ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଅସହ୍ୟ ଗୁଳୁଗୁଳି ଯୋଗୁଁ ସେ ସାମାନ୍ୟ ଅଶ୍ୱସ୍ତି ଅନୁଭବ କରିଥିଲେ । ତେବେ ଏବେ ସ୍ୱାଭାବିକ ଅବସ୍ଥାକୁ ଫେରିଆସିଛନ୍ତି । ତାଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ନାହିଁ । ଆଜି ସେ ତାଙ୍କର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେବେ । ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ ସୁକାନ୍ତ କୁମାର ପଣ୍ଡା ନବୀନ ନିବାସରେ ଏହା ସ୍ପଷ୍ଟ କରିଛନ୍ତି । ସେହିଭଳି ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଡାକ୍ତରୀ ପରୀକ୍ଷାରୁ ସେ ସମ୍ପୂର୍ଣ୍ଣ ଫିଟ୍ ଥିବା ସୂଚନା ଦେଇଛନ୍ତି । ଦଳୀୟ ପ୍ରସଙ୍ଗରେ ସେ ନବୀନ ନିବାସ ଆସିଥିଲେ ଏବଂ ମୁଖ୍ୟମନ୍ତ୍ରୀ ତାଙ୍କ ସହ ସ୍ୱାଭାବିକ ଆଲୋଚନା କରିଛନ୍ତି ବୋଲି ନବୀନ ନିବାସରୁ ଫେରିଲା ପରେ ସାମ୍ବାଦିକଙ୍କୁ କହିଛନ୍ତି ।
ଆଜି ସକାଳ ସାଢ଼େ ୯ଟାରେ ମୁଖ୍ୟମନ୍ତ୍ରୀ ମହାତ୍ମାଗାନ୍ଧୀ ମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଡ ଅଭିବାଦନ ଗ୍ରହଣ କରୁଥିଲେ । ତେବେ ଏହି ସମୟରେ ସେ ସାମାନ୍ୟ ଅସ୍ୱସ୍ତି ଅନୁଭବ କରିଥିଲେ । ଏହା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ସାରି ନବୀନ ନିବାସକୁ ତୁରନ୍ତ ଫେରିଆସିଥିଲେ । ସେଠାରେ ଡାକ୍ତରୀ ଟିମ୍ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ପରୀକ୍ଷାରୁ ତାଙ୍କ ଶରୀରର ରକ୍ତଚାପ ସମ୍ପୂର୍ଣ୍ଣ ସ୍ୱାଭାବିକ ଥିବା ଜଣାପଡ଼ିଛି । ଶେଷ ଖବର ଅନୁଯାୟୀ ଖୋଦ୍ ମୁଖ୍ୟମନ୍ତ୍ରୀ ନିଜର ସୁସ୍ଥତା ନେଇ ସ୍ପଷ୍ଟ କରିଛନ୍ତି । ପ୍ରବଳ ଗୁଳୁଗୁଳି ଯୋଗୁଁ ସେ ସାମାନ୍ୟ ଅଶ୍ୱସ୍ତି ଅନୁଭବ କରିଥିଲେ । ତେବେ ସେ ସମ୍ପୂର୍ଣ୍ଣ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।