ଭୁବନେଶ୍ୱର: ଯୋଗୀ ଆଦିତ୍ୟନାଥଙ୍କ ନିଜ ନିର୍ବାଚନମଣ୍ଡଳୀ ଗୋରଖପୁରର ବାବା ରାଘବ ଦାସ ସରକାରୀ ମେଡ଼ିକାଲ କଲେଜ ଓ ହସ୍ପିଟାଲ୍ ରେ ଅକ୍ସିସେନ୍ ଅଭାବରୁ ୩୦ ଜଣ ନିଷ୍ଫାପ ଶିଶୁଙ୍କ ଜୀବନ ଦୀପ ଲିଭିଗଲା । ଅକ୍ସିଜେନ୍ ଯୋଗାଉଥିବା କମ୍ପାନୀର ୬୬ ଲକ୍ଷ ଟଙ୍କା ମେଡ଼ିକାଲ ଉପରେ ବାକି ପଡ଼ିଥିଲା । ବାକି ଟଙ୍କା ଶୁଝି ନ ଥିବାରୁ କମ୍ପାନୀ ଅକ୍ସିଜେନ୍ ଦେଲା ନାହିଁ । ଫଳ ହେଲା ୪୮ ଘଣ୍ଟା ଭିତରେ ଏନସେଫାଲାଇଟିସରେ ଆକ୍ରାନ୍ତ ୩୦ ଶିଶୁ ଅକ୍ସିଜେନ୍ ନ ପାଇ ଛଟପଟରେ ମରିଗଲେ । ଏଭଳି ଏକ ଦୁଃଖଦାୟକ ଓ ସମ୍ବେଦନଶୀଳ ପ୍ରସଙ୍ଗ ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରିଥିଲା ବେଳେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଆମ ଓଡ଼ିଶା ବିଜେପି ନେତାଙ୍କ ଆଚରଣ ଓ ନିରବତା ନାଗରିକ ସମାଜର ମୁଣ୍ଡ ତଳକୁ କରିଦେଇଛି । ଆମେରିକା, ଲଣ୍ଡନ, ତୁର୍କି କି ଆଫଗାନିସ୍ଥାନରେ ବିସ୍ଫୋରଣ ଘଟିଲେ ମୋଦିଙ୍କ ଟୁଇଟରକୁ ତର ସହୁ ନ ଥିଲା ବେଳେ ନିଜ ଦେଶର ସର୍ବବୃହତ୍ତ ରାଜ୍ୟର ସରକାରୀ ଡାକ୍ତରଖାନାରେ ଅକ୍ସିଜେନ୍ ଅଭାବରୁ ୩୦ ଜଣଙ୍କ ଶିଶୁଙ୍କ ଜୀବନ ତାଙ୍କ ପାଇଁ ତୁଚ୍ଛ ହୋଇଯାଇଛି ।
ଗତବର୍ଷ କଟକ ଶିଶୁଭବନରେ ୫୦ ଆକ୍ରାନ୍ତ ଶିଶୁଙ୍କର ମୃତ୍ୟୁ ହୋଇଥିଲା । ବିଭିନ୍ନ କାରଣ ମଧ୍ୟରେ ସରକାରୀ ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରିଥିଲା ବିଜେପି । ଶୋକସନ୍ତପ୍ତ ପରିବାରବର୍ଗକୁ ସମବେଦନା ଦେବା ନାଁରେ ଦଳ ଦଳ ହୋଇ ବିଜେପି ପ୍ରତିନିଧି ଦଳ କଟକ ଧାଇଁଥିଲେ । ତାଙ୍କ କେନ୍ଦ୍ରମନ୍ତ୍ରୀ କେନ୍ଦ୍ରୀୟ ଟିମ୍ ଆଣି ଅଘଟଣର ଛାନଭିନ୍ କରିଥିଲେ । ମାଲକାନଗିରିରେ ଜାପାନୀ ଜ୍ୱରରେ ୩ ମାସ ଭିତରେ ଶତାଧିକ ଶିଶୁଙ୍କ ମୃତ୍ୟୁକୁ ନେଇ ବିଜେପି ବାଲାଙ୍କ ଆଖିରୁ ଲୁହ ବନ୍ଦ ହେଲାନି । ପ୍ରଶାସନର ବାରଣ ନ ମାନି ଧର୍ମେନ୍ଦ୍ର ପ୍ରଧାନ ପଳାଇଥିଲେ ସେଠାକୁ । ବେଶ୍ ବାହାବା ନେଇ ଫେରିଥିଲେ । ନଗଡ଼ାରେ ଖାଇବାକୁ ନ ପାଇ ଏବଂ ଅପପୃଷ୍ଟି ଯୋଗୁଁ ଅନେକ ନିରୀହ ଶିଶୁ ପ୍ରାଣ ହରାଇଲେ । ବିଜେପି ନେତାମାନେ କମ୍ପମାନ କଲେ । ସମ୍ ହସ୍ପିଟାଲ୍ ରେ ଅଗ୍ନିକାଣ୍ଡ ଘଟି ୩୦ ଜଣଙ୍କର ପ୍ରାଣଗଲା । ସେଥିପାଇଁ ବିଜେପି ପ୍ରଚଣ୍ଡ ରୋଳା କଲା । ଏ ସମସ୍ତ ଘଟଣାରେ ବିଜେପି ନେତା ଓ ମୁଖପାତ୍ର ପ୍ରତିଦିନ ପ୍ରେସ୍ ମିଟ୍ କଲେ । ସରକାରଙ୍କ ବିରୋଧରେ ରାଜରାସ୍ତା ଫଟାଇଲେ । ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗଗନ ପବନ କମ୍ପାଇଲେ । ଏହା କରି ବିଜେପି ଯେ ଭୁଲ୍ କରିଛି ତାହା କେହି କହୁନାହାନ୍ତି । ମଣିଷ ଜୀବନ ସହ ଖେଳ ଖେଳୁଥିବା ସରକାରଙ୍କୁ ଦାଣ୍ଡରେ ଛିଡ଼ା କରାଇ ରାଜନୈତିକ ଦାୟିତ୍ୱ ତୁଲାଇଛି ।
ହେଲେ ଗୋରଖପୁରରେ ୩୦ ଶିଶୁ ମଲା ବେଳକୁ ଏହି ନେତାମାନେ ଗଲେ କୁଆଡେ ? ଅନ୍ୟ ରାଜ୍ୟର ଅଘଟଣ ଉପରେ ମୁଣ୍ଡ ପୂରାଇବାକୁ ସେମାନେ ଠିକ୍ ଭାବିନାହାନ୍ତି ନା ନିଜ ଦଳର ସରକାର ଥିବାରୁ ପାଟିରେ ତୁଣ୍ଡି ଭିଡ଼ିଛନ୍ତି । ଅଣ ବିଜେପି ଶାସିତ ରାଜ୍ୟରେ ଏତେବଡ଼ ଅଘଟଣ ଘଟିଥିଲେ ସେମାନଙ୍କ ପାଟି ଚୁପ୍ ରହିଥାଆନ୍ତା ତ ? ରାଜନୀତି କରିବାରେ ମନା ନାହିଁ ହେଲେ ରାଜନୀତି ନାଁରେ ହୀନମନ୍ୟତା ଓ ମଣିଷପଣିଆକୁ ଭୁଲିଗଲେ ଲୋକେ ତାହାକୁ ଗ୍ରହଣ କରିବେ ନାହିଁ । ଯୋଗୀ ଆଦିତ୍ୟନାଥଙ୍କ ରାଜ୍ୟରେ ଏବଂ ଖୋଦ୍ ତାଙ୍କ ନିର୍ବାଚନମଣ୍ଡଳୀର ସରକାରୀ ମେଡ଼ିକାଲ୍ କଲେଜ ୬୬ ଲକ୍ଷ ଟଙ୍କା ବିନିମୟରେ ୩୦ ଜଣ ଶିଶୁଙ୍କ ମଡ଼କ ଗଡ଼ିଲା । ଅନ୍ୟ ଅର୍ଥରେ କହିଲେ, ଅକ୍ସିଜେନ୍ ନ ଦେଇ ସେମାନଙ୍କୁ ତଣ୍ଟି ଚିପି ହତ୍ୟା କରାଗଲା । ଅଥଚ ଓଡ଼ିଶା ବିଜେପି ମାମଲତକାରଙ୍କ ପାଟିରୁ ଆହା ପଦେ ବାହାରିଲାନି । ଏଭଳି ନିଷ୍ଠୁର ଆଚରଣକୁ ସାଧାରଣ ଲୋକ ଛିଛାକର କରୁଛନ୍ତି ।
ସୂଚନାଯୋଗ୍ୟ, ଗୋମାତାଙ୍କ ସୁରକ୍ଷା ପାଇଁ ଯୋଗୀ ସରକାର ତହବିଲରୁ ୪୦ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ଯୋଜନା କରିଛନ୍ତି । ଅଥଚ ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନମଣ୍ଡଳୀରେ ରୋଗରେ ଆକ୍ରାନ୍ତ ଶିଶୁଙ୍କୁ ଅକ୍ସିଜେନ୍ ଯୋଗାଇପାରୁନାହାନ୍ତି । ସେଥିପାଇଁ ପଇସା ଅଣ୍ଟୁନି । କଥା କଥାକେ ବିଜେଡ଼ି ସରକାରଙ୍କୁ ଗାଳିଗୁଲଜ କରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିବା ଓଡ଼ିଶା ବିଜେପି ନେତାମାନଙ୍କ ପାଖରେ ଏହାର ଜବାବ ଅଛି ତ ? ୩୦ ନିରୀହ ଶିଶୁଙ୍କ ପ୍ରାଣହାନୀ ପାଇଁ ସେମାନେ ଯୋଗୀଙ୍କ ଇସ୍ତଫା ଦାବି କରିବେ ତ ?
ଦୋଷ ଯାହାର ହେଉ, at least ସାନ୍ତ୍ଵନା ଦେଇଥିଲେ ଭଲହୋଇଥାନ୍ତା,
Tweet ନକରିବାର କାରଣ ଦୋଷ ନିଜ party govt ର, ଯୋଗୀ ବିରୁଦ୍ଧରେ କହିବା ନିଆଁ ସହ ଖେଳିବା ସମାନ