ଭୁବନେଶ୍ୱର: ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାର ସେମାନଙ୍କ ପାରିଶ୍ରମିକ ଆଖିଦୃଶିଆ ବୃଦ୍ଧି କରିଛନ୍ତି । ମାସିକ ୬୦୦୦ ଟଙ୍କା ପାରିଶ୍ରମିକ ପାଉଥିବା ଅଙ୍ଗନବାଡ଼ି କର୍ମୀମାନେ ଏଣିକି ଦେଢ଼ ହଜାର ଟଙ୍କା ଅଧିକ ସହ ମାସକୁ ପାଇବେ ୭୫୦୦ ଟଙ୍କା । ମିନି ଅଙ୍ଗନବାଡ଼ି କର୍ମୀମାନଙ୍କ ପାରିଶ୍ରମିକ ୪୧୨୫ ଟଙ୍କାରୁ ୫୩୭୫ ଟଙ୍କା ବୃଦ୍ଧି ପାଇଛି । ଅଙ୍ଗନବାଡ଼ି ସହାୟିକାମାନଙ୍କ ପାରିଶ୍ରମିକ ୩୦୦୦ ଟଙ୍କାରୁ ୩୭୫୦ ଟଙ୍କା ବୃଦ୍ଧି କରାଯାଇଛି । ବର୍ଦ୍ଧିତ ପାରିଶ୍ରମିକ ୨୦୧୮ ଅକ୍ଟୋବର ୧ ତାରିଖରୁ ପିଛିଲା ଭାବରେ ସେମାନେ ପାଇବେ ।
ଖାଲି ସେତିକି ନୁହେଁ, ଅଙ୍ଗନବାଡ଼ି, ମିନି ଅଙ୍ଗନବାଡ଼ି ଓ ସହାୟିକାମାନଙ୍କ ଅବସର ବୟସସୀମା ବୃଦ୍ଧି କରାଯାଇଛି । ପୂର୍ବରୁ ସେମାନେ ୬୦ ବର୍ଷ ବୟସରେ କାମରୁ ଅବ୍ୟାହତି ବା ଅବସର ନେଉଥିଲେ । ଏବେ ୬୨ ବର୍ଷ ବୟସ ପର୍ଯ୍ୟନ୍ତ ସେମାନେ କାମ କରିବେ । ୬୨ ବର୍ଷ ବୟସରେ ଅବ୍ୟାହତି ନେବା ସମୟରେ ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ସେମାନଙ୍କ ସାମାଜିକ ସୁରକ୍ଷା ପାଇଁ ଯଥାକ୍ରମେ ୨୦,୦୦୦ ଟଙ୍କା, ୧୫,୦୦୦ ଟଙ୍କା ଓ ୧୦,୦୦୦ ଟଙ୍କା ଲେଖାଏଁ ସହାୟତା ପାଇବେ । ସମ୍ପୂର୍ଣ୍ଣ ଭାବରେ ରାଜ୍ୟ ସରକାରଙ୍କ ପାଣ୍ଠିରୁ ଏକକାଳୀନ ଭାବେ ସେମାନଙ୍କୁ ଏହି ସହାୟତା ଦିଆଯିବ ।
ଅଙ୍ଗନାବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କୁ ମିଳିବ ଖରାଛୁଟି । ୧୫ ଦିନ ସେମାନେ ଖରାଛୁଟି ପାଇବେ ।
ଏଣିକି ଅଙ୍ଗନବାଡ଼ି ସୁପରଭାଇଜର ପଦବୀର ୫୦ ପ୍ରତିଶତ ଅଙ୍ଗନବାଡ଼ି କର୍ମୀମାନଙ୍କ ମଧ୍ୟରୁ ହିଁ ପୂରଣ ହେବ ।
ଆଜି ଅପରାହ୍ନରେ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଡ଼ ଘୋଷଣା କରିଛନ୍ତି । ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟକ୍ରମର ମେରୁଦଣ୍ଡ ସଦୃଶ । ସେମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ସବୁବେଳେ ସଚେତନ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଉଲ୍ଲେଖଯୋଗ୍ୟ କି ଅଙ୍ଗନବାଡ଼ି କର୍ମୀଙ୍କ ବର୍ଦ୍ଧିତ ପାରିଶ୍ରମିକ ୭୫୦୦ ଟଙ୍କାରୁ ରାଜ୍ୟ ସରକାର ୪୮୦୦ ଟଙ୍କା ଓ କେନ୍ଦ୍ର ସରକାର ୨୭୦୦ ଟଙ୍କା ଦେବେ । ସେହିପରି ମିନି ଅଙ୍ଗନବାଡ଼ି କର୍ମୀଙ୍କ ୫୩୭୫ ଟଙ୍କା ବର୍ଦ୍ଧିତ ଦରମାରେ ରାଜ୍ୟ ସରକାରଙ୍କ ଭାଗ ୩୨୭୫ ଟଙ୍କା ଥିବା ବେଳେ କେନ୍ଦ୍ର ସରକାରଙ୍କ ଭାଗ ୨୧୦୦ ଟଙ୍କା । ଅଙ୍ଗନବାଡ଼ି ସହାୟିକାଙ୍କ ବର୍ଦ୍ଧିତ ୩୭୫୦ ଟଙ୍କା ପାରିଶ୍ରମିକରେ ରାଜ୍ୟ ସରକାରଙ୍କ ଭାଗ ୨୪୦୦ ଟଙ୍କା ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ଭାଗ ୧୩୫୦ ଟଙ୍କା । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି ।