ଭୁବନେଶ୍ୱର: ଫଳାଫଳ ଘୋଷଣା ପର୍ଯ୍ୟନ୍ତ ଆଉ ଅପେକ୍ଷା କରିନାହାନ୍ତି ପିସିସି ମୁଖିଆ । ରାଜ୍ୟରେ କଂଗ୍ରେସର ପରାଜୟକୁ ଆଗୁଆ ସ୍ୱୀକାର କରି ହାତ ଟେକି ଦେଇଛନ୍ତି । କଂଗ୍ରେସ ଭଲ କରିବ ନାହିଁ ବୋଲି ଫଳ ଆସିବାର ଦିନକ ପୂର୍ବରୁ ସଫା ସଫା କହିଦେଲେଣି ନିରଞ୍ଜନ ପଟ୍ଟନାୟକ । କଂଗ୍ରେସ ଏଠି ସରକାର ଗଠନ କରିବା ଦୂର କଥା, ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ହୋଇ ରହି ପାରିବ ନାହିଁ । ଭିନ୍ନ ଢ଼ଙ୍ଗରେ ଏକଥା ବି କହିବାକୁ ସଙ୍କୋଚ କରିନାହାନ୍ତି ସେ ।
ନିଜେ ଦୁଇଟି ଆସନ ଘଷିପୁରା ଏବଂ ଭଣ୍ଡାରୀପୋଖରୀରୁ ଲଢ଼ୁଥିଲେ ବି ଫଳାଫଳ ନେଇ ବାଉଳି ହୋଇଛନ୍ତି ନିରଞ୍ଜନ । ଭାଇଙ୍କ ଚାନେଲ୍ ର ଏକଜିଟ୍ ପୋଲ୍ ତାଙ୍କୁ ଘଷିପୁରାରୁ ଜିତାଇ ଭଣ୍ଡାରୀପୋଖରୀରୁ ହରାଇଛି । ଏହି ଆକଳନକୁ ନିରଞ୍ଜନ ଖଣ୍ଡନ କରି ଓଲଟା ଆକଳନ ଦେଇଥିଲେ । ହେଲେ ଦିନକ ପରେ ନିଜ କଥା ବଦଳାଇ ଦେଇଛନ୍ତି । ଦୁଇଟିଯାକ ଆସନରୁ ବିଜୟୀ ହେବେ ବୋଲି ନିରଞ୍ଜନ ଦମ୍ଭ ଦେଖାଇଛନ୍ତି । ତେବେ ସତକଥା ହେଉଛି, ନିରଞ୍ଜନ ଉଭୟ ଘଷିପୁରା ଓ ଭଣ୍ଡାରୀପୋଖରୀରୁ ହାରିବେ ବୋଲି ଖୋଦ୍ ତାଙ୍କ ଦଳୀୟ ଆକଳନ କହୁଛି । ତାଙ୍କ ପୁଅ ବାଲେଶ୍ୱର ଲୋକସଭା ଆସନରୁ ଲଢ଼ୁଥିଲେ ମଧ୍ୟ ପ୍ରତିଦ୍ୱନ୍ଦିତାରେ ନାହାନ୍ତି । ସେଠି ବିଜେଡ଼ି ଓ ବିଜେପି ମଧ୍ୟରେ ଲଢ଼େଇ ହେଉଛି । ଖାଲି ନିରଞ୍ଜନ ବାପପୁଅ ନୁହଁନ୍ତି, ନରସିଂହ ମିଶ୍ରଙ୍କ ସମେତ ଦଳର ଅଧଡର୍ଜନ ବିଧାୟକଙ୍କ ଆସନ ବି ଟଳମଳ ହେଉଛି ।
ଗତଥର କଂଗ୍ରେସ ୧୬ ଟି ବିଧାନସଭା ଆସନ ପାଇଥିଲା । ଏଥର ଅତି କମ୍ ରେ ୫୦ ଟି ଆସନ ପାଇବ ବୋଲି ପୂର୍ବାନୁମାନ କରିଛି । ମାତ୍ର ବାସ୍ତବରେ ଦଳର ଗତଥରର ସ୍ଥିତି ବଜାୟ ରହିବା ନେଇ ଏବେ ଘୋର ସନ୍ଦେହ। ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ଦାୟିତ୍ୱ ନେଲା ବେଳେ କଂଗ୍ରେସ ମହଲରେ ପ୍ରବଳ ଆଶା ସଂଚାର ହୋଇଥିଲା । ସେ ନିଜେ ବହୁତ ଦମ୍ଭ ଦେଖାଇଥିଲେ । ମାତ୍ର କ’ଣ ହେଲା କେଜାଣି ଠିକ୍ ନିର୍ବାଚନ ପୂର୍ବରୁ ତାଙ୍କର ହାବଭାବ ସମସ୍ତଙ୍କୁ ସନ୍ଦେହରେ ପକାଇଲା । ବୋଧହୁଏ ନିରଞ୍ଜନଙ୍କୁ ମାପି ଏବଂ ଓଡ଼ିଶାରେ କଂଗ୍ରେସର ହୀନସ୍ତା ଜାଣି କେନ୍ଦ୍ରୀୟ ପ୍ରଭାରୀ ଜିତେନ୍ଦ୍ର ସିଂ ମୁହଁ ମୋଡ଼ିଦେଲେ । ଖୋଦ୍ ରାହୁଲ ଗାନ୍ଧୀ ବି ଓଡ଼ିଶାକୁ ଗୁରୁତ୍ୱ ଦେଲେନି ।
ପରିଣାମ ଏୟା ହେଲା କି ପ୍ରାର୍ଥୀ ମନୋନୟନରେ ଅରାଜକତା ବ୍ୟାପିଗଲା । ପ୍ରାର୍ଥୀ ଚୟନରେ ନିରଞ୍ଜନଙ୍କ ମନମାନି ଚାଲିଲା । ଯୋଗ୍ୟ(ଜିତିବା ସମ୍ଭାବନା) ଓ ବରିଷ୍ଠ ନେତା ବଳିପଡ଼ିଲେ । ଟିକେଟ ହକଦାରଙ୍କୁ ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ଝୁଲାଇ ରଖାଗଲା । ଅନେକ ଜାଗାରେ ଅଯୋଗ୍ୟ ପ୍ରାର୍ଥୀ ଲଦି ଦିଆଗଲା । ଫଳ ଏମିତି ହେଲା ଯେ ଟିକେଟ ପାଇଲା ପରେ କିଛି ବରିଷ୍ଠ ନେତା ଟିକେଟ ଫେରାଇ, ନ ଲଢ଼ିବାକୁ ଶ୍ରେୟ ମଣିଲେ । ଟିକେଟ ଦେବା ପାଇଁ ସଭାପତି ମୋଟା ଅଙ୍କର କାରବାର କରିଥିବା ମହିଳା କଂଗ୍ରେସ ସଭାନେତ୍ରୀ ଖୋଲା ଅଭିଯୋଗ ଆଣି ଦଳ ଛାଡ଼ିଲେ । ଯୁଧିଷ୍ଠିର ସାମନ୍ତରାୟଙ୍କ ଭଳି ଲଢ଼ୁଆ ନେତା ବି ସମାନ ଅଭିଯୋଗ ଆଣି ନିର୍ବାଚନ ଲଢ଼ିଲେନି । ଦଳର ସବୁ ଛାମୁଆ ସଂଗଠନ ମଧ୍ୟ ସଭାପତିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ।
କଂଗ୍ରେସର ଏଭଳିସ୍ଥିତି କର୍ମୀମାନଙ୍କ ମନୋବଳ ଭାଙ୍ଗିଦେଲା । ନିରଞ୍ଜନ ପଟ୍ଟନାୟକ ଦୁଇଟି ବିଧାନସଭା ଆସନରୁ ନିଜେ ଛିଡ଼ା ହୋଇ ପୁଅକୁ ବାଲେଶ୍ୱର ଲୋକସଭା ଆସନରେ ପ୍ରାର୍ଥୀ କରିଥିବାରୁ ପ୍ରଚାର ସେଇଠି ସୀମିତ ରଖିଲେ । ଦଳର ମୁଖିଆ ହୋଇ ଅନ୍ୟ ଆଡକୁ ଆଖି ବୁଜିଦେଲେ ।
ନିରଞ୍ଜନ ଜାଣିଶୁଣି କଂଗ୍ରେସକୁ ବିପର୍ଯ୍ୟୟ ମୁହଁକୁ ଠେଲି ଦେଇଥିବା ସବୁଆଡ଼େ ଚର୍ଚ୍ଚା । ଦଳ ମଧ୍ୟରେ ଏହାକୁ ନେଇ ଦାନା ବାନ୍ଧିଥିବା ଅସନ୍ତୋଷ ନିର୍ବାଚନ ଫଳ ଆସିବା ପୂର୍ବରୁ ତୀବ୍ର ହେଲାଣି । ନିର୍ବାଚନ ପରିଚାଳନା ଓ ନିରଞ୍ଜନଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ଆଜି ଦଳର ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଶ୍ରୀ ପଟ୍ଟନାୟକ ପିସିସି ସମନ୍ୱୟ କମିଟିର ଆବାହକ ଏବଂ ନିର୍ବାଚନ କମିଟିର ସଦସ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିଲେ । ଅନ୍ୟତମ ବରିଷ୍ଠ ନେତା ଶରତ ରାଉତ ମଧ୍ୟ ନିରଞ୍ଜନଙ୍କ ଉପରେ ରାଗ ଝାଡ଼ିଛନ୍ତି । ନିର୍ବାଚନ ଫଳାଫଳ ଆସିଲା ପରେ ଦଳୀୟ ବିଦ୍ରୋହ ଭୟଙ୍କର ରୂପ ନେବ ବୋଲି କୁହାଯାଉଛି ।
କଂଗ୍ରେସର ଛାରଖାର ଅବସ୍ଥା; ଜୟଦେବଙ୍କୁୁ ବଳିଗଲେ ନିରଞ୍ଜନ