୍ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ । ସାମାନ୍ୟ ସୁସ୍ଥ ହେଲା ପରେ ନିଜ ମାଟି ଭୁବନେଶ୍ୱର ତାଙ୍କୁ ଟାଣି ଆଣିଛି । ଏକ ସ୍ୱତନ୍ତ୍ର ଆମ୍ବୁଲାନସ୍ ଯୋଗେ ଦିନ ପ୍ରାୟ ୧୨ଟା ବେଳେ ହାଇଦ୍ରାବାଦରୁ ବାହାରିଛନ୍ତି । ଆସନ୍ତାକାଲି(ରବିବାର) ପ୍ରାୟ ୧ ଟା ବେଳକୁ ଭୁବନେଶ୍ୱରରେ ପହଞ୍ଚିବେ ।
ହାଇଦ୍ରାବାଦ ଛାଡ଼ିବା ବେଳେ ଏହି ଭେଟେରାନ୍ ଙ୍କ ମୁହଁରେ ବେଶ୍ ଖୁସି ଦେଖିବାକୁ ମିଳିଥିଲା । ‘ହ୍ୟାଲୋ ମୁଁ ଭୁବନେଶ୍ୱର ଆସୁଛି’ ବୋଲି କ୍ୟାମେରା ଆଗରେ ହାତ ହଲାଇ ଖୁସି ଜାହିର କରିଛନ୍ତି । ଯାହା ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି ।
ହାଇଦ୍ରାବାଦରେ ଚିକିତ୍ସିତ ହେଉଥିବା ବିଜୟ ମହାନ୍ତି ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି । ଭୁବନେଶ୍ୱର କେୟାର୍ ହସ୍ପିଟାଲ୍ ରେ ତାଙ୍କର ଚିକିତ୍ସା ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି । ଭୁବନେଶ୍ୱରରୁ ଯାଇଥିବା ଏହି ସ୍ୱତନ୍ତ୍ର ଆମ୍ବୁଲାନସ୍ ରେ ଜଣେ ଡାକ୍ତର, ଜଣେ ଟେକନିସିଆନ୍ ଏବଂ ଦୁଇଜଣ ଡ୍ରାଇଭର ଅଛନ୍ତି । ସେଥିରେ ଜରୁରୀକାଳୀନ ଚିକିତ୍ସା ସୁବିଧା ରହିଛି ।