ନବୀନ-ମିତ୍ତଲ ଆଲୋଚନା
ଭୁୁବନେଶ୍ୱର: କୋଭିଡ୍ ଲକ୍ ଡାଉନ୍ ଯୋଗୁଁ ରାଜ୍ୟ ଅର୍ଥନୀତି ସଙ୍କଟରେ ପଡ଼ିଥିବା ବେଳେ ବିଦେଶୀ ପୁଞ୍ଜି ବିନିଯୋଗର ଆଶ୍ୱସ୍ତିକର ଖବର ଆସିଛି । ଓଡ଼ିଶାରେ ଅଧିକରୁ ଅଧିକ ପୁଞ୍ଜି ବିନିଯୋଗ କରିବାକୁ ଆଗ୍ରହ ଦେଖାଇଛନ୍ତି ଆର୍ସେଲର ମିତ୍ତଲ ଗ୍ରୁପ୍ ର ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତ୍ତଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭିଡ଼ିଓ କନଫରେନ୍ସିଂ ଜରିଆରେ ଲଣ୍ଡନରୁ ଆଲୋଚନା କାଳରେ ମିତ୍ତଲ ଏହି ସୂଚନା ଦେଇଛନ୍ତି ।
ଆର୍ସେଲର ମିତ୍ତଲ ଓ ନିପନ୍ ଷ୍ଟିଲ୍ ଦ୍ୱାରା ପରିଚାଳିତ ପାରାଦ୍ୱୀପର ପେଲେଟ୍ ପ୍ଲାଣ୍ଟ ଏବଂ କେନ୍ଦୁଝରର ଡାବୁନିରେ ବେନିଫିକେସନ୍ ପ୍ଲାଣ୍ଟ୍ ର ସମ୍ପ୍ରସାରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୨ ହଜାର କୋଟି ଟଙ୍କା ବିନିଯୋଗ ହେବ । ପେଲେଟ୍ ପ୍ଲାଣ୍ଟର କ୍ଷମତା ୬ ଏମଟିପିଏ ରୁ ୧୨ ଏମଟିପିଏ କୁ ଏବଂ ଡାବୁନି ପ୍ଲାଣ୍ଟ କ୍ଷମତା ୫ ଏମଟିପିଏ ରୁ ୧୬ ଏମଟିପିଏ କୁ ସମ୍ପ୍ରସାରିତ କରାଯିବ ବୋଲି ଶ୍ରୀ ମିତ୍ତଲ କହିଛନ୍ତି ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଓଡ଼ିଶାରୁ ଉତ୍ପାଦିତ ଖଣିଜ ଦ୍ରବ୍ୟକୁ ଓଡ଼ିଶାରେ ହିଁ ମୂଲ୍ୟଯୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକୁ ଶ୍ରୀ ମିତ୍ତଲ ଗ୍ରହଣ କରିଛନ୍ତି । ଏହାଦ୍ୱାରା ଅଧିକ ନିଯୁକ୍ତି ସୃଷ୍ଟି ହେବା ସହିତ ରାଜ୍ୟ ଅର୍ଥନୀତିର ଅଭିବୃଦ୍ଧିରେ ସହାୟକ ହେବ । ଏ ଦିଗରେ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
ସୂଚନାଯୋଗ୍ୟ, ଆର୍ସେଲର ମିତ୍ତଲ ଓ ନିପନ୍ ଷ୍ଟିଲ୍ ଗତ ଡିସେମ୍ବର ମାସରୁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୫୦ ହଜାର କୋଟିରୁ ଉଦ୍ଧ୍ୱର୍ ଟଙ୍କାର ପ୍ରକଳ୍ପ, ଏସାର ଷ୍ଟିଲ୍ କୁ ଅଧିଗ୍ରହଣ କରିଛନ୍ତି । ଏହାଦ୍ୱାରା ଭାରତରେ ୭ ମିଲିୟନ୍ ଆମେରିକୀୟ ଡଲାରର ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ ହୋଇଛି । ଯାହାକି ଭାରତରେ ଅନ୍ୟତମ ବୃହତ୍ତମ ବିଦେଶୀ ପୁଞ୍ଜି ବିନିଯୋଗ । ଆର୍ସେଲର ମିତ୍ତଲ ଓ ନିପନ୍ ଷ୍ଟିଲ୍ ପାରାଦ୍ୱୀପରେ ପେଲେଟ୍ ପ୍ଲାଣ୍ଟ ଓ ଡାବୁନିରେ ବେନିଫିକେସନ୍ ପ୍ଲାଣ୍ଟ ସହ ସାଗାଶାହି ଓ ଠାକୁରାଣୀ ଖଣିର ପରିଚାଳନା କରୁଛନ୍ତି ।
ଆଜିର ଆଲୋଚନା ବେଳେ ଶ୍ରୀ ମିତ୍ତଲ ଓଡ଼ିଶା ସରକାରଙ୍କ କୋଭିଡ୍-୧୯ ପରିଚାଳନାକୁ ଭୂୟସୀ ପ୍ରଶଂସା ଚରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । କୋଭିଡ୍-୧୯ ଯୋଗୁଁ ସାରା ବିଶ୍ୱର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବେଳେ ଶିଳ୍ପ ଜଗତକୁ ସହଯୋଗ ଯୋଗାଇ ଦେବାକୁ ଓଡ଼ିଶା ସରକାରଙ୍କ ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ମିତ୍ତଲ ।