ଭୁବନେଶ୍ୱର: ପୂର୍ବତନ ଅଗ୍ନିଶମ ଡିଜି ବିନୟ ବେହେରାଙ୍କର ଆଜି ରାତିରେ ପରଲୋକ ହୋଇଯାଇଛି । କେୟାର ହସ୍ପିଟାଲ୍ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶ୍ରୀ ବେହେରା ନିମୋନିଆରେ ଆକ୍ରାନ୍ତ ଥିବା ଜଣାପଡ଼ିଛି । ଗତ ଅକ୍ଟୋବର ୩୧ ତାରିଖରେ ସେ ଚାକିରିରୁ ଅବସର ନେଇଥିଲେ । ଆଜି ସଂଧାବେଳେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା ।
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅନ୍ତର୍ଗତ ମୁଣ୍ଡାରଗୁଡ଼ାରେ ଜନ୍ମିତ ଶ୍ରୀ ବେହେରା ୧୯୮୨ ମସିହାର ଆଇପିଏସ୍ ଅଫିସର । ଜଣେ ଦକ୍ଷ, ସଚ୍ଚୋଟ ଓ କର୍ତ୍ତବ୍ୟନିଷ୍ଠ ଅଫିସର ଭାବେ ତାଙ୍କର ବେଶ୍ ସୁନାମ ଥିଲା । ଭୁବନେଶ୍ୱର-କଟକ କମିଶନରେଟ୍ ପୁଲିସର ସେ ଥିଲେ ପ୍ରଥମ କମିଶନର । ଅପରାଧୀ ଓ ପୁଲିସର ଅସାଧୁ ମେଣ୍ଟର ଖୁଲାସା କରି ସେ ବେଶ୍ ଚର୍ଚ୍ଚିତ ହୋଇଥିଲେ । ମାତ୍ର ୧୦ ଦିନ ତଳେ ଅବସର ନେଇଥିବା ଶ୍ରୀ ବେହେରାଙ୍କର ଅକାଳ ବିୟୋଗ ସବୁ ମହଲରେ ଶୋକର ଛାୟା ଖେଳାଇଦେଇଛି ।