ଭୁବନେଶ୍ୱର: ପ୍ରଥମଥର ପାଇଁ ଏକ ଲମ୍ବା ବ୍ୟବଧାନ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଓଡ଼ିଶା ଆସୁଛନ୍ତି । ଓଡ଼ିଶା ବିଜେପିର ଅଘୋଷିତ ସୁପ୍ରିମୋ, ପାୱାରଫୁଲ ଧର୍ମେନ୍ଦ୍ର ବିଜେପୁର ଉପନିର୍ବାଚନରେ ନିଜର ସମସ୍ତ ଶକ୍ତି ଖଟାଇ ବିଫଳ ହେବା ପରଠୁ ଓଡ଼ିଶା ମାଟି ମାଡୁ ନ ଥିଲେ । ନିର୍ବାଚନ ପ୍ରଚାରରେ ୬ ଦିନ କାଳ ବିଜେପୁରରେ ଅକ୍ଲାନ୍ତ ପରିଶ୍ରମ କରି ଦିଲ୍ଲୀ ଫେରିଥିଲେ । ତାଙ୍କ ଦଳର ପ୍ରାର୍ଥୀ ବିଜେଡ଼ିଠାରୁ ୪୧ ହଜାର ଭୋଟ ବ୍ୟବଧାନରେ ପରାସ୍ତ ହେବାରୁ ସତେଯେମିତି ଧର୍ମେନ୍ଦ୍ର ଓଡ଼ିଶାକୁ ଛି କରିଦେଇଥିଲେ । ପାଖାପାଖି ୨୦ ଦିନର ବ୍ୟବଧାନ ପରେ ଆଜି ତାଙ୍କର ପାଦ ପଡ଼ିୁଛି ।
ଇତିମଧ୍ୟରେ ଧର୍ମେନ୍ଦ୍ର ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଗତଥର ସେ ବିହାରରୁ ରାଜ୍ୟସଭା ଯାଇ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି । ଏଥର ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇଥିବାରୁ ଓଡ଼ିଶାରେ ତାଙ୍କର ଅନୁଗାମୀ ନେତାମାନେ କୃତ କୃତ ହୋଇଛନ୍ତି । ବିଜେପୁର ଫଳରେ ଭାଙ୍ଗି ପଡ଼ିଥିବା ଏହି ନେତାମାନେ ସେକଥା ଭାବିଦେଇ ମନକୁ ବୁଝାଇଛନ୍ତି । ଲଗାତର ଦୁଇଟି ବାହାର ରାଜ୍ୟରୁ ରାଜ୍ୟସଭାକୁ ଯାଇଥିବା ଓଡ଼ିଆ ପୁଅ ଧର୍ମେନ୍ଦ୍ରଙ୍କ ପାଇଁ ମନରେ ଗର୍ବ ସଞ୍ଚାର କରିଛନ୍ତି । ମୋଟାମୋଟି ଭାବେ, ବିଜେପୁର ଫଳରେ ମୁହଁ ପୋଡ଼ିଯାଇଥିବା ଧର୍ମେନ୍ଦ୍ର ଓ ତାଙ୍କ କୋଟରି ଏହି ବାହାନାରେ ସେମାନଙ୍କ ପୂର୍ବ କାର୍ଯ୍ୟକ୍ରମ ଆରମ୍ଭ କରିବେ । ମିଶନ୍ ୧୨୦ ରେ ଲାଗିଥିବା ବ୍ରେକ୍ କୁ ହଟାଇ ଫୁଲ୍ ଗିଅର୍ ଧରିବେ । ଭାଙ୍ଗିପଡ଼ିଥିବା କର୍ମୀଙ୍କ ମନୋବଳକୁ ସବଳ କରିବେ । ସେଥିପାଇଁ ରାଜ୍ୟ ପାର୍ଟି ଅଫିସରେ ଧର୍ମେନ୍ଦ୍ରଙ୍କ ପାଇଁ ଏକ ଭବ୍ୟ ସମ୍ବର୍ଦ୍ଧନାର ଆୟୋଜନ କରାଯାଇଛି ।
ଆଜି ଦିନ ୧୧ଟାରେ ଧର୍ମେନ୍ଦ୍ର ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନବନ୍ଦରରୁ ପାର୍ଟି ଅଫିସ୍ ଯାଏଁ ତାଙ୍କ ପାଇଁ ବିଶାଳ ପଟୁଆରର ଆୟୋଜନ କରାଯାଇଛି । ଡ୍ରମ୍, ଢ଼ୋଲକି, ତେଲିଙ୍ଗି ବାଜା ଓ ବାଣରେ କମ୍ପିବ ରାଜରାସ୍ତା । ବିଜେପି ପାର୍ଟି ଅଫିସରେ ପହଞ୍ଚିଲା ପରେ ହେବ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ । ବିଜେପୁରରେ ଦଳର ବିପର୍ଯ୍ୟୟର ସ୍ପଷ୍ଟୀକରଣ ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଧର୍ମେନ୍ଦ୍ର କର୍ମୀମାନଙ୍କୁ ଟିପସ୍ ଦେବେ ।