ବାଙ୍କୀ: ବାପାମାଆଙ୍କ କୋଳରେ ରାତିରେ ଶୋଇଥିବା ଶେଯରୁ ୧୫ ଦିନର ଶିଶୁପୁତ୍ରକୁ ମାଙ୍କଡ଼ ଟେକିନେବା ଭଳି ଅଭାବନୀୟ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ବାଙ୍କୀର ତାଳବସ୍ତ ଗାଁରେ ଘଟିଥିବା ଏହି ହୃଦୟ ବିଦାରକ ଘଟଣାରେ ବନ ବିଭାଗ ଓ ସ୍ଥାନୀୟ ଗ୍ରାମବାସୀଙ୍କ ଦିନତମାମ ଅକ୍ଲାନ୍ତ ଉଦ୍ୟମ ଫେଲ୍ ମାରିଛି । ପାଖ ଜଙ୍ଗଲରେ ତନ୍ନ ତନ୍ନ ତଲାସୀ ପରେ ବି ସଂଧ୍ୟା ସୁଦ୍ଧା ଶିଶୁପୁତ୍ରକୁ ସେମାନେ ଖୋଜି ପାଇନାହାନ୍ତି ।
ତାଳବସ୍ତ ଗାଁର ରାମକୃଷ୍ଣ ଓ ସରୋଜିନୀ ନାୟକଙ୍କର ୧୫ ଦିନର ପୁଅ । ଜନ୍ମବେଳୁ ଅସୁସ୍ଥ ଥାଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲା । ଛୁଆଟି ଭଲରେ କାନ୍ଦିପାରୁ ନ ଥିଲା । ତାର ସ୍ୱାସ୍ଥ୍ୟ ନେଇ ବାପାମାଆ ଚିନ୍ତିତ ଥିଲେ । ସବୁଦିନ ଭଳି ଗତକାଲି ରାତିରେ ବାପାମାଆ ଘରର ଅଗଣାରେ ଶେଯ ଓ ମଶାରି ଟାଙ୍ଗୀ କଅଁଳ ପୁଅକୁ କୋଳରେ ଶୁଆଇଥିଲେ । ପାହାନ୍ତାରେ ବାପା ଉଠି ନିତ୍ୟକର୍ମକୁ ଚାଲିଯାଇଥିଲେ । ସକାଳ ପ୍ରାୟ ସାଢ଼େ ଛଅଟା ବେଳେ ମାଆ ଶେଯରୁ ଉଠି ଶୌଚ ପାଇଁ ଯାଇଥିଲେ । ଶେଯରେ ମଶାରି ଭିତରେ ଏକା ଶୋଇଥିଲା ପୁଅ । ଏହି ସମୟରେ ହଠାତ୍ ଏକ ମାଙ୍କଡ଼ ଆସି ମଶାରି ଭିତରୁ ଟେକିନେଇଥିଲା ଶିଶୁପୁଅଟିକୁ । ପିଲାଟିକୁ କାଖରେ ଜାକି ମାଙ୍କଡ଼ ଦ୍ରୁତ ବେଗରେ ଡେଇଁ ପଳାଉଥିବା ବେଳେ କିଛି ଗ୍ରାମବାସୀଙ୍କ ନଜରରେ ପଡ଼ିଥିଲା । ମାତ୍ର ସେମାନେ କିଛି ବୁଝିବା ପୂର୍ବରୁ ମାଙ୍କଡ଼ଟି ଜଙ୍ଗଲ ଭିତରକୁ ଚମ୍ପଟ୍ ମାରିଥିଲା ।
ଘଟଣାଟି ବିଜୁଳି ବେଗରେ ପ୍ରଚାରିତ ହୋଇଗଲା ପରେ ସ୍ଥାନୀୟ ଗ୍ରାମବାସୀ ଆଗ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ଖବର ଦେଇ ଖୋଜାଖୋଜିରେ ଲାଗିପଡ଼ିଥିଲେ । ସମସ୍ତେ ହାତରେ ଠେଙ୍ଗାବାଡ଼ି ଧରି ଗାଁକୁ ଘେରି ରହିଥିବା ଜଙ୍ଗଲର ତଲାସୀ କରିଥିଲେ । ପରେ ଗ୍ରାମବାସୀଙ୍କ ସହ ଜଙ୍ଗଲ ବିଭାଗର ୫୦ କର୍ମଚାରୀ ୫ଟି ଦଳରେ ବିଭକ୍ତ ହୋଇ ସର୍ଚ୍ଚ ଅପରେସନ୍ ରେ ଲାଗିଛନ୍ତି । ଗଛ କୋରଡ଼ ଓ ଭାଡ଼ି ଗୁଡ଼ିକରେ ଚଢ଼ି ସର୍ଚ୍ଚ ଚଳାଇଛନ୍ତି । ତେବେ ସଂଧ୍ୟା ସୁଦ୍ଧା ଶିଶୁପୁତ୍ରଟିର କୌଣସି ସନ୍ଧାନ ମିଳିପାରିନାହିଁ ।
ସେପଟେ ନିଜ ଛୁଆକୁ ଅକ୍ଷତ ଅବସ୍ଥାରେ ପାଇବା ପାଇଁ ଗ୍ରାମ ହନୁମାନ ମନ୍ଦିରେ ବାପା ରାମକୃଷ୍ଣ ଅଧିଆ ପଡ଼ିଛନ୍ତି । ମାଆ ସରୋଜିନୀ ବି କାନ୍ଦି କାନ୍ଦି ଗଡ଼ୁଛନ୍ତି । ଖାଲି ପରିବାର ନୁହେଁ, ସମଗ୍ର ଗ୍ରାମବାସୀଙ୍କ ଆଖିରେ ଲୁହ ଭରିଯାଇଛି । ଶିଶୁପୁତ୍ରଟିକୁ ମାଙ୍କଡ଼ ଟେକିନେବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି । ତାକୁ ଖୋଜି ବାହାର କଲା ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ୍ ଜାରି ରଖିବାକୁ ବନବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।
ଜୀବନରେ ଦୁଃଖ କେତେବେଳେ କାହା ପାଖକୁ କେଉଁ ରୂପରେ ଆସେ ତାହାର ଜ୍ୱଳନ୍ତ ଉଦାହରଣ ତାଳବସ୍ତର ଏହି ଅଭାବନୀୟ ଘଟଣା । ସକାଳୁ ସକାଳୁ ଆଖି ଆଗରେ ଏଭଳି ଏକ ଘଟଣାକୁ କେହି ବି ଗ୍ରହଣ ଗ୍ରହଣ କରିପାରୁନାହାନ୍ତି । ଜନ୍ମକଲା ବାପାମାଆଙ୍କ ଅବସ୍ଥା କ’ଣ ହେଉଥିବ ତାହାକୁ ନେଇ ସାରା ରାଜ୍ୟରେ ଦିନତମାମ ଚର୍ଚ୍ଚା । ଶିଶୁଟିର ଅକ୍ଷତ ଜୀବନ ପାଇଁ ସମସ୍ତେ ପ୍ରାର୍ଥନା କରୁଥିଲେ ମଧ୍ୟ ରାତି ବଢ଼ିବା ସହ ଆଶା ମଉଳିବାରେ ଲାଗିଛି । ନିଜ ଜନ୍ମକଲା କଅଁଳ ଶିଶୁର ଜୀବନ ଚିନ୍ତାରେ ବାପାମାଆ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି । ଗ୍ରାମବାସୀଙ୍କ ଚୁଲି ଜଳୁନାହିଁ । ସମସ୍ତଙ୍କ ପ୍ରାର୍ଥନା ଭଗବାନ ଅଲୌକିକ ଶକ୍ତି ଦେଖାଇ ଶିଶୁଟିକୁ ଫେରାଇ ଦିଅନ୍ତୁ ।