ଭୁବନେଶ୍ୱର: ଶ୍ରୀମନ୍ଦିର ନିରାପତ୍ତା ବଳୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧକୁ ଅଦ୍ଭୂତପୂର୍ବ ସମର୍ଥନ ମିଳିଛି । ଶ୍ରୀମନ୍ଦିରର ୭୫ ମିଟର ପରିସର ମଧ୍ୟରେ ଜନସାଧାରଣଙ୍କ ସ୍ୱଇଚ୍ଛାରେ ସଂଗୃହୀତ ହୋଇଛି ୭୫ ପ୍ରତିଶତ ଘରୋଇ ଜମି । ଏହି ସ୍ଥାବର ସମ୍ପତ୍ତି କୁ ଶ୍ରୀମନ୍ଦିର ନିରାପତ୍ତା ଭଳି ଏକ ମହାନ୍ କାର୍ଯ୍ୟ ପାଇଁ ପୁରୀବାସୀ ସମର୍ପି ଦେଇଛନ୍ତି । ମାତ୍ର ୪୦ ଦିନ ମଧ୍ୟରେ ସିଧାସଳଖ ବିକ୍ରୀ-ଖର୍ଦ୍ଦି ପ୍ରକ୍ରିୟାରେ ଏହି ଘରୋଇ ଜମି ସଂଗ୍ରହ ହୋଇପାରିଛି ।
ଶ୍ରୀମନ୍ଦିର ନିରାପତ୍ତା ପାଇଁ ତ୍ୟାଗ କରିବାକୁ ସେ କରିଥିବା ଅନୁରୋଧ ରକ୍ଷା ହୋଇଥିବାରୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି । ସାରା ଦେଶରେ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଏହା ଏକ ଅଦ୍ଭୂତପୂର୍ବ ସଫଳତା । ମହାପ୍ରଭୁଙ୍କ ପାଇଁ ଆପଣମାନେ ଆପଣମାନଙ୍କର ଭିଟାମାଟି, ବ୍ୟବସାୟ ପ୍ରତିଷ୍ଠାନ, ହୋଟେଲ, ଲଜିଂ ଆଦି ତ୍ୟାଗ କରିଛନ୍ତି । ଅନେକ ମଠ ମଧ୍ୟ ଏଥିରେ ସାମିଲ ହୋଇଛି । ମହାପ୍ରଭୁଙ୍କ ଇଚ୍ଛା ଓ ପ୍ରେରଣାରେ ହିଁ ଏସବୁ ସମ୍ଭବ ହୋଇପାରିଛି । ମହାପ୍ରଭୁଙ୍କ ଆର୍ଶିବାଦରେ ମହାପ୍ରଭୁଙ୍କ ପାଇଁ ଆପଣମାନଙ୍କର ଏହି ତ୍ୟାଗକୁ ଓଡ଼ିଆ ଜାତି ସବୁଦିନ ପାଇଁ ଶ୍ରଦ୍ଧାର ସହ ମନେ ରଖିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ କୃତଜ୍ଞତାରେ ଜଣାଇଛନ୍ତି ।
ମହାପ୍ରଭୁଙ୍କ ଏହି କାର୍ଯ୍ୟରେ ଜିଲ୍ଲା ପ୍ରଶାସନ ଓ ଏହାର ସମସ୍ତ ବିଭାଗର କର୍ମଚାରୀ ଏବଂ ପୁଲିସ କର୍ମଚାରୀମାନେ ରବିବାର ସମେତ ସବୁ ଛୁଟି ଦିନମାନଙ୍କରେ ମଧ୍ୟ ସେମାନଙ୍କ କାମ ଜାରି ରଖିଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ପୁଣିଥରେ ଜନସାଧାରଣଙ୍କ ସହଯୋଗ କାମ କରିଛନ୍ତି ।
ସୂଚନାଯୋଗ୍ୟ, ଶ୍ରୀମନ୍ଦିର ନିରାପତ୍ତା ପାଇଁ ସମସ୍ତେ ତ୍ୟାଗ କରିବାକୁ ମୁଖ୍ୟମନ୍ତ୍ରୀ ପବିତ୍ର ଜନ୍ମାଷ୍ଟମୀ ଦିନ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ମହାପ୍ରଭୁ ଓ ତାଙ୍କ ଶ୍ରୀମନ୍ଦିର ଓଡ଼ିଆ ଜାତିର ସବୁ କିଛି । ସେ ଆମର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ । ତାଙ୍କର ଶ୍ରୀଚରଣରେ ସମର୍ପିତ ହୋଇ କାର୍ଯ୍ୟ ଆରମ୍ଭ କଲେ ତାହା ମଙ୍ଗଳପ୍ରଦ ହୋଇଥାଏ ।