ଭୁବନେଶ୍ୱର: ଅଜିତ୍ ଯୋଗୀ ଆଣିଥିବା ଚିଦାମ୍ବରମ୍- ବୈଜୟନ୍ତ ‘ଜୟ’ ପଣ୍ଡା ବ୍ୟବସାୟିକ ଲିଙ୍କ୍ ଅଭିଯୋଗ ଖବରଟି ଗଣମାଧ୍ୟମରେ ଦିନେ ଦି ଦିନ ହାଲକା ଭାବେ ଚାଲିଲା ପରେ ଚାପି ହୋଇଗଲା । ବିରୋଧୀ ରାଜନୈତିକ ଦଳ ଓ ସାମାଜିକ ସଂଗଠନଗୁଡ଼ିକର ପାଟି ଫିଟିଲାନି । ବିଜେପି ତ ଖୋଲାଖୋଲି ଜୟଙ୍କ ପକ୍ଷ ନେଇଗଲା । ଜୟ ପଣ୍ଡାଙ୍କ ରାଜନୈତିକ ଗୁମାସ୍ତା ତୃତୀୟ ମହଲା ଅଣଓଡ଼ିଆ ଅଫିସରଙ୍କୁ ମାମଲାରେ ଜବରଦସ୍ତ ପୂରାଇ ବାହାବା ନେବାକୁ ଚେଷ୍ଟା କଲେ । ବିଜେପି ପ୍ରେସ୍ ମିଟ୍ କରି ତାହାର ପାଳି ଧରିଲା ଏବଂ ମୂଳ ମାମଲାରୁ ନଜର ହଟାଇ ସେହି ତୃତୀୟ ମହଲା ଅଣଓଡ଼ିଆ ଅଫିସରଙ୍କ ନାଁ ନେଇ ଜୟ ପଣ୍ଡା କ୍ୟାମ୍ପକୁ ଖୁସି କରାଇଲା ।
ଅଜିତ୍ ଯୋଗୀ ଦିଲ୍ଲୀରେ ପ୍ରେସ୍ ମିଟ୍ କଲା ଦିନ ଜୟ ପଣ୍ଡା ବି ଦିଲ୍ଲୀରେ ଥିଲେ । ଦୁଇ ଦିନ ପରେ ଓଡ଼ିଶା ଆସି କେନ୍ଦ୍ରାପଡ଼ା ବନ୍ୟାଞ୍ଚଳ ବୁଲିଗଲେ । ଦୁଇ ଦିନ ରହି ରାକ୍ଷୀ ପୂର୍ଣ୍ଣମୀ ଦିନ ଦିଲ୍ଲୀ ପଳେଇଲେ । ଯୋଗୀଙ୍କ ଅଭିଯୋଗ ଉପରେ ଜୟ ଭୁବନେଶ୍ୱରରେ ପ୍ରେସ୍ ମିଟ୍ କରି ନିଜର ସ୍ପଷ୍ଟୀକରଣ ରଖିବେ ବୋଲି ଗୁମାସ୍ତା କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ । ମାତ୍ର ତାହା ହେଲାନି । ଜୟ କିଛି ନ ଜାଣିଲା ଭଳି ଅଭିନୟ କଲେ । ତାଙ୍କୁ ଏ ବିଷୟରେ ପଚାରିବାକୁ କାହାରିକୁ ସୁଯୋଗ ବି ଦେଲେନି । ନିଜେ ଚୁପ୍ ରହି ସମସ୍ତଙ୍କୁ ଚୁପ୍ କରାଇଦେଲେ । ତାଙ୍କ ଟୁଇଟ୍ ରୁ ସେ ସମ୍ପର୍କରେ ପଦେ ବାହାରିଲାନି । ମଉନେ ସମ୍ମତି ଲକ୍ଷଣ ନ୍ୟାୟରେ ଯୋଗୀଙ୍କ ଅଭିଯୋଗ ଯେ ଶତପ୍ରତିଶତ ସତ ତାହା ସେ ମାନିଯାଇଥିବା ଜୟଙ୍କ କାର୍ଯ୍ୟକଳାପ ସୂଚାଇ ଦେଇଛି । ସେଥିରେ ସନ୍ଦେହର ସାମାନ୍ୟ ଅବକାଶ ଛାଡ଼ିନାହାନ୍ତି ।
ଅଜିତ୍ ଯୋଗୀଙ୍କ ଅଭିଯୋଗଟି ନିହାତି ସାଂଘାତିକ । ଚିଦାମ୍ବରମ୍ ଲିଙ୍କ୍ ଅଭିଯୋଗ ଜରିଆରେ କଂଗ୍ରେସ ସହ ଜୟଙ୍କ ବ୍ୟବସାୟିକ ସମ୍ପର୍କର ଗୁମର ଖୋଲିଦେଇଛନ୍ତି । ମାତ୍ର ଚତୁର ଜୟ ପାଟି ଚୁପ୍ ରଖି ମାମଲାଟିକୁ ବାଏଁ ବାଏଁ ଉଡ଼ାଇ ଦେବାରେ ସମର୍ଥ ହୋଇଛନ୍ତି । ରାଜନୈତିକ ମହଲର ଚର୍ଚ୍ଚା ଅନୁଯାୟୀ, ଜୟ ପଣ୍ଡାଙ୍କ ବିଚକ୍ଷଣତାକୁ ମାନିବାର କଥା । ନବୀନଙ୍କ ଆର୍ଶିବାଦ ଭିକ୍ଷାରେ ବିଜେଡିକୁ ରାଜନୈତିକ ପ୍ଲାଟଫର୍ମ କରିଛନ୍ତି । ବାରମ୍ବାର ସାଂସଦ ହୋଇ ଦିଲ୍ଲୀରେ କାଟତି ବଢ଼େଇଛନ୍ତି । ତେଣେ ନିଜର ବ୍ୟବସାୟିକ ସ୍ୱାର୍ଥ ପାଇଁ କଂଗ୍ରେସର ହାତ ଧରିଛନ୍ତି । ଆଉ ଏବେ ନିଜର ରାଜନୈତିକ ଓ ବ୍ୟବସାୟିକ ସୁରକ୍ଷା ପାଇଁ ମୋଦିଙ୍କ ପ୍ରଶଂସା ଗାନ କରୁଛନ୍ତି । ତାମାନେ ଗୋଟେ ଗୁଳିରେ ତିନି ତିନିଟି ଶିକାର କରୁଛନ୍ତି ଜୟ । ବିଜେଡ଼ି, କଂଗ୍ରେସ ଓ ବିଜେପି ସମସ୍ତଙ୍କର ସେ ଗେହ୍ଲାପୁଅ । ଏଭଳି ଚତୁର ଓ ଧୂର୍ତ୍ତ ରାଜନେତା ଓଡ଼ିଶା ରାଜନୀତିରେ ବିରଳ ବୋଲି ସାଧାରଣରେ ଆଲୋଚନା ହେଉଛି ।
ଯାହା ବି ହେଉ, ବୈଜୟନ୍ତ ଓରଫ୍ ଜୟ ଜଣେ ଉଚ୍ଚଶିକ୍ଷିତ ଓ ସମ୍ବ୍ରାନ୍ତ ପରିବାରର ପୁଅ । ଏକ ସଂସ୍କୃତିସମ୍ପନ୍ନ ଓ ଦାୟିତ୍ୱବାନ ରାଜନେତା ହିସାବରେ ଓଡ଼ିଶାବାସୀଙ୍କ ପାଖରେ ତାଙ୍କର ଉତ୍ତରଦାୟିତ୍ୱ ରହିଛି । ନିଜକୁ ଆଦର୍ଶବାନ ରାଜନେତା ବୋଲି ନିଜର ଟୁଇଟ୍ ଓ ପ୍ରବନ୍ଧ ମାଧ୍ୟମରେ ବାରମ୍ବାର ଦର୍ଶାଇବାକୁ ଚେଷ୍ଟା କରିଛନ୍ତି । ନିଜ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ଦଳର ସୁପରିଚାଳନା ପାଇଁ ନୀତି ଆଦର୍ଶର ପାଠ ପଢ଼ୋଉଛନ୍ତି । ଦଳ ଆତ୍ମସମୀକ୍ଷା କରିବାକୁ ପରାମର୍ଶ ଦେଉଛନ୍ତି । ସେହି ସମୟରେ ଅଜିତ୍ ଯୋଗୀ ଆଣିଥିବା ଗମ୍ଭୀର ପ୍ରସଙ୍ଗର ଜବାବ ଦେବା ବଦଳରେ ଚୁପ୍ ରହି ନିଜ ନୀତି ଆଦର୍ଶକୁ ଜଳାଞ୍ଜଳି ଦେବା ଠିକ୍ ହୋଇନାହିଁ । ନିଜର ସ୍ୱଚ୍ଛତାର ପ୍ରମାଣ ଦେବା ପାଇଁ ସେ ସାମନା ଲଢ଼େଇକୁ ଆସିବା ଦରକାର ବୋଲି ବୁଦ୍ଧୀଜୀବୀ ମହଲରେ ଆଲୋଚନା ହେଉଛି ।
Continue Reading