ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମାଛହାଟରେ ଯେମିତି ଲୋକଙ୍କ କିଚିରି ମିଚିରି ଚାଲେ, ଆମ ପବିତ୍ର ବିଧାନସଭାର ସେଇ ଅବସ୍ଥା ହୋଇଛି । ଟିଭି ଲାଇଭ୍ କାଷ୍ଟ୍ ଯୋଗୁଁ ପ୍ରଶ୍ନକାଳରେ ମନଧ୍ୟାନ ଦେଇ ମନ୍ତ୍ରୀ, ବିଧାୟକମାନେ ବସୁଥିବା ବେଳେ ଶୂନ୍ୟକାଳ ବେଳକୁ ବସୁଛି ମାଛହାଟ । ଖାସ୍ କରି ମନ୍ତ୍ରୀ ଓ ବରିଷ୍ଠ ବିଧାୟକମାନେ ନିଜ ନିଜ ଆସନ ଛାଡ଼ି ଯିଏ ଯେଉଁଠି ପାରୁଛନ୍ତି ବସୁଛନ୍ତି ଏବଂ ଗପସପ ହୋଇ ଗୃହ ଭିତରେ ରୋଳା କରୁଛନ୍ତି । ଗୃହରେ ଯେତେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିଲେ ବି ସେଥିପ୍ରତି ନିର୍ଦ୍ଧିଷ୍ଟ ମନ୍ତ୍ରୀ ଓ ବିଧାୟକଙ୍କର ଖାତିର ନ ରହିବା ନିତିଦିନିଆ ହୋଇଗଲାଣି ।
ସୋମବାର ବିଧାନସଭାରେ ଏଭଳି ଦୃଶ୍ୟ ଖୋଦ୍ ବାଚସ୍ପତିଙ୍କୁ ଉତ୍କ୍ଷିପ୍ତ କରିଥିଲା । ପ୍ରଶ୍ନକାଳ ସରିବା କ୍ଷଣି ମୁଖ୍ୟମନ୍ତ୍ରୀ ଗୃହରୁ ଚାଲିଯିବା ପରେ( ମୁଖ୍ୟମନ୍ତ୍ରୀ ପ୍ରଶ୍ନକାଳରେ ୫ ମିନିଟ୍ ରହନ୍ତି ହେଲେ ସୋମବାର ତାଙ୍କ ବିଭାଗର ପ୍ରଶ୍ନୋତ୍ତର ଯୋଗୁଁ ସେ ଘଣ୍ଟାଏ ବସିବାକୁ ବାଧ୍ୟ ହୋଇଥିଲେ) ମରୁଡ଼ି ଓ ଚାଷୀ ଆତ୍ମହତ୍ୟା ସମ୍ପର୍କରେ ଗୃହରେ ଉଠାଇଥିଲେ କଂଗ୍ରେସ ସଭ୍ୟ । ବିଧାନସଭାରେ କୃଷିମନ୍ତ୍ରୀ ଭୁଲ୍ ତଥ୍ୟ ରଖିଛନ୍ତି ବୋଲି କହି ସେମାନେ ସ୍ୱାଧିକାର ଭଙ୍ଗ ନୋଟିସ୍ ଦେଇଥିଲେ । ମାତ୍ର ଶାସକ ଦଳର ଅଧିକାଂଶ ମନ୍ତ୍ରୀ ଓ ବିଧାୟକଙ୍କର ସେଥିପ୍ରତି ନଜର ନ ଥିଲା । ବରଂ ନିଜ ଆସନ ଛାଡ଼ି ବାହାରମୁହାଁ ଏହି ମନ୍ତ୍ରୀ ଓ ବିଧାୟକମାନେ ପରଷ୍ପର ଭିତରେ ଗପସପ ଜମେଇ ଦେଇଥିଲେ । ଏଥିଯୋଗୁଁ ଗୃହର କାର୍ଯ୍ୟ ଯେ ବାଧା ହେଉଛି ସେଥିପ୍ରତି ସେମାନଙ୍କର ପରୱା ନ ଥିଲା ।
ଆଇନମନ୍ତ୍ରୀ ଅରୁଣ ସାହୁ ଓ ସରକାରୀ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ଏମିତି ଜମାଣିଆ ମାତପୁରୀ ଚଳାଇଥିବା ବେଳେ ବାଚସ୍ପତି ରାଗିଗଲେ । ଦୁଇଙ୍କ ନାଁ ନେଇ କହିଲେ ଏଠି ମାଛହାଟ କରନ୍ତୁ ନାହିଁ । କଥା ଯଦି ଅଛି ବାହାରେ ହୁଅନ୍ତୁ । ବାଚସ୍ପତିଙ୍କ ଏଭଳି ତାଗିଦା ଦୁଇ ନାଲିବତୀଧାରୀଙ୍କ ହୋସ୍ ଉଡାଇ ଲଜ୍ଜାରେ ମୁହଁ ତଳକୁ କରିଦେଇଥିଲା । ଏହା ଦେଖାଦେଖି ଗପସପରେ ମାତିଥିବା ଅନ୍ୟ ମନ୍ତ୍ରୀ ବିଧାୟକମାନେ ତରବରିଆ ଭାବେ ଗୃହ ଛାଡ଼ି ବାହାରକୁ ପଳାଇଥିଲେ । ବିଧାନସଭାରେ ଏଭଳି ଘଟଣା ସବୁଦିନିଆ ହୋଇଥିଲେ ମଧ୍ୟ ଖୋଦ୍ ଆଇନମନ୍ତ୍ରୀ ଓ ଉପମୁଖ୍ୟ ସଚେତକଙ୍କୁ ତାଗିଦ୍ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ବିଧାନସଭାରେ ଶୃଙ୍ଖଳା ରକ୍ଷା କରିବା ଦାୟିତ୍ୱ ଯାହାର ସେମାନେ ଯଦି ବିଶୃଙ୍ଖଳା କରନ୍ତି ତେବେ କହିବା କା କାହାକୁ?