ଭୁବନେଶ୍ୱର: ଦୀର୍ଘ ୩ ବର୍ଷ ପରେ ଦଳକୁ ଫେରିଛନ୍ତି ଦଳକୁ ଫେରିଛନ୍ତି ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ତାଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇଛନ୍ତି । ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ୨୦୧୪ ଅକ୍ଟୋବର ମାସରେ ସିବିଆଇ ପ୍ରଭାତଙ୍କୁ ଗିରଫ କରିଥିଲା । ତତକ୍ଷଣାତ୍ ଦଳରୁ ତାଙ୍କୁ ନିଲମ୍ବନ କରାଯାଇଥିଲା । ୨୦୧୫ ମାର୍ଚ୍ଚ ୩ ତାରିଖରେ ହାଇକୋର୍ଟରୁ ସେ ବେଲ୍ ପାଇ ଜେଲ୍ ରୁ ମୁକୁଳିଥିଲେ । ତେବେ ତାଙ୍କର ବେଲ୍ କୁ ସିବିଆଇ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲା । ୪ ଦିନ ତଳେ ସୁପ୍ରିମକୋର୍ଟ ସିବିଆଇ ଆବେଦନକୁ ଅଗ୍ରାହ୍ୟ କରିଥିଲା । ଏହା ପ୍ରଭାତଙ୍କୁ ଦଳକୁ ଫେରିବାର ବାଟ ପରିଷ୍କାର କରିଥିଲା । ଆଜି ତାଙ୍କ ଉପରୁ ନିଲମ୍ବନ ଆଦେଶ ହଟିବା ପରେ ପ୍ରଭାତ ତାଙ୍କ ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଦଳକୁ ଅଧିକ ଶକ୍ତିଶାଳୀ କରିବାକୁ ସେ ତାଙ୍କର ସଂଗ୍ରାମ ଜାରି ରଖିବେ ବୋଲି କହିଛନ୍ତି । ନବୀନ ତାଙ୍କର ନେତା ଏବଂ ଦଳରୁ ନିଲମ୍ବନ ହୋଇଥିଲେ ମଧ୍ୟ ବିଜେଡ଼ି କାର୍ଯ୍ୟକ୍ରମରୁ ସେ କେବେ ବି ଦୂରେଇନାହାନ୍ତି ବୋଲି ପ୍ରଭାତ କହିଛନ୍ତି ।