କଟକ: ମାଟ୍ରିକ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଚଳିତବର୍ଷର ପାସ୍ ହାର ରହିଛି ୭୦.୭୮% । ପରୀକ୍ଷା ଦେଇଥିବା ୫ ଲକ୍ଷ ୭୨ ହଜାର ୬୯୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ ଲକ୍ଷ ୯୭ ହଜାର ୧୨୫ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ୧ ଲକ୍ଷ ୬୩ ହଜାର ୧୫୪ ଜଣ ପରୀକ୍ଷାର୍ଥୀ ଫେଲ୍ ହୋଇଛନ୍ତି । ଝାରସୁଗୁଡ଼ା ଜିଲ୍ଲାରେ ସର୍ବାଧିକ ୮୫.୪୮% ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ କୋରାପୁଟ ଜିଲ୍ଲାରେ ସର୍ବନିମ୍ନ ୫୦.୬୧% ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଏକ୍ସ ରେଗୁଲାର୍ ପାସ୍ ହାର ୩୭.୪୩% ହୋଇଛି ।
୨୮୯ ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ୮୨ ଟି ସ୍କୁଲରେ ଶୂନ ପ୍ରତିଶତ ରେଜଲ୍ଟ ହୋଇଛି । ଅର୍ଥାତ୍ ଏହି ସ୍କୁଲଗୁଡ଼ିକରେ କେହି ଛାତ୍ରଛାତ୍ରୀ ପାସ୍ କରିନାହାନ୍ତି । ସମସ୍ତେ ଫେଲ୍ ହୋଇଛନ୍ତି ।
ପୁଅଙ୍କ ତୁଳନାରେ ଝିଅମାନେ ଅଧିକ ଭଲ ରେଜଲ୍ଟ କରିଛନ୍ତି । ୨ ଲକ୍ଷ ୫ ହଜାର ୪୭୦ ଝିଅ ପାସ୍ କରିଥିବା ବେଳେ ୧ ଲକ୍ଷ ୯୧ ହଜାର ୬୫୫ ପୁଅ ପାସ୍ କରିଛନ୍ତି । ୧୧୮୧ ଛାତ୍ରଛାତ୍ରୀ ଏ-୧ ଗ୍ରେଡ୍ ରେ ପାସ୍ କରିଥିବା ବେଳେ ଏ-୨ ରେ ୯୯୩୮ ଏବଂ ବି-୧ରେ ୨୪,୯୯୧ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ବି-୨ ରେ ୪୬,୩୧୯, ସି ରେ ୭୬,୧୩୯, ଡି ରେ ୧,୧୬,୨୬୨, ଇ ରେ ୧,୨୨,୦୬୭ ଏବଂ ଏଫ ରେ ୧,୬୩,୯୫୪ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।
କଟକସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଗଣଶିକ୍ଷା ବିଭାଗର କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ । ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀ, ବୋର୍ଡ ସଭାପତି ଡକ୍ଟର ଜାହାନ୍ ଆରା ବେଗମ୍ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତାବର୍ଷଠାରୁ ପରୀକ୍ଷା ପଦ୍ଧତିରେ ପରିବର୍ତ୍ତନ ନେଇ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ୨୦୨୦ ମାଟ୍ରିକ୍ ପରୀକ୍ଷାରେ ଓଏମାର ପ୍ରଶ୍ନ ଆସିବ ନାହିଁ । ଏହାକୁ ବନ୍ଦ କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ନିଷ୍ପତ୍ତି ହୋଇଛି ବୋଲି ସେ କହିଛନ୍ତି ।