ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଆସନ୍ତାକାଲି ପଶ୍ଚିମ ଓଡ଼ିଶା ଆସି ଦୁଇଦିନ ବୁଲିବେ । ବୁଧବାର ଦିନ ଭବାନୀପାଟଣାରେ କର୍ମୀ ସମାବେଶରେ ଉଦବୋଧନ ଦେବେ । ଗୁରୁବାର ଦିନ ବଲାଙ୍ଗୀରରେ ଯୁବସମାବେଶକୁ ସମ୍ବୋଧିତ କରିବେ । ବିଜେପୁରରେ ବିଜେପିର ବିପର୍ଯ୍ୟସ୍ତ ପରେ ନିରବି ଯାଇଥିବା ବିଜେପି ଶାହାଙ୍କ ଗସ୍ତକୁ ଧରି ପଶ୍ଚିମ ଓଡ଼ିଶାରେ ପୁଣି ନିଜର ପତିଆରା ଦେଖାଇବାକୁ ଉଦ୍ୟମ କରିଛି । ଓଡ଼ିଶାରେ ମିଶନ୍ ୧୨୦ ପ୍ଲସ୍ ରେ ପଶ୍ଚିମ ଓଡ଼ିଶାକୁ ବଡ଼ ଅଂଶୀଦାର କରିବାକୁ ଶାହା ଅଣ୍ଟା ଭିଡ଼ିଛନ୍ତି ।
ପଶ୍ଚିମ ଓଡ଼ିଶା ନେତା ଓ କର୍ମୀଙ୍କ ମନୋବଳ ବଢ଼ାଇବା ପାଇଁ ଆସନ୍ତାକାଲି ଦିନ ସାଢ଼େ ଗୋଟାଏରେ ଅମିତ୍ ଶାହା ଭବାନୀପାଟଣାରେ ପହଞ୍ଚିବେ । ଲାଲବାହାଦୁର ଷ୍ଟାଡ଼ିୟମ୍ ରେ ଆୟୋଜିତ ମହାସମାବେଶରେ ସେ କର୍ମୀଙ୍କୁ ୧୨୦ ମିଶନ୍ ର ପାଠ ପଢ଼ାଇବେ । ବିଜେପୁର ଝଟକା ପାଇଥିବା ନେତା ଓ କର୍ମୀଙ୍କୁ ଶିଖାଇବେ ଓଡ଼ିଶା ବିଜୟର ମହାମନ୍ତ୍ର । ପରେ ପରେ ସେ ଦଳର ବିସ୍ତାରକମାନଙ୍କ କାର୍ଯ୍ୟର ସମୀକ୍ଷା କରିବେ । ଗତ ସେପ୍ଟେମ୍ବର ମାସରେ ଶାହା ଓଡ଼ିଶା ଆସିଥିବା ବେଳେ ବିସ୍ତାରକମାନଙ୍କୁ ଅନେକ ଟାକ୍ସ ଦେଇଯାଇଥିଲେ । ବିସ୍ତାରକମାନେ ତାହାକୁ କେତେବାଟ ନେଇଛନ୍ତି ପଚାରି ବୁଝିବେ । ପରେ ପରେ ଦଳର କୋର୍ ଟିମ୍ ସହ ସେ ଆଲୋଚନା କରିବେ ।
ଗୁରୁବାର ଦିନ ଶାହା ବଲାଙ୍ଗୀର ଆସିବେ । ସେଠାରେ ଆୟୋଜିତ ଏକ ଯୁବସମାବେଶକୁ ଉଦବୋଧନ ଦେବେ । ବିଜେପି ପ୍ରତି ଯୁବବର୍ଗଙ୍କୁ ଆକୃଷ୍ଟ କରି ମିଶନ୍ ୧୨୦ କୁ ଆଗେଇନେବାର ଲକ୍ଷ୍ୟ ରଖିଛନ୍ତି ଶାହା । ଶାହାଙ୍କ ଗସ୍ତକୁ ସଫଳ କରିବା ପାଇଁ ବିଜେପି ନେତାମାନେ ଭବାନୀପାଟଣା ଓ ବଲାଙ୍ଗୀରରେ ଡେରା ପକାଇଛନ୍ତି । ଦୁଇ ସହରର ରାସ୍ତାଘାଟ ବିଜେପି ପୋଷ୍ଟର ଓ ବ୍ୟାନରରେ ଛାଇ ହୋଇଯାଇଛି ।
ସେପଟେ ଶାହାଙ୍କ ଭବାନୀପାଟଣା ମହାସମାବେଶକୁ ପାଣିଚିଆ କରିବା ପାଇଁ କଂଗ୍ରେସ ଅଣ୍ଟା ଭିଡ଼ିଛି । ଦଳର ବରିଷ୍ଠ ନେତା ଭକ୍ତ ଦାସଙ୍କ ନେତୃତ୍ୱରେ ଆସନ୍ତାକାଲି କଳାହାଣ୍ଡିରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଛି । ୪ ବର୍ଷ ପରେ ଅମିତ୍ ଶାହା କଳାହାଣ୍ଡିକୁ ମନେପକାଇଥିବାରୁ ଭକ୍ତ ତାଙ୍କୁ ତାତ୍ସଲ୍ୟ କରିଛନ୍ତି । ବିଜେଡ଼ି ମଧ୍ୟ ଶାହାଙ୍କ ଗସ୍ତକୁ ନେଇ କଟାକ୍ଷ କରିଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଓ ସଞ୍ଜୟ ଦାସବର୍ମା ଅମିତ୍ ଶାହାଙ୍କ ବିଭିନ୍ନ କଳା କାରନାମା ଉଖାରିଛନ୍ତି । ଶାହାଙ୍କ ପୁଅର ବ୍ୟକ୍ତିଗତ ସମ୍ପତ୍ତି ଆହରଣଠାରୁ ଆରମ୍ଭ କରି ମୋଦି ସରକାରଙ୍କ କୁକର୍ମ ଉପରେ ବର୍ଷିଛନ୍ତି ।