– ‘ସାଂସଦ ସତ୍ୟପାଠରେ ଲୁଚାଇଛନ୍ତି ଇମ୍ଫା ଚାକିରି, ଦରମା’
– ‘କେନ୍ଦ୍ରାପଡ଼ାବାସୀଙ୍କୁ ପ୍ରତାରିତ କରିଛନ୍ତି’
– ‘ନୈତିକ ଅଧିକାର ନାହିଁ, ପଦରୁ ଓହରିଯାଅ’
– ମିଥ୍ୟା ସତ୍ୟପାଠର ନିର୍ଦ୍ଦିଷ୍ଟ ସ୍ପଷ୍ଟୀକରଣ ଦେଲେନି ବୈଜୟନ୍ତ
ଭୁବନେଶ୍ୱର: ବିଜେଡ଼ିରୁ ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଏକାଠି ହୋଇଛନ୍ତି କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀର ସମସ୍ତ ବିଜେଡ଼ି ବିଧାୟକ ଓ ଜିଲ୍ଲା ସଭାପତି । ବୈଜୟନ୍ତଙ୍କୁ ମିଛୁଆ,ପ୍ରତାରକ ଦର୍ଶାଇ କଡା ଭର୍ତ୍ସନା କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀ ଡାକି କହିଛନ୍ତି, ଇମ୍ଫାର ଜଣେ ନିୟମିତ କର୍ମଚାରୀ ଭାବେ ବୈଜୟନ୍ତ କୋଟି କୋଟି ଟଙ୍କା ଦରମା ନେଉଥିଲେ । ମାତ୍ର ୨୦୧୪ ନିର୍ବାଚନ ସତ୍ୟପାଠରେ ତାହା ଦର୍ଶାଇ ନ ଥିଲେ । ତଥ୍ୟ ଗୋପନୀୟ ରଖି ବୈଜୟନ୍ତ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀ ଭୋଟରଙ୍କୁ ଠକିଛନ୍ତି ଏବଂ ଭ୍ରମରେ ରଖିଛନ୍ତି । ତେଣୁ ସାଂସଦ ପଦରେ ରହିବାର ତାଙ୍କର ନୈତିକ ଅଧିକାର ନାହିଁ । ତୁରନ୍ତ ଇସ୍ତଫା ଦିଅନ୍ତୁ ।
୨୪ ତାରିଖରେ ବୈଜୟନ୍ତ ଦଳରୁ ନିଲମ୍ବିତ ହୋଇଥିଲେ । ବିଜେଡ଼ି ତାଙ୍କ ବିରୋଧରେ ତିନି ତିନୋଟି ସଙ୍ଗୀନ ଅଭିଯୋଗ ଆଣିଥିଲା । ସେଥିରେ ମିଥ୍ୟା ସତ୍ୟପାଠ ମାମଲାକୁ ଯୋଡିଛନ୍ତି ତାଙ୍କ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦଳୀୟ ବିଧାୟକମାନେ । ବୈଜୟନ୍ତଙ୍କ ବିରୋଧରେ ବିଜେଡ଼ି କେତେ କଠୋର ତାହା ଆଜିର ଏହି ସାମ୍ବାଦିକ ସମ୍ମିଳନୀରୁ ସ୍ପଷ୍ଟ ହୋଇଛି । ‘ଆମେ କେନ୍ଦ୍ରାପଡ଼ା ଜିଲ୍ଲାର ବିଜୁ ଜନତା ଦଳର ସମସ୍ତ ଲୋକପ୍ରତିନିଧି ଏବଂ ଦଳୀୟ କର୍ମୀ ଦିନରାତି ନିଜ ରକ୍ତକୁ ପାଣି କରି ୨୦୧୪ ନିର୍ବାଚନରେ ତାଙ୍କୁ ଜିତାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲୁ । ମାତ୍ର ଶ୍ରୀ ପଣ୍ଡାଙ୍କର ନୀତିହୀନ କାର୍ଯ୍ୟକଳାପ ଦ୍ୱାରା ଠକି ଯାଇଛୁ । ଏବେ ଆଉ କେନ୍ଦ୍ରାପଡ଼ା ସାଂସଦ ଭାବରେ ରହିବାର କୌଣସି ନୈତିକ ଅଧିକାର ନାହିଁ । ଏଣୁ ଇମ୍ଫାର ଉପାଧ୍ୟକ୍ଷ ଶ୍ରୀ ପଣ୍ଡା ତୁରନ୍ତ ନୈତିକ ଦାୟିତ୍ୱ ବହନ କରି କେନ୍ଦ୍ରାପଡ଼ା ସାଂସଦ ପଦରୁ ଓହରିଯାଆନ୍ତୁ ।’
ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲ୍, ମାହାଙ୍ଗା ବିଧାୟକ ପ୍ରତାପ ଜେନା, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ,କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇ, କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡ଼ି ସଭାପତି ଧ୍ରୁବ ସାହୁ ଏବଂ ଦଳର ମୁଖପାତ୍ର ଡ. ସସ୍ମିତ୍ ପାତ୍ରଙ୍କୁ ନେଇ ଅନୁଷ୍ଠିତ ପ୍ରେସ୍ ମିଟରେ କୁହାଯାଇଛି, ବୈଜୟନ୍ତ ପଣ୍ଡା ଇମ୍ଫାର ଜଣେ କର୍ମଚାରୀ ଭାବେ ଆୟକର ଅଧିନିୟମ, ୧୯୬୧ର ଧାରା ୧୭(୧) ଏବଂ ଧାରା ୧୭(୨)ର ବିଧି ବ୍ୟବସ୍ଥା ଅନୁଯାୟୀ ଦରମା ନେଇଛନ୍ତି । ଇମ୍ଫାର ଉପସଭାପତି ଭାବେ ଦରମା ଓ ଭତ୍ତା ବାବଦରେ ବିଗତ କିଛି ବର୍ଷ ମଧ୍ୟରେ ୨ କୋଟି ୭୯ ଲକ୍ଷ, ୧ କୋଟି ୪୫ ଲକ୍ଷ, ୧ କୋଟି ୬୧ ଲକ୍ଷ ଏବଂ ୭ କୋଟି ୬୬ ଲକ୍ଷ ଟଙ୍କା ନେଇଛନ୍ତି । ମାତ୍ର ଲୋକସଭା ପ୍ରାର୍ଥୀ ଭାବେ ମନୋନୟନ ପତ୍ର ଦାଖଲ ବେଳେ ଦାଖଲ କରିଥିବା ସତ୍ୟପାଠରେ ଏହା ଦର୍ଶାଇନାହାନ୍ତି । ଫର୍ମ ନଂ ୨୬ର କ୍ରମିକ ୯ରେ ଜଣେ ପ୍ରାର୍ଥୀ ନିଜର ବୃତ୍ତି କିମ୍ବା ନିଯୁକ୍ତି ସମ୍ପର୍କରେ ଦର୍ଶାଇବା ଅନିବାର୍ଯ୍ୟ ଯାହା ଶ୍ରୀ ପଣ୍ଡା ଲୁଚାଇଛନ୍ତି । ଏହା ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଂଘନ ।
ସାଂସଦ ଶ୍ରୀ ପଣ୍ଡା ଆଉ କେନ୍ଦ୍ରାପଡ଼ା ସାଂସଦ ଭାବରେ ରହିବାର କୌଣସି ନୈତିକ ଅଧିକାର ନାହିଁ ଏବଂ ତୁରନ୍ତ ନୈତିକ ଦାୟିତ୍ୱ ବହନ କରି ସାଂସଦ ପଦରୁ ଓହରି ଯାଆନ୍ତୁ ବୋଲି ବିଧାୟକମାନେ ଦାବି କରିଛନ୍ତି । ନିଜ ସତ୍ୟପାଠରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୁଚାଇଥିବା ଶ୍ରୀ ପଣ୍ଡାଙ୍କୁ ଭୋଟ ଦେଇ ଜିତାଇଥିବା ସମସ୍ତ ଭୋଟର ତାଙ୍କର ଏଭଳି ଅନୈତିକ କାର୍ଯ୍ୟ ଯୋଗୁଁ ପ୍ରତାରିତ ହୋଇଥିବା ସେମାନେ କହିଛନ୍ତି ।
ସେପଟେ ଆଜି ଦିଲ୍ଲୀରୁ ଫେରି କେନ୍ଦ୍ରାପଡ଼ା ଯାଇଥିବା ସାଂସଦ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି । ହେଲେ କେଉଁଟା ମିଥ୍ୟା ତାହାର ସ୍ପଷ୍ଟୀକରଣ ଦେଇନାହାନ୍ତି । ବିଜେଡ଼ି ସାମ୍ବାଦିକ ସମ୍ମିଳନୀରେ ବୈଜୟନ୍ତଙ୍କ ସତ୍ୟପାଠରେ ତଥ୍ୟ ଲୁଚାଇଥିବା ପ୍ରସଙ୍ଗ ଉଠାଯାଇଥିଲା ବେଳେ ଅଫିସ୍ ଅଫ ପ୍ରଫିଟ୍ କଥା କୁହାଯାଇନାହିଁ । ମାତ୍ର ବୈଜୟନ୍ତ ମୂଳ ପ୍ରସଙ୍ଗରୁ ନଜର ହଟାଇ ନିଜ ଆଡୁ ଅଫିସ୍ ଅଫ ପ୍ରଫିଟ୍ ପ୍ରସଙ୍ଗ ଉଠାଇଛନ୍ତି ଆଉ ନିଜକୁ ନିଦେ୍ର୍ଦାଷ ସଫେଇ ଦେଇଛନ୍ତି । ଇମ୍ଫା ପଦବୀ ଓ ଦରମା ସମ୍ପର୍କରେ ସେ କାହିଁକି ନିର୍ବାଚନୀ ସତ୍ୟପାଠରେ ଦର୍ଶାଇ ନାହାନ୍ତି ତାହାର ଜବାବ ଦେଇନାହାନ୍ତି ।
ଶ୍ରୀ ବଳଦେବଜୀଉଙ୍କ ଆର୍ଶିବାଦପ୍ରାପ୍ତି ନାଁରେ ବୈଜୟନ୍ତ କେନ୍ଦ୍ରାପଡ଼ାରେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଯାଇଥିବା କୁହାଯାଉଥିବା ବେଳେ ଶ୍ରୀ ବଳଦେବଜୀଉଙ୍କ ଦର୍ଶନ କରି ମନର ଶାନ୍ତି ପାଇବା ପାଇଁ ଯାଇଛନ୍ତି ଏବଂ ୩/୪ ଦିନ ଭିତରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି ବୈଜୟନ୍ତ କହିଛନ୍ତି ।