ଅତିଥି ସ୍ତମ୍ଭ
ଦିଲ୍ଲୀପ ସାବତ
ଗାଁ’ ଚାହା ଦୋକାନରେ ଚାଲିଥାଏ ଖରାବେଳିଆ ଖଟି । ଗାଁର ହାଲ୍ ଚାଲ୍, ରାଜ୍ୟ ରାଜନୀତି ସହିତ ଆହୁରି ଅନେକ କିଛି ଖଟିରେ ଚର୍ଚ୍ଚା ହେଉଥାଏ । ଖରାପାଗ ସାଙ୍ଗକୁ ଗରମ ଚାହା ଯେମିତି ଖଟିର ତାପମାତ୍ରାକୁ ବଢାଇ ଦେଉଥାଏ । ଏହି ଗରମାଗରମ୍ ଖଟି ଠାରୁ ନିଜକୁ ଦୂରେଇ ଦେଇ ନିରବରେ ବସିଥାନ୍ତି ଗଙ୍ଗାଧର । ଦୁଇଗୋଡକୁ ମୁଦ୍ଦି, କାନ୍ଥରେ ପିଠିକୁ ଭରାଦେଇ ଚୁପଚାପ୍ ଚାହା ପିଉଥାନ୍ତି । ଆମକୁ ଦେଖିବା କ୍ଷଣି ହଠାତ୍ ଉଠିଯାଇ ସାମ୍ନାରେ ଆସି ଠିଆ ହୋଇଗଲେ । ୮ଫୁଟିଆ ମଣିଷ, ବିରାଟକାୟ ଚେହେରା । ଖଣ୍ଡେ ଧଳା ଧୋତି ଆଉ ହାତକଟା ଗଞ୍ଜି ପିନ୍ଧିଥାନ୍ତି । ଏକଦା ଏକର ଏକର ଜମି ଏକାକି ଚାଷ କରିବାର କ୍ଷମତା ରଖୁଥିବା ବଳିଷ୍ଠ ଚେହେରା ମଳିନ ପଡିଯାଇଥିଲେ ମଧ୍ୟ ଦମ୍ଭ ହରାଇନଥିଲେ ସେ । ମୁହଁକୁ ଚାହିଁଲେ କେହି କହି ପାରିବେନି ଯେ, ସ୍ମିତହାସ୍ୟ ଗମ୍ଭୀର ମୁଖପଛରେ ତାଙ୍କରି ଭରିରହିଛି ଅନେକ ଅକଥନୀୟ ଯନ୍ତ୍ରଣା ।
ଗଙ୍ଗାଧରଙ୍କର ନିଜର ଚାଷଜମି ବୋଲି କିଛି ନାହିଁ । ସେ ହେଲେ ଭାଗ ଚାଷୀ । ନିଜର କହିଲେ ୩ ହାତର ପୈତୃକ ଘର ଖଣ୍ଡିକ । ଅନ୍ୟର ଜମିକୁ ଚାଷକରି ପରିବାର ଚଳାନ୍ତି । ଗୋଟିଏ ଝିଅ ପୁଅ ଆଉ ତାଙ୍କ ସହଧର୍ମିଣୀଙ୍କୁ ନେଇ ତାଙ୍କର ପରିବାର । ଝିଅକୁ ବାହା ଦେବାର ବର୍ଷକ ପରେ ପୁଅଟିର ବାହାଘର ଅତି ଧୂମ୍ ଧାମରେ କଲେ । ଉଭୟଙ୍କ ବିବାହ ସରିଲା ପରେ ଅତ୍ୟନ୍ତ ଖୁସି ଥିଲେ । ଭଗବାନଙ୍କର ଆଶୀର୍ବାଦରୁ ଯେମିତି ଜୀବନର ଅଧା ଦାୟିତ୍ୱ ଅତି ଭଲରେ ଭଲରେ ତୁଟିଗଲା । ପୁଅ ଏବେ ଧିରେ ଧିରେ ଘର ଦାୟିତ୍ୱ ହାତକୁ ନେଲାଣି । ଗଙ୍ଗାଧରଙ୍କର ଆଉ ଚିନ୍ତା ନାହିଁ । ବାକି ଜୀବନଟା ଶାନ୍ତିରେ କଟିଯିବ । ହେଲେ ତାହା ହେଲା ନାହିଁ ! ଭଗବାନଙ୍କ ଇଚ୍ଛା ଥିଲା କିଛି ଅଲଗା ।
ବିବାହର କେଇଟା ବର୍ଷ ନପୁରୁଣୁ କୌଣସି କାରଣରୁ ପୁଅ ଆତ୍ମହତ୍ୟା କଲା । ଯେଉଁ ବୁଢା ବାପକୁ ମଲା ବେଳେ ପୁଅ କାନ୍ଧ ଦେବା କଥା, ବୁଢା ବାପ ନିଜ ଭେଣ୍ଡିଆ ପୁଅକୁ କାନ୍ଧେଇ ନେଉଛି । ପୁଅ ଚାଲିଗଲା ଦୁଃଖରେ ଅତ୍ୟନ୍ତ ଭାଙ୍ଗିପଡିଲେ ଗଙ୍ଗାଧର । ବଞ୍ଚିବାର ଆଶା ତାଙ୍କର ମଉଳି ଗଲା । ହେଲେ ଘରକୁ ନାତିଟିଏ ଆସିବା ଖବର ପାଇବା ପରେ ଯେମିତି ଜୀବନ୍ୟାସ ପାଇଲେ । ନାତି ମୁହଁକୁ ଚାହିଁ ପୁଅ ହରାଇବାର ଦୁଃଖକୁ ଭୁଲିବାକୁ ଚେଷ୍ଟା କରୁଥିଲେ । ମୁଣି ସଂସାର ବାନ୍ଧିବାକୁ ଅଣ୍ଟା ସଳଖ କରୁଥାନ୍ତି । ଏତିକି ବେଳେ ଆଉ ଏକ ଦୁଃଖଦ ଘଟଣା ତାଙ୍କ ମେରୁଦଣ୍ଡକୁ ଭାଙ୍ଗି ଚୁର୍ମାର କରିଦେଲା ! ଧର୍ମପତ୍ନୀଙ୍କର ଦେହାନ୍ତ ଘଟିଲା । ଜୀବନର ଚଲାପଥରେ ତାଙ୍କୁ ଏକୁଟିଆ ଛାଡିଦେଇ ଜୀବନସାଥୀ ଏକା ଏକା ଚାଲିଗଲେ । ଏକ ଅଜଣା ରୋଗ ନେଇଗଲା ତାଙ୍କ ଜୀବନ । ପୁଅ ପଛେ ପଛେ ପତ୍ନୀ ଚାଲିଯିବା ଦୁଃଖରେ ସେ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡିଲେ । ଘର ଯେମିତି ଖାଲି ଖାଲି ଲାଗୁଥାଏ । ହୃଦୟକୁ ପଥର କରି ବୃଦ୍ଧ ଗଙ୍ଗାଧର ନାତିର ଜଞ୍ଜାଳ ମୁଣ୍ଡାଇବା ଲାଗି ପୁଣି ମୂଲ ମଜୁରୀ ପାଇଁ ଅଣ୍ଟା ଭିଡିଲେ । ଗାଁ’ର ଅନେକ ଲୋକ ତାଙ୍କୁ ବିଦେଶରେ କାମକରିବାକୁ ବହୁବାର କହିଥିଲେ । ହେଲେ ସେ ଗାଁ’ ଛାଡିବାକୁ ଆଦୌ ପ୍ରସ୍ତୁତ ନଥିଲେ । ସେ ଚାହୁଁଥିଲେ ନିଜ ନାତି ମୁହଁକୁ ଚାହିଁ ଶେଷ ନିଶ୍ୱାସ ତ୍ୟାଗ କରିବେ । ହେଲେ ସବୁବେଳେ ତାଙ୍କ ଇଚ୍ଛାର ଠିକ୍ ଓଲଟା ହୁଏ ବୋଲି ସେ ତିଳେ ବି ଆଭାସ ପାଉନଥିଲେ ।
ନାତି ପୋଲିଓରେ ଆକ୍ରାନ୍ତ ହେଲା । ଡାହାଣ ଗୋଡଟି ଠିଆହେବା ଯେଗ୍ୟ ହେଲା ନାହିଁ । ତାକୁ କାନ୍ଧରେ ବୋହି ବୋହି ସ୍କୁଲରେ ନେଇ ଛାଡୁଥିଲେ ଆଉ ଆଣୁଥିଲେ । ଗାଁ’ ସରପଞ୍ଚ ଆଉ ସ୍ଥାନୀୟ ବିଡିଓଙ୍କ ପାଖରେ ଅନେକ ନେହୁରା ହେଲା ପରେ ନାତି ପାଇଁ ୩ ଚକିଆ ସାଇକଲ ଖଣ୍ଡେ ଆସିଲା । ହେଲେ ଘରର ଆର୍ଥିକ ସମସ୍ୟା, ପରିବାରର ବିଭିନ୍ନ ଅବ୍ୟବସ୍ଥା ଆଉ ଅସୁବିଧା କାରଣରୁ ନାତିର ପାଠ ପଢା ଅଧାରେ ରହିଗଲା । ଶେଷରେ କିଛି ଗାଁ’ର କିଛି ଦାଦନ ଶ୍ରମିକଙ୍କ ସହିତ ମିଶି ଚେନ୍ନାଇ ଚାଲିଗଲା । ସେଠାର କିଛିମାସ ରହିବା ପରେ ସେ ଗାଁ’କୁ ଫେରି ଆସି ଆଉ ଗଲା ନାହିଁ । ଏବେ ସେ ଗାଁ’ରେ ହାଲୁକା ମଜୁରି କାମ କରୁଛି । ତେବେ ଘରର ଜଟିଳ ଆର୍ଥିକ ପରିସ୍ଥିତି ହେଉ ଅବା ପାରିବାରିକ ସମସ୍ୟା କାରଣରୁ ୭୦ ବର୍ଷର ପରିଣତ ବୟସରେ ଗଙ୍ଗାଧର ବାହାରିଛନ୍ତି ଗାଁ’ ଛାଡି ଚାଲିଯିବାକୁ । ଏମିତି ଏକ ଜାଗା ଯେଉଁଠି କାମରେ ଅଧିକ ପରିଶ୍ରମ ନଥିବ ଆଉ ରହିବାକୁ ଛାତ ଖଣ୍ଡେ ମିଳିବ ଆଉ ଦୁଇ ବେଳା ଦୁଇ ମୁଠା ଖାଇବାକୁ ମିଳିବ । ବାଶ୍ ଏତିକି ହେଲେ ଶେଷ ନିଶ୍ୱାସ ଯାଏଁ ସେଠାରେ ରହିବାକୁ ପ୍ରସ୍ତୁତ ଅଛନ୍ତି ।
ଅତ୍ୟନ୍ତ ସ୍ୱାଭିମାନୀ ଆଉ ଉଚ୍ଚ ବିଚାର ସ୍ୱଭାବି ଗଙ୍ଗାଧର । ଖଣ୍ଡିଏ କାମ ପାଇଁ ଦୁଇପଦ କଥା ଆମ ଆଗରେ ପ୍ରକାଶ କରୁଥିବା ବେଳେ ସିଂହ ଭଳି ଶରୀର ଭିତରେ ଥିବା କଅଁଳିଆ ହୃଦୟର କାନ୍ଦ ବେଶ୍ ବାରିହୋଇ ପଡୁଥିଲା । ତାଙ୍କରି ଏଭଳି ବିଡମ୍ବନାକୁ ମନ୍ଦ କପାଳ, ନିୟତିର ଖେଳ, ପୂର୍ବ ଜନ୍ମର ଫଳ ଇତ୍ୟାଦି ଇତ୍ୟାଦି କହି ଅନେକେ ଆଖି ଫେରାଇ ନିଅନ୍ତି । ହେଲେ ଏଭଳି ସମସ୍ୟାର ସମାଧାନ ପାଇଁ କେହି ଆଗେଇ ଆସିନାହାନ୍ତି କିମ୍ବା ତାଙ୍କ ପାଇଁ କେହି କାହା ଆଗରେ କେବେ କହିନାହାନ୍ତି । କେବଳ ଗଙ୍ଗାଧର ନୁହଁନ୍ତି, ଗାଁ’ ଗାଁ’ରେ ତାଙ୍କ ଭଳି ଅନେକ ମଣିଷ ପରିଣତ ବୟସରେ ନିଜକୁ ଅସହାୟ ଆଉ ଅଦରକାରୀ ମଣୁଛନ୍ତି । ଏହି ଭଳି ବୟୋଜ୍ୟେଷ୍ଠ ବ୍ୟକ୍ତିବିଶେଷଙ୍କ ସ୍ୱାଭିମାନ ଆଉ ସମ୍ମାନ ପାଇଁ ସମାଜରେ ବିଧିବଦ୍ଧ ବ୍ୟବସ୍ଥା ସୃଷ୍ଟିକରିବା ହେଉଛି ଆଜିର ଏକ ବିରାଟ ଆହ୍ୱାନ । ଭୂପୃଷ୍ଠରେ ଗଙ୍ଗାର ନିରନ୍ତର ପ୍ରବାହ ପାଇଁ ରାଜା ଭଗୀରଥଙ୍କର ଅମର କିର୍ତ୍ତୀକୁ ଆଜି ବି ଆମେ ମନେରଖିଛୁ । ତେବେ ଗଙ୍ଗାଧରଙ୍କ ଭଳି ସଦା ନମସ୍ୟ ବୟୋଜ୍ୟେଷ୍ଠଙ୍କ ପାଇଁ ସମାଜରେ ଭଗୀରଥମାନଙ୍କ ଆବଶ୍ୟକତା ରହିଛି ।