ଗୋପାଳ ସାହୁ, ସ୍ୱତନ୍ତ୍ର ପ୍ରତିନିଧି
ଆମର ବାରମାସ ତେର ଯାତ ଭିତରେ ରଜପର୍ବ ଅନ୍ୟତମ ପ୍ରମୁଖ ପର୍ବ। କାହିଁ କେଉଁ କାଳରୁ, ଗାଁ ଠୁ ସହର, ଅତି ଆନନ୍ଦ ଉଲ୍ଲାସର ସହିତ ରଜପର୍ବ ପାଳନ ହୋଇ ଆସୁଛି। ସମୟକ୍ରମେ ଯଦିଓ ଏଥିରେ କିଛିଟା ଆଧୁନିକତାର ଛାପ ପଡ଼ିଛି କିନ୍ତୁ ସମସ୍ତଙ୍କର ଆନନ୍ଦ ଉଦ୍ଦିପନା ବର୍ଷକୁ ବର୍ଷ ଆହୁରି ବଢ଼ିବାରେ ଲାଗିଛି। ଆମର ଲୋକକଥା ଅନୁସାରେ ରଜପର୍ବ ମୁଖ୍ୟତଃ କୁଆଁରୀ ଝିଅ ମାନଙ୍କର ପର୍ବ ହୋଇଥିଲେ ମଧ୍ୟ ଏହା ଆମର ବିଜ୍ଞାନ ସମ୍ମତ କୄଷି ପ୍ରଧାନ ପରମ୍ପରା ରୀତିନୀତି ଏବଂ କୄଷକ ଭାଇମାନଙ୍କର ପାରମ୍ପରିକ କୄଷିକାର୍ଯ୍ୟ ସହିତ ମଧ୍ୟ ଓତଃପ୍ରୋତ ଭାବେ ଜଡ଼ିତ। ଏବେ କରୋନା ସଙ୍କ୍ରମଣ ଡର, ତାଲାବନ୍ଦ ଜନିତ ଆର୍ଥିକ ଅନାଟନ ଏବଂ ସାଙ୍ଗସାଥି ମେଳକୁ କଟକଣା କିଛିଟା ମନକୁ ଦୁର୍ବଳ କରିଥିଲେ ମଧ୍ୟ ତଥାପି ରଜ ମହାପର୍ବ ପାଇଁ ଗାଁ ଠୁ ସହର ବେଶ୍ ଆନନ୍ଦ ମୁଖର ବାରିହେଉଛି।

ରଜ ଆମ ଓଡ଼ିଶାର ଏକ ପାରମ୍ପାରିକ ଗଣପର୍ବ। ଆଜିକାଲି ଏହା ପ୍ରାୟତଃ ତିନିଦିନ ଧରି ପାଳନ କରାଯାଉଛି କିନ୍ତୁ କେତେକ ଯାଗାରେ ଏହା ଚାରିଦିନ ପାଳନ ହେଉଥିବାର ପରମ୍ପରା ମଧ୍ୟ ଅଛି। ଆମର ପାଞ୍ଜିକାରଙ୍କ ଗଣନା ଅନୁସାରେ ମିଥୁନ ସଂକ୍ରାନ୍ତି ହିଁ ରଜ ସଂକ୍ରାନ୍ତି ଭାବେ ସର୍ବତ୍ର ପରିଚିତ, ଏହା ରଜ ଉତ୍ସବର ଦ୍ଵିତୀୟ ଦିନ। ଏହାର ଆଗ ଦିନ ବା ମାସାନ୍ତକୁ ପହିଲିରଜ ତଥା ରଜ ଉତ୍ସବର ପ୍ରଥମ ଦିନ ଭାବେ ପାଳନ କରାଯାଇଥାଏ। ସଂକ୍ରାନ୍ତି ବାସୀ ବା ତୃତୀୟ ଦିନଟି ହେଉଛି ଭୁଇଁ ଡଅଁଣ ବା ଭୂମିଦାହ ବା ଭୂମି ଦହନ ଏବଂ ଚତୁର୍ଥ ତଥା ଶେଷ ଦିନଟି ହେଉଛି ବସୁମତୀ ସ୍ନାନ। ରଜସଂକ୍ରାନ୍ତି ଦିନଠାରୁ ଚତୁର୍ମାସ୍ୟାର ପ୍ରଥମ ମାସ ଆଶାଢ଼ ଆରମ୍ଭ ଏବଂ ଇନ୍ଦ୍ରଦେବଙ୍କ ଆଜ୍ଞାରେ ଉତପ୍ତ ପୄଥିବୀ ପୄଷ୍ଠକୁ ବର୍ଷାର ଆଗମନ ମଧ୍ୟ ଧିରେ ଧିରେ ଆରମ୍ଭ ହୁଏ।
ରଜ ଶବ୍ଦଟି ରଜବତୀରୁ ଆସିଛି। ରଜବତୀ ଅର୍ଥାତ ୠତୁମତୀ। ବର୍ଷାର ଆଗମନରେ ବସୁଧା ମାତା ରଜବତୀ ହୋଇଥାନ୍ତି ଏବଂ ପ୍ରଜନନ ଶକ୍ତି ଜାଗ୍ରତ ହୋଇଥାଏ। ଏହି ରଜ ଚାରିଦିନ ବିଶ୍ରାମ ନିଅନ୍ତି ଏବଂ ଜୀବଜଗତର ଖାଦ୍ୟ ଆବଶ୍ୟକତାକୁ ପରିପୂର୍ଣ୍ଣ କରିବା ପାଇଁ ଶସ୍ୟ ଶ୍ୟାମଳା ହେବାର ସଙ୍କେତ ଦେଇଥାନ୍ତି। ଆମର କୄଷି ପ୍ରଧାନ ସଂସ୍କୃତି ଅନୁସାରେ ଆମେ ସମସ୍ତେ ବସୁଧା ମା’ର ସନ୍ତାନ। ତେଣୁ ଏହି ଉପଲକ୍ଷେ ରାଜ୍ୟ ସାରା ଉତ୍ସବ ମୁଖର ହୋଇଉଠେ ଏବଂ ଆମେ ସମସ୍ତେ ଅପୁର୍ବ ଆନନ୍ଦ ଉଲ୍ଲାସରେ ଏହି ଗଣପର୍ବ ବା ମହାପର୍ବ ପାଳିଥାଉ। ଏହି ଚାରି ଦିନରେ ଚାଷୀଭାଇମାନେ ମଧ୍ୟ ବସୁମତୀ ଏବଂ ହଳଲଙ୍ଗଳ ପୁଜାପୁଜି କରିବା ସହ ଚାଷ କାମକୁ ବନ୍ଦ ରଖି ରଜ ମଉଜରେ ଆନନ୍ଦ ନିଅନ୍ତି।
ରଜ ମହୋତ୍ସବ ବିଶେଷ କରି ମାତୃଜାତି ମଧ୍ୟରେ ଉତ୍ସାହ, ଉନ୍ମାଦନା ଓ ନୁତନ ଶକ୍ତି ଜାଗ୍ରତ କରିଥାଏ। ଘରର ସମସ୍ତ ମହିଳା ଘରକାମ ଇତ୍ୟାଦିରୁ ବିରତି ନେଇ ନୁତନ ବସ୍ତ୍ର ପରିଧାନ କରନ୍ତି ଏବଂ ଆନନ୍ଦ ଉତ୍ସବକୁ ଉପଭୋଗ କରିଥାନ୍ତି। ରଜ ତିନିଦିନ ଧରି ରଜସ୍ୱଳା ନାରୀଭାବେ ଧରଣୀମାତାକୁ କଷ୍ଟ ନ ଦେଇ ଭୂମି କର୍ଷଣ ନ କରି ବିଶ୍ରାମ ଦେଲାଭଳି କଟା, ବଟା ଆଦି ଗୃହକର୍ମ ନ କରି କୁମାରୀମାନେ ବିଶ୍ରାମ କରନ୍ତି। ଧରଣୀ ମାତା ଶସ୍ୟଶ୍ୟାମଳାପୂର୍ଣ୍ଣ ହେବା ପାଇ ପ୍ରାଥମିକ ପ୍ରସ୍ତୁତି ଭାବେ ରଜ ତିନିଦିନ ବିଶ୍ରାମ ମିଳିଥାଏ ତାଙ୍କୁ ।

ଏହି ମହୋତ୍ସବକୁ ମୁଖ୍ୟତଃ କୁମାରୀ ଝିଅମାନେ ସବୁଠାରୁ ଅଧିକ ଉପଭୋଗ କରନ୍ତି। ରଜ ଚାରିଦିନ ରଜବତୀ ନାରୀ ଭାବରେ ଧରଣୀମାତାକୁ କଷ୍ଟ ନଦେଇ ଭୂମି କର୍ଷଣ ନକରି ବିଶ୍ରାମ ଦେଲାଭଳି ମହିଳା ମାନେ କଟା ବଟା ଆଦି ଘରକାମ ନକରି ମହିଳା ଓ କୁମାରୀମାନେ ବିଶ୍ରାମ କରନ୍ତି। ଭଳିକି ଭଳି ନୁଆ ପୋଷାକ ପରିଚ୍ଛେଦ ପରିଧାନ ସହିତ ବିଭିନ୍ନ ଆଭୂଷଣରେ ସଜ୍ଜିତ ହୁଅନ୍ତି। ରଜ ଦୋଳି ଖେଳ, ପୁଚି ଖେଳ ଆଦିରେ ସମୟ ଅତିବାହିତ କରନ୍ତି। ଏହି ଦିନ ମାନଙ୍କରେ ବସୁଧା ମା’କୁ ସମ୍ମାନ ଦେଇ କେହି ଭୂଇଁ ଉପରେ ଖାଲି ପାଦରେ ନଚାଲିବାର ପରମ୍ପରା ମଧ୍ୟ ଅଛି। କୁମାରୀ ଝିଅ ମାନେ ଗୁଆ ପତ୍ର ଖୋଳପାରେ ତିଆରି କଠଉରେ ଭୂଇଁ ଉପରେ ଚଲାବୁଲା କରିବା ବିଧି ରହିଛି। ରଜ ମହୋତ୍ସବ ଉପଭୋଗ କରିବାରେ ମଧ୍ୟ ପୁଅମାନେ ଉଣାକରନ୍ତି ନାହିଁ, ଲୁଡ଼ୁ, ତାସ୍, ପସା ଏବଂ ବାଗୁଡ଼ି ଆଦି ଖେଳି ରଜ ସମୟରେ ଭରପୁର ମଜା କରିଥାନ୍ତି।








