ଭୁବନେଶ୍ୱର: କିମ୍ସ ଓଡ଼ିଶା କୋଭିଡ୍ ହସ୍ପିଟାଲ୍ରେ ଜୁନ୍ ୧୧ ତାରିଖ ସୁଦ୍ଧା ୧୦୨୦ ରୋଗୀ ଚିକିତ୍ସିତ ହୋଇଛନ୍ତି । ଓଡ଼ିଶାର ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ମୋଟ ୩ହଜାର ରୋଗୀଙ୍କ ମଧ୍ୟରୁ ୩୦ ପ୍ରତିଶତ ରୋଗୀ କିମ୍ସ କୋଭିଡ୍ ହସ୍ପିଟାଲ୍ରେ ଚିକିିତ୍ସିତ ହେଉଥିବା ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି ।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କିମ୍ସ ପରିଚାଳନାରେ ରାଜ୍ୟର କନ୍ଧମାଳ, ବଲାଙ୍ଗୀର ଓ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ୩ଟି କୋଭିଡ୍ ହସ୍ପିଟାଲ୍ ମଧ୍ୟ କାର୍ଯ୍ୟ କରୁଛି । ଅପ୍ରେଲ୍ ୨ ତାରିଖରେ କିମ୍ସ କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହେବା ପରେ ୫ତାରିଖରେ ପ୍ରଥମ ରୋଗୀ ଭର୍ତ୍ତି ହୋଇଥିଲେ । ଜୁନ୍ ୧୧ ସୁଦ୍ଧା କିମ୍ସ କୋଭିଡ୍ ହସ୍ପିଟାଲ୍ରେ ୭୦୦ ରୋଗୀଙ୍କୁ ଚିକିତ୍ସା କରାଯାଇଥିବା ବେଳେ ବଲାଙ୍ଗୀରସ୍ଥିତ କିମ୍ସ କୋଭିଡ୍ ହସ୍ପିଟାଲ୍ରେ ୧୪୮, ଫୁଲବାଣୀରେ ୧୦୧ ଓ ମୟୂରଭଞ୍ଜରେ ୮୪ଜଣଙ୍କୁ ଚକିତ୍ସା କରାଯାଇଛି ।
ଏହି ସବୁ ହସ୍ପିଟାଲ୍ରେ ରୋଗୀ କେବଳ ଚିକିତ୍ସିତ ହେଉନାହାନ୍ତି, କରୋନା ଆକ୍ରାନ୍ତମାନେ କିମ୍ସ ଡାକ୍ତର ଓ ନର୍ସଙ୍କ ସେବାରେ ବ୍ୟାପକ ସନ୍ତୋଷ ପ୍ରକାଶ କରିଥିବା କୁହାଯାଇଛି । ଏଥି ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇ କିଟ୍ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯଥେଷ୍ଟ ପୂର୍ବରୁ ସଚେତନ ହୋଇ ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ସହରରେ କୋଭିଡ୍ ହସ୍ପିଟାଲ୍ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ କ୍ରମେ କିମ୍ସରେ ୫ଶହ ଶଯ୍ୟା ଓ ୫୦ଟି ଆଇସିୟୁ ଶଯ୍ୟା ବିଶିଷ୍ଟ କିମ୍ସ ଓଡିଶା କୋଭିଡ ହସ୍ପିଟାଲ୍ ହେଉଛି ଦେଶର ପ୍ରଥମ କୋଭିଡ୍ ହସ୍ପିଟାଲ୍ ଆରମ୍ଭ ହେଲା । ଜୁନ୍ ୧୧ ତାରିଖ ସୁଦ୍ଧା ମାତ୍ର ୬୮ ଦିନ ମଧ୍ୟରେ କିମ୍ସ ରାଜ୍ୟର ସର୍ବାଧିକ ୧ହଜାର କୋଭିଡ୍ ରୋଗୀଙ୍କ ଚିକିତ୍ସା ଯୋଗାଇ ଦେଇପାରିଛି ବୋଲି ଶ୍ରୀ ସାମନ୍ତ କହିଛନ୍ତି ।
ଏହା ସହିତ ଓଡ଼ିଶା କୋଭିଡ୍ ହସ୍ପିଟାଲ୍ କିମ୍ସରେ ନିଜ ଜୀବନକୁ ଜଳାଞ୍ଜଳି ଦେଇ ରୋଗୀ ସେବା କରିଆସୁଥିବା ସମସ୍ତ ଡାକ୍ତର, ନର୍ସ ଓ ଅନ୍ୟ କୋଭିଡ୍ ଯୋଦ୍ଧାଙ୍କୁ ଶ୍ରୀ ସାମନ୍ତ ଭୂୟସୀ ପ୍ରଶଂସା କରିଛନ୍ତି । ଏଭଳି ସେବା କରିବା ପାଇଁ କିମ୍ସକୁ ସୁଯୋଗ ଦେଇଥିବାରୁ ଶ୍ରୀ ସାମନ୍ତ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । କିମ୍ସ ଦ୍ୱାରା ପରିଚାଳିତ ଏହି ୩ଟି ଯାକ ହସ୍ପିଟାଲ୍ ଭବିଷ୍ୟତରେ ମଧ୍ୟ ଓଡ଼ିଶାର ଲୋକଙ୍କ ସେବା ପାଇଁ ଉତ୍ସର୍ଗୀକୃତ ରହିବ ବୋଲି ଶ୍ରୀ ସାମନ୍ତ କହିଛନ୍ତି ।