ଭୁବନେଶ୍ୱର: ବୈଜୟନ୍ତ ପଣ୍ଡା ବାଚାଳ ହେଇଗଲେଣି ବୋଲି ଗାଁ ଗହଳି, ସହର ଖଟିରେ ଚର୍ଚ୍ଚା । ତାଙ୍କର ଟୁଇଟ୍ ଶୁଣି ଶୁଣି ଲୋକେ ଭାରାକ୍ରାନ୍ତ ହୋଇଗଲେଣି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢ଼ିଲେ ଦମ୍ ରହନ୍ତା । କିନ୍ତୁ କଥା କଥାକେ ସେଇ ତୃତୀୟ ମହଲାର ବାବୁ । ବାବୁଙ୍କ ନାଁ ଧରିବାକୁ ବି ସାହାସ ନାହିଁ । ଟୁଇଟ୍ କରି ଇଙ୍ଗିତ ଦେଇଛନ୍ତି ଯେ ତାଙ୍କର ଅନ୍ୟ କାହା ପ୍ରତି ରାଗ ନାହିଁ । କେବଳ ସେଇ ବାବୁ । ତାଙ୍କୁ ସେ ଭିଲିଆନ୍ ସମ୍ବୋଧନ କରିଛନ୍ତି । ପୁଣି ଯୋଡିଛନ୍ତି, ଓଡ଼ିଶାର ସ୍ୱାଭିମାନ ପାଇଁ ଲଢ଼େଇ ଜାରି ରଖିବେ । ଅର୍ଥାତ୍ ମଧୁବାବୁଙ୍କ କଥା ତାଙ୍କର ମନେପଡ଼ିଛି ।
ବାବୁ ବାବୁ ବାରମ୍ବାର କହିଚାଲିଥିବା ସେଇ ବାବୁ କିଏ ତାଙ୍କ ନାଁ ଲେଖିବାକୁ ବୈଜୟନ୍ତଙ୍କର ସାହାସ ହେଉନି । ତାଙ୍କର ଚାରି ଧାଡ଼ିଆ ଟୁଇଟ୍ ପଢ଼ିଲେ ତାହା କଲେଜ ନିର୍ବାଚନ ପୂର୍ବରୁ ଛାତ୍ରନେତାଙ୍କ ‘ହ୍ୱାଏ ଆଇ ଷ୍ଟାଣ୍ଡ ଫର୍’ ମିଟିଂର ଭାଷଣ ଭଳି ମନେହେଉଚି । ଛୁଟିଦିନରେ ସକାଳୁ ସକାଳୁ ରିଟୁଇଟ୍ କଲେଣି ଯେ ତାଙ୍କୁ ଦଳରୁ ବାହାର କରିବା ପାଇଁ ବିରାଟ ଷଡ଼ଯନ୍ତ୍ର ଚାଲିଛି । କିଏ, କାହିଁକି ତାହା କହିନାହାନ୍ତି । ଲଗାତର ୧୫ ଦିନ ହେଲା ଏମିତି ଚାଲିଛି ଟୁଇଟ୍ । ବୈଜୟନ୍ତଙ୍କ ଭଳି ଏତେବଡ଼ ଲୋକ ଏଭଳିସ୍ତରକୁ ଯିବା ଲଜ୍ଜାକର ବୋଲି ଅନେକ କହିଛନ୍ତି । ଜଣେ ‘ବାବୁ’ଙ୍କୁ ତାଙ୍କର ଏତେ ଡର କାହିଁକି ବୋଲି ସାଧାରଣ ଲୋକେ ଓଲଟି ଟାହିଟାପରା କରୁଛନ୍ତି ।
ବୈଜୟନ୍ତଙ୍କ ହାବଭାବରୁ ତାଙ୍କର ଅତ୍ୟଧିକ ଚାଲାକ ପଣିଆ ଧରାପଡ଼ିଛି । ନିଜେ କେତେ ଅସହାୟ ତାହା ବି ସ୍ପଷ୍ଟମାନ ହୋଇଛି । ବୈଜୟନ୍ତ ଯେଉଁ ବାବୁଙ୍କ କଥା କହୁଛନ୍ତି ସେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟ ପାଣ୍ଡିୟାନ୍ ବୋଲି ସମସ୍ତେ ଜାଣନ୍ତି । ପାଣ୍ଡିୟାନ୍ ଜଣେ ସରକାରୀ ଅଫିସର । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଯୁକ୍ତିପ୍ରାପ୍ତ ତାଙ୍କର ବ୍ୟକ୍ତିଗତ ଅଧିକାରୀ । ମୁଖ୍ୟମନ୍ତ୍ରୀ ଯାହା ନିର୍ଦ୍ଦେଶ ଦେବେ ତାକୁ କାର୍ଯ୍ୟକାରୀ କରିବା ତାଙ୍କର କାମ । ବୈଜୟନ୍ତ ଏତେବଡ଼ ଲୋକ ହୋଇ ପ୍ରଧାନମନ୍ତ୍ରୀ କି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର କାର୍ଯ୍ୟଶୈଳୀ ସମ୍ପର୍କରେ ଜାଣନ୍ତିନି ବା ଜାଣି ଅଜଣା ହୋଇଛନ୍ତି ତାହା ଏବେ ବୁଝାପଡୁଛି । ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଭଳି ତାଙ୍କର ବି ଏକ ବିରାଟ ଦପ୍ତର କାମ କରୁଛି । ସେଠି ବୈଜୟନ୍ତଙ୍କ ଅଜ୍ଞାତରେ ତାଙ୍କ ସଚିବ ଶ୍ରୀ ଘୋଷ ମନଇଚ୍ଛା କାମ କରୁଛନ୍ତି କି ? ବୈଜୟନ୍ତଙ୍କ ନିର୍ଦ୍ଦେଶ ନ ପାଇ ଆଗକୁ ବଢ଼ୁଛନ୍ତି କି ? ବୈଜୟନ୍ତ ଛାତିରେ ହାତରଖି କହିପାରିବେ କି ତାଙ୍କ ସଚିବ କ’ଣ କରନ୍ତି ତାଙ୍କୁ ଜଣାନାହିଁ ? ବୈଜୟନ୍ତଙ୍କ କାର୍ଯ୍ୟ ସହ ସଂପୃକ୍ତ ଥିବା ଲୋକେ ରାଗିଲେ ତା ମାନେ କ’ଣ ଶ୍ରୀ ଘୋଷଙ୍କୁ ଶୋଧିବେ ?
ନିଜକୁ ଅତି ଚତୁର ଭାବୁଥିବା ବୈଜୟନ୍ତଙ୍କ ଅସଲ ଚେହେରା ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ଜାଣିଛନ୍ତି । ବ୍ୟବସାୟରୁ ସଫଳ ରାଜନୀତି ଓ ରାଜନୀତିକୁ ବ୍ୟବହାର କରି ବ୍ୟବସାୟକୁ କିଭଳି ପରିପୃଷ୍ଠ ଓ ରୁଦ୍ଧିମନ୍ତ କରିହୁଏ ଭାରତବର୍ଷରେ ବୈଜୟନ୍ତ ବୋଧହୁଏ ତାହାର ଏକ ଜ୍ୱଳନ୍ତ ଉଦାହରଣ । ନବୀନ ପଟ୍ଟନାୟକ ତାଙ୍କୁ ଦୁଇ ଦୁଇ ଥର ରାଜ୍ୟସଭା ପଠାଇଲେ । ଦୁଇ ଦୁଇ ଥର ଲୋକସଭା ଟିକେଟ ଦେଇ ଜିତାଇଲେ । ନବୀନଙ୍କ ଭଲ ପାଇବାର ସୁଯୋଗରେ ବୈଜୟନ୍ତ ନିଜ ଓ ପରିବାରର ବ୍ୟବସାୟକୁ ସଫଳତାର ଶୀର୍ଷରେ ଥୋଇଲେ । ବୈଜୟନ୍ତଙ୍କ ପରିବାରର ମାଲିକାନାରେ ଥିବା ଇମଫା କମ୍ପାନୀକୁ ୨୩୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଛାଡ଼ ବିଜେଡ଼ି ସରକାରଙ୍କୁ ଲୋକମାନସରେ ଖାଲି ନିନ୍ଦିତ କରିନି ବରଂ ଆଜିଯାଏଁ ତାହାର ରାଜନୈତିକ ବୋଝ ବୋହୁଛି । ବ୍ୟାଙ୍କଋଣ ଛାଡ଼ଠାରୁ ଆରମ୍ଭ କରି ଖଣିଖାଦାନ, ଜମି, ପାଣି, ବିଜୁଳିରେ ବୈଜୟନ୍ତଙ୍କ ବ୍ୟବସାୟ ସାମ୍ରାଜ୍ୟ ପାଇଁ ବିଜେଡ଼ି ସରକାର ଯେତିକି ଅନୁଗ୍ରହ ଓ ଆର୍ଥିକ ବୋଝ ମୁଣ୍ଡାଇଥିବା କୁହାଯାଉଛି ତାହା ଗରିବ, ଖଟିଖିଆ ଓଡ଼ିଆ ଲୋକଙ୍କ ପଇସା ନୁହେଁ କି ?
ନିଜର ଏକଚାଟିଆ ବେପାର ପାଇଁ ବୈଜୟନ୍ତ କେଉଁ ସ୍ତରକୁ ଯାଇପାରନ୍ତି ତାହା ଅତୀତରେ ସମସ୍ତେ ଦେଖିଛନ୍ତି । ପ୍ରତିଯୋଗିତାରେ ତାଙ୍କ ଟିଭିକୁ ପଛରେ ପକାଇଦେଇଥିବା ଇଟିଭିକୁ ସେ କିଭଳି ଛେଦନ କରିଥିଲେ ତାହା ବି ସମସ୍ତେ ଦେଖିଛନ୍ତି । ଗୁଣ୍ଡା ଲଗାଇ ଇଟିଭି କେବୁଲକୁ ଛିଣ୍ଡାଇ କର୍ମଚାରୀଙ୍କୁ ରକ୍ତାକ୍ତ କରିବା କ’ଣ ମିଛ ? ବୈଜୟନ୍ତଙ୍କ କୋପରେ ଇଟିଭି ପ୍ରସାରଣ ବନ୍ଦ ହୋଇଯିବା ଓ କର୍ମଚାରୀମାନେ ଚାକିରି ହରାଇ ବେକାର ହେବା କ’ଣ ମିଛ ?
ଏହି ବୈଜୟନ୍ତ ଆଜି ଯଦି ମଧୁବାବୁଙ୍କ ଭଳି ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ କଥା କହିବେ ତେବେ ଲୋକ ତାଙ୍କୁ ଦେଖି ହସିବେନି ତ ଆଉ କ’ଣ ବୋଲି ଅନେକ ପ୍ରଶ୍ନ କରିଛନ୍ତି । ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ଲଢ଼େଇ କରିବାର ଦମ୍ ଥିଲେ ଏଠି ନିର୍ଦ୍ଦିଷ୍ଟ ବାବୁଙ୍କ ପଛରେ ନ ପଡ଼ି ମୁଖ୍ୟମନ୍ତ୍ରୀଙ୍କ ପଛରେ କାହିଁକି ପଡୁନାହାନ୍ତି ? ମହାନଦୀ, ପୋଲାଭରମ୍ ଆଦି ପ୍ରସଙ୍ଗରେ ଦିଲ୍ଲୀରେ ଲଢ଼ୁନାହାନ୍ତି କାହିଁକି ? ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ପାଇଁ ଲଢ଼ୁନାହାନ୍ତି ? ଖଣି ଲୁଟ୍ ଟଙ୍କା ଫେରାଇ ଆଣିବାକୁ ଲଢ଼ୁନାହାନ୍ତି ? ଓଡ଼ିଶାର ବେକାର ଯୁବକଯୁବତୀଙ୍କୁ ଚାକିରି ଦେବା ପାଇଁ ଲଢ଼େଇ କରୁନାହାନ୍ତି ? ସରକାରୀ ଜମିକୁ ମାଡ଼ିବସିଥିବା ବଡ଼ବଡ଼ିଆ ଲୋକଙ୍କୁ ଉଚ୍ଛେଦ ପାଇଁ ଲଢ଼ୁନାହାନ୍ତି ? ରେଙ୍ଗାଲି ବାସଚ୍ୟୁତଙ୍କ ଥଇଥାନ ଓ କ୍ଷତିପୂରଣ ପାଇଁ ଲଢ଼ୁନାହାନ୍ତି ? ଚାଷୀ ସମସ୍ୟାକୁ ନେଇ ଲଢ଼ୁନାହାନ୍ତି ? ଶିକ୍ଷା, ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ କାହିଁକି ଲଢ଼େଇ କରୁନାହାନ୍ତି ?
ବୈଜୟନ୍ତ ସେସବୁ ସମସ୍ୟା ଛାଡ଼ି ଗୋଡ଼େଇଛନ୍ତି ବାବୁଙ୍କ ପଛରେ । ଏଥିରେ ଓଡ଼ିଶାବାସୀଙ୍କ କି ସ୍ୱାର୍ଥ ସାଧନ ହେବ ତାହା ପଣ୍ଡିତମାନେ ବି ବୁଝିପାରୁନାହାନ୍ତି । ସେମାନଙ୍କ ମତରେ, ନବୀନଙ୍କ ଦୟାରୁ ରାଜନୀତିର ଉପରକୁ ଉଠିଥିବା ବୈଜୟନ୍ତ ନିଜର ରାଜନୈତିକ ଭବିଷ୍ୟତ ନେଇ ଯଦି ଏତେ ବିଚଳିତ ତେବେ ‘ବାବୁ’ ଆଳ ଠିକ୍ ନୁହେଁ । ଉଚ୍ଚ ମୂଲ୍ୟବୋଧ ଓ ନୈତିକତା ଥିବା ଜଣେ ଦୃଢ଼ମନା ରାଜନେତା ନିଜର ସଙ୍କଟ ସମୟରେ ବିଚଳିତ ହେବା ଦେଖାଯାଏ ନାହିଁ । ଓଡ଼ିଶା ରାଜନୀତିରେ ହରେକୃଷ୍ଣ ମହତାବ, ଜାନକୀବଲ୍ଲଭ ପଟ୍ଟନାୟକ, ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ଭଳି ନେତା କେବେ ବିଚଳିତ ହୋଇ କଲେଜ ପିଲାଭଳି ହୋଇନାହାନ୍ତି । ଏହା ସେମାନଙ୍କର ମର୍ଯ୍ୟାଦା ବଢ଼ାଇଛି । ବୈଜୟନ୍ତ ସେଥିରୁ କିଛି ଶିଖିବା ଦରକାର । କେବଳ ଟୁଇଟ୍ କରି ଶସ୍ତା କଥା କହିଲେ ଲୋକହସା ହେବା ଛଡ଼ା କିଛି ନୁହେଁ ।