ଭୁବନେଶ୍ୱର: ବିଜୟ ମହାପାତ୍ର କିଏ ? ଏବେକାର ରାଜନୀତିରେ ଆଗ୍ରହ ରଖୁଥିବା ଓଡ଼ିଶାର ଯୁବପୀଢ଼ି ଏହି ନାଁଟିକୁ ଜାଣିଥିବେ ନା ନାହିଁ ସନ୍ଦେହ। ନିଜେ ବିଜୟ ମହାପାତ୍ର ବି ନିଜର ଅସ୍ତିତ୍ୱ ନେଇ ସନ୍ଦିହାନ । ଏକଥା ସତ ଯେ ଗଣମାଧ୍ୟମରେ ବିଜେପି ନେତା ବୋଲି ତାଙ୍କର ପରିଚୟ ସୀମିତ ରହିଥିଲେ ମଧ୍ୟ ବାସ୍ତବରେ ସେ ଯେ ବିଜେପିରେ ନାହାନ୍ତି ତାହା ଜଣାଶୁଣା । ତାଙ୍କର ନିଜ ଜିଲ୍ଲା କେନ୍ଦ୍ରାପଡ଼ା ବିଜେପି ସାଂଗଠନିକ କମିଟିରୁ ମଧ୍ୟ ତାଙ୍କୁ ତଡ଼ି ଦିଆଯାଇଛି । ଆଶ୍ଚର୍ଯ୍ୟର କଥା, ନିଜକୁ ସ୍ୱାଭିମାନୀ ବୋଲାଉଥିବା ବିଜୟଙ୍କ ସ୍ୱାଭିମାନକୁ ଏହା ଝଟକା ଦେଇପାରିନି । ଦଳରେ ସେମିତି ପଡ଼ିଛନ୍ତି ପଛେ, ଇସ୍ତଫା ଦେଇ ଚାଲିଯିବାର ସାହାସ ନାହିଁ । ବିଜେଡ଼ି ମଧ୍ୟ ଏହି ‘ସ୍ୱାଭିମାନୀ’ ନେତାଙ୍କୁ ଆଦରିପାରୁନି । ବିଜେଡ଼ିକୁ ଫେରିଯିବା ପାଇଁ ବିଜୟ ବ୍ୟାକୁଳ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ହୃଦୟ ତରଳୁନାହିଁ ବୋଲି କୁହାଯାଉଛି । ଏଭଳିସ୍ଥିତିରେ ବିଜୟଙ୍କ ପାଇଁ ପରିଚୟ ସଙ୍କଟ ଏବେ ବଡ଼ ସମସ୍ୟା ହୋଇଯାଇଛି । ସେଥିରୁ ମୁକୁଳିବା ପାଇଁ ତାଙ୍କ ମୁଣ୍ଡକୁ ତୃତୀୟ ରାଜନୈତିକ ବିକଳ୍ପ ଶକ୍ତି ଗଠନର ଚିନ୍ତା ପଶିଛି ବୋଲି କୁହାଗଲାଣି । ତାହା ପୁଣି ଯୁବ କାର୍ଡକୁ ଧରି ।
ଆମେ ଏଇଥିପାଇଁ ଏକଥା ଉଲ୍ଲେଖ କରୁଛୁ ଯେ ଗତକାଲି ଉତ୍କଳ ଦିବସରେ ହଠାତ୍ ବିଜୟ ମହାପାତ୍ରଙ୍କର ନୂଆ ରୂପରେ ଆର୍ବିଭାବ ହୋଇଛି । ଜନ ଅଧିକାର ପରିଷଦ ବ୍ୟାନର ତଳେ ସେ କିଛି ବୁଦ୍ଧିଜୀବୀଙ୍କୁ ବସାଇ ଓଡ଼ିଶାର ବିକାଶ ପାଇଁ ସ୍ୱର ଉଠାଇଛନ୍ତି । ବିଜେଡ଼ି ଓ ବିଜେପିକୁ ପରୋକ୍ଷ ସମାଲୋଚନା କରି ନିଜର ରାଜନୈତିକ ଗୋଟିଚାଳନା ଆରମ୍ଭ କରିଛନ୍ତି । ପ୍ରଚାର ସର୍ବସ୍ୱ ରାଜନୀତିକୁ ବିରୋଧ କରି ଯୁବପୀଢ଼ିଙ୍କୁ ନିଯୁକ୍ତି, ଚାଷୀଙ୍କୁ ହକ୍ ଏବଂ ଲୋକଙ୍କ ଅଧିକାର ପାଇଁ ଲଢ଼େଇର ଆହ୍ୱାନ ଦେଇଛନ୍ତି । ଗତକାଲି ଆୟୋଜିତ ମେଳିରେ ଭାଷଣ ଦେଇ ବିଜୟ ମହାପାତ୍ର ଓଡ଼ିଶାର ଯୁବପୀଢ଼ିଙ୍କୁ ଫୋକସ୍ କରିଥିଲେ । ସେମାନଙ୍କୁ ଆଖିରେ ରଖି ଓଡ଼ିଶା ବିକାଶର ସ୍ୱପ୍ନ ଦେଖିଥିଲେ । ଏଠାରେ କହିବା ଅନାବଶ୍ୟକ ଯେ ବିଜେଡ଼ି, ବିଜେପି ଓ କଂଗ୍ରେସ ମଧ୍ୟ ଏହି ଯୁବପୀଢ଼ିଙ୍କୁ ନେଇ ମନରେ ସ୍ୱପ୍ନ ଖଞ୍ଜିଛନ୍ତି ।
ତେବେ ଯୁବପୀଢ଼ିଙ୍କ ଶକ୍ତି ଉଦୟ କରିବାକୁ ଚାହୁଁଥିବା ବିଜୟ ମହାପାତ୍ର ନିଜର ଏହି ରାଜନୈତିକ ପରିଚୟ ପୁନଃରୁଦ୍ଧାର କାର୍ଯ୍ୟକ୍ରମରେ ଜଣେ ହେଲେ ଯୁବ ଆଇକନ୍ ଙ୍କୁ ସ୍ଥାନ ଦେଇ ନ ଥିଲେ । କାର୍ଯ୍ୟକ୍ରମରେ ତାଙ୍କ ସହ ଥିଲେ ବରିଷ୍ଠ ସାମ୍ବାଦିକ ରଣଜିତ୍ ଗୁରୁ, ବସନ୍ତ ଦାସ, ରବି ଦାସ, ରାଜାରାମ ଶତପଥୀ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଏବଂ ହୁସେନ୍ ରବି ଗାନ୍ଧୀ । ଏହି ଅତିଥିମାନେ ସମସ୍ତେ ନିଶ୍ଚିତ ଭାବେ ଜ୍ଞାନୀ, ଗୁଣୀ ଓ ସମ୍ମାନସ୍ପଦ । ସେଥିରେ କାହାରି ସନ୍ଦେହ ନାହିଁ । ମାତ୍ର ସେମାନେ କେହି ଯୁବବର୍ଗର ପ୍ରତିନିଧି ନୁହଁନ୍ତି କି ଯୁବବର୍ଗର ଆଇଡଲ୍ ନୁହଁନ୍ତି । ପରନ୍ତୁ ନିଜ ନିଜ ପ୍ରଫେସନ୍ ରେ ସମସ୍ତେ ରିଟାୟାର୍ଡ ଏବଂ ଆଉଟ୍ ବୋଲି କୁହାଯାଇପାରିବ । ବିଜୟ ମହାପାତ୍ରଙ୍କ ସେମାନଙ୍କୁ ନେଇ ଆଗାମୀ ଓଡ଼ିଶାର ସ୍ୱପ୍ନ ଦେଖିବାରେ ମନା ନାହିଁ, ହେଲେ ଯେଉଁମାନଙ୍କ ପାଇଁ ସେ ଲଢ଼େଇ କରିବାକୁ ଚାହୁଁଛନ୍ତି ସେମାନଙ୍କର ପ୍ରତିନିଧି କାହାନ୍ତି ?
ବିଜୟ ସେମାନଙ୍କୁ ଜାଣିଶୁଣି ସାମିଲ କରିନାହାନ୍ତି କି ସେହି ଯୁବବର୍ଗର ପ୍ରତିନିଧି ତାଙ୍କ ଉପରେ ଆସ୍ଥା ରଖିନାହାନ୍ତି ତାହା ଏବେ ଚର୍ଚ୍ଚାରେ । ବିଜୟ ମହାପାତ୍ରଙ୍କ ଏହି ଆୟୋଜନର ନିଷ୍ପ୍ରଭତା କାର୍ଯ୍ୟକ୍ରମର ରୂପରେଖରୁ ହିଁ ବାରି ହୋଇପଡୁଛି । ସମ୍ଭବତଃ ଔଷଧ ବିକଳରେ ତାଟିଆ କାମୁଡ଼ିଲା ଭଳି ଅବସ୍ଥା ହୋଇଛି ବିଜୟଙ୍କର । ନିଜର ଅସ୍ତିତ୍ୱ ରକ୍ଷା ଅଭିଯାନରେ ବିଜୟ ଯୁବବର୍ଗ ଖୋଜି ପାଉନାହାନ୍ତି କି ବୋଲି ପ୍ରଶ୍ନ ଉଠିଛି ।
ବିଜୟ ମହାପାତ୍ରଙ୍କ ବଡ଼ ପୁଞ୍ଜି ତାଙ୍କର ଅହଂକାର ଓ ସ୍ୱାଭିମାନ ବୋଲି ତାଙ୍କ ସମର୍ଥକମାନେ ଦାବି କରନ୍ତି । ତେବେ ତାଙ୍କର ରାଜନୈତିକ କାର୍ଯ୍ୟକଳାପରୁ ତାହା ଯେ ବ୍ୟକ୍ତିକେନ୍ଦ୍ରିକ ତାହା ଧରାପଡ଼ିଲାଣି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । କାରଣ ରାଜନୈତିକ ଅହଂକାର ଓ ସ୍ୱାଭିମାନ ଥିଲେ ସେ ଆଜିପର୍ଯ୍ୟନ୍ତ ବିଜେପିରେ ପଡ଼ି ରହି ନ ଥାଆନ୍ତେ କି ବିଜେଡ଼ିରେ ମିଶିବାକୁ ବ୍ୟାକୁଳ ହେଉଥିବା ଚର୍ଚ୍ଚା ଉପରେ ନିରବ ରହି ନ ଥାଆନ୍ତେ । ଏବେ ତୃତୀୟ ରାଜନୈତିକ ବିକଳ୍ପ ଶକ୍ତି ନେଇ ଆଗ୍ରହ ରଖିବା ତାଙ୍କ ପାଇଁ ଶେଷ ବିକଳ୍ପ ହୋଇଥିଲେ ମଧ୍ୟ ଯେଉଁ ଢ଼ଙ୍ଗରେ ତାହା ହେବା କଥା ତାହା ହେଉନାହିଁ ବୋଲି ତାଙ୍କ ପ୍ରଂଶସକମାନେ ବି ସ୍ୱୀକାର କରିଛନ୍ତି । ସେଥିପାଇଁ ବିଜୟଙ୍କ ‘ଅହଂକାର’ କୁ ସେମାନେ ଦାୟୀ କରିଛନ୍ତି ।