ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ କଲାଣି । ଗତ ୨୪ ଘଣ୍ଟା ଭିତରେ ୧୬ ଜିଲ୍ଲାରୁ ସର୍ବାଧିକ ୨୨୫ କରୋନା ପଜିଟିଭ୍ କେସ୍ ଆସିଛି । କଟକରୁ ସର୍ବାଧିକ ୯୨ ଜଣ ଚିହ୍ନଟ ହୋଇଛନ୍ତି । ପ୍ରଥମ ଥର ପାଇଁ ଓଡ଼ିଶାରେ ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୯୬ କ୍ୱାରେଣ୍ଟାଇନ୍ କେସ୍ ହୋଇଥିବା ବେଳେ ୨୯ ହେଉଛନ୍ତି ଲୋକାଲ୍ କେସ୍ ।
ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ଭିତରେ ୧୨୦ ଜଣ ସୁସ୍ଥ ହୋଇ ଫେରିଥିବାରୁ ମୋଟ ସୁସ୍ଥଙ୍କ ସଂଖ୍ୟା ହେଉଛି ୨୪୭୪ ଏବଂ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୩୬ ।
ନୂଆ ଆକ୍ରାନ୍ତଙ୍କ ତାଲିକାରେ କଟକରୁ ୯୨, ଗଞ୍ଜାମ ୨୦, ଖୋର୍ଦ୍ଧା ୧୯, ପୁରୀ ୧୫, କନ୍ଧମାଳ ୧୫, ଜଗତସିଂହପୁର ୧୩, ବଲାଙ୍ଗୀର ୧୨, ମୟୁରଭଞ୍ଜ ୯, ଢ଼େଙ୍କାନାଳ ୭, ନୟାଗଡ଼ ୭, ଭଦ୍ରକ ୫, କେନ୍ଦ୍ରାପଡ଼ା ୪ , କଳାହାଣ୍ଡି ୩, ବାଲେଶ୍ୱର ୨, ଅନୁଗୁଳ ୧, ସୁନ୍ଦରଗଡ଼ ୧ ।
ସେପଟେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଟପିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮ ହଜାର ୯୯୩ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୮,୮୮୪ । ୧ ଲକ୍ଷ ୫୪ ହଜାର ୩୨୯ ଜଣ ସୁସ୍ଥ ହୋଇଛନ୍ତି ।