ଭୁବନେଶ୍ୱର: କାଲିଠାରୁ ୨୪ ଘଣ୍ଟିଆ କାର୍ଯ୍ୟରେ ରହିବ କାଳିଆ କଲ୍ ସେଣ୍ଟର । ଆଚାର୍ଯ୍ୟ ବିହାରସ୍ଥିତ ଓକାକ କାର୍ଯ୍ୟାଳୟରେ ଖୋଲିଥିବା ଏହି କଲ୍ ସେଣ୍ଟରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ପରିଦର୍ଶନରେ ଯାଇ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଜାନୁଆରୀ ୫ ତାରିଖରୁ କଲ୍ ସେଣ୍ଟର ଆରମ୍ଭ ହୋଇଛି । କାଳିଆ ଯୋଜନା ସଂକ୍ରାନ୍ତରେ ଜାଣିବାକୁ ଚାହୁଁଥିବା ଚାଷୀମାନଙ୍କୁ ଏଥିରେ ସମସ୍ତ ସୂଚନା ଦିଆଯାଉଛି । ଆଜି ମୁଖ୍ୟମନ୍ତ୍ରୀ ଏହାକୁ ପରିଦର୍ଶନ କରିଥିଲେ । ସେଠାରେ ସମସ୍ତ ବ୍ୟବସ୍ଥା ବୁଲି ଦେଖିବା ସହ ନିଜେ ଚାଷୀଙ୍କ ସହ କଥା ହେବାକୁ ଚାହିଁଥିଲେ । ଗଞ୍ଜାମ ଜିଲ୍ଲା ଚିକଲଖଣ୍ଡି ପଞ୍ଚାୟତ ବାସନାପଲ୍ଲୀ ଗାଁର ଚାଷୀ ବି.ମାଧବସ୍ୱାମୀଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ କାଳିଆ ଯୋଜନା ସଂକ୍ରାନ୍ତରେ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇଥିଲେ ।
କଲ୍ ସେଣ୍ଟର ଜରିଆରେ ଚାଷୀମାନଙ୍କୁ କାଳିଆ ଯୋଜନା ସଂକ୍ରାନ୍ତରେ ସମସ୍ତ ସୂଚନା ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଚାଷୀମାନେ ୧୮୦୦-୫୭୨-୧୧୨୨ ଟେଲିଫୋନ୍ ନମ୍ବରକୁ କଲ୍ କରିପାରିବେ । ଏଥିପାଇଁ କୌଣସି ଖର୍ଚ୍ଚ(ଟୋଲ୍ ଫ୍ରି) ପଡ଼ିବ ନାହିଁ । ଏହାଛଡ଼ା ୦୮୦-୬୧୧୭-୪୨୨୨ ନମ୍ବରରେ ମିସ୍ କଲ ଦେଲେ କଲ୍ ସେଣ୍ଟର ପକ୍ଷରୁ ଯୋଗାଯୋଗ କରାଯିବ । ମୋବାଇଲ୍ ହ୍ୱାଟସ୍ ଅପ୍ ନଂ ୮୪୫୬୦୯୯୬୮୮ରେ ମଧ୍ୟ ସୂଚନା ମିଳିପାରିବ ।
ସୂଚନାଥାଉକି, ଡିସେମ୍ବର ୩୧ ତାରିଖରେ କାଳିଆ ଯୋଜନାର ଶୁଭାରମ୍ଭ ହୋଇଛି । ଏହି ଯୋଜନା ମାଧ୍ୟମରେ ରାଜ୍ୟ ସରକାର ଚାଷୀମାନଙ୍କୁ ୫ ଟି ଫସଲ ଋତୁରେ ୫ ହଜାର ଟଙ୍କା ଲେଖାଏଁ ମୋଟ ୨୫ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି । ଏଥିପାଇଁ ଚାଷୀମାନଙ୍କଠାରୁ ଆବେଦନ ପ୍ରକ୍ରିୟା ଚାଲୁ ରହିଛି । ପ୍ରଥମ ଦଫା ଆବେଦନ ସମୟସୀମା ୧୦ ତାରିଖରୁ ୧୫ ତାରିଖ ଘୁଞ୍ଚାଇ ଦିଆଯାଇଛି । ଦ୍ୱିତୀୟ ଦଫାରେ ଜାନୁଆରୀ ୨୫ରୁ ଫେବ୍ରୁଆରୀ ୫ ତାରିଖ ପର୍ଯ୍ୟନ୍ତ ଆବେଦନ କରିହେବ ।