ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ୨୦୧୯ ନିର୍ବାଚନର ଭୋଟଗଣତି ୨୩ ତାରିଖ ସକାଳ ୮ଟାରୁ ଆରମ୍ଭ ହେବ । ୨୧ ଟି ଲୋକସଭା ଏବଂ ୧୪୬ ଟି ବିଧାନସଭା ଆସନର ଭୋଟ ୬୩ ଟି କେନ୍ଦ୍ରରେ ଏକ ସମୟରେ ଗଣତି କରାଯିବ । ୬,୭୦୦ ଏଥିରେ ନିଯୁକ୍ତ ହେବେ । ୨୩ ତାରିଖ ଭୋଟଗଣତି ସଂକ୍ରାନ୍ତରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ।
ପ୍ରତି ଭୋଟଗଣତି କେନ୍ଦ୍ରରେ ବିଧାନସଭା ଆସନର ଭୋଟ ଗଣତି ପାଇଁ ଅନୁ୍ୟନ ୭ଟି ଟେବୁଲ ରହୁଥିବା ବେଳେ ଲୋକସଭା ଆସନର ଭୋଟ ଗଣତି ପାଇଁ ମଧ୍ୟ ୭ଟି ଟେବୁଲ୍ ର ବ୍ୟବସ୍ଥା କରାଯାଇଛି । ନିର୍ବାଚନ କମିଶନଙ୍କ ଅନୁମତିକ୍ରମେ ଏଥର ଅଧିକ ଅର୍ଥାତ୍ ୨୪୬୨ ଟେବୁଲରେ ଗଣତି କରାଯିବ । ପ୍ରତି ଆସନ ପାଇଁ ହାରାହାରି ୪୦ ରାଉଣ୍ଡ ଗଣତି ହେବ । ସର୍ବନିମ୍ନ ୧୯ ରାଉଣ୍ଡରେ ସମ୍ବଲପୁର ବିଧାନସଭା ଆସନର ଗଣତି ସରିବାକୁ ଥିବା ବେଳେ ପାଟଣାଗଡ଼ ବିଧାନସଭା ପାଇଁ ସର୍ବାଧିକ ୪୯ ରାଉଣ୍ଡରେ ଗଣତି ହେବ । ତେଣୁ ସମ୍ବଲପୁର ବିଧାନସଭା ଆସନର ଫଳାଫଳ ଆଗ ମିଳିଯିବ ।
ପ୍ରତି ଗଣତି କେନ୍ଦ୍ରରେ ଜଣେ କାଉଟିଂ ସୁପରଭାଇଜର, ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟଏବଂ ଜଣେ ମାଇକ୍ରୋ ଅବଜରଭର୍ ଙ୍କୁ ନିଯୁକ୍ତି ଦିଆଯିବ । ଅବାଧ ଓ ସ୍ୱଚ୍ଛ ଗଣତି ପାଂଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଶ୍ରୀ କୁମାର ସୂଚନା ଦେଇଛନ୍ତି ।
ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ ଅନୁଯାୟୀ ଭିଭିପାଟ୍ ଗଣତି କରାଯିବ । ଲକି ଡ୍ର ମାଧ୍ୟମରେ ପ୍ରତି ଆସନର ୫ଟି ବୁଥ୍ ରେ ଏହି ଭିଭିପାଟ୍ ଗଣତି ହେବ । ପ୍ରଥମେ ପୋଷ୍ଟାଲ୍ ବ୍ୟାଲେଟ୍ ପେପର ଗୁଡ଼ିକର ଗଣତି କରାଯିବ ।
ତେବେ ମକ ପୋଲ୍ ଭୋଟ ଅଡୁଆ ତୁଟିପାରିନାହିଁ । ଏଥର ମକ୍ ପୋଲ୍ ଭୋଟ ଇଭିଏମ୍ କଣ୍ଟ୍ରୋଲ୍ ୟୁନିଟ୍ ରେ ପୂର୍ବରୁ ରହି ଯାଇଥାଇ ପାରେ ବୋଲି ସିଇଓ ଆଶଙ୍କା କରିଛନ୍ତି । ପ୍ରକୃତ ଭୋଟ ଗଣତି ପୂର୍ବରୁ ମକ୍ ପୋଲ୍ କୁ ମେସିନ୍ କୁ ଡିଲିଟ୍ କରାଯାଏ । ପ୍ରିଜାଇଡିଂ ଅଫିସରଙ୍କର ଏହା କାମ । ମାତ୍ର ଯେଉଁଠି ପ୍ରିଜାଇଡିଂ ଅଫିସର ମକ୍ ପୋଲ୍ ଡିଲିଟ୍ କରି ନ ଥିବେ, ସେଠି ତ୍ରୁଟି ଦେଖାଦେବ । ସେଭଳି କ୍ଷେତ୍ରରେ କ’ଣ କରାଯିବ ତାହା ନିର୍ବାଚନ କମିଶନର ନିଷ୍ପତ୍ତି କରିବେ । କୋ÷ଣସି ପ୍ରାର୍ଥୀ ଚାହିଁଲେ ଭିଭିପାଟ୍ ଗଣତି କରାଯିବ । ଧାରା ୫୬(ଘ) ଅନୁଯାୟୀ, ଗଣତି ପାଇଁ ରିଟର୍ଣ୍ଣିଂ ଅଫିସର ନିଷ୍ପତ୍ତି ନେବେ ବୋଲି ଶ୍ରୀ କୁମାର କହିଛନ୍ତି ।