ଭୁବନେଶ୍ୱର: ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହେବାକୁ ଯାଉଛି । ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ତଥା ଝାରସୁଗୁଡ଼ା ବିଧାୟକ ନବ ଦାସ ବିଜେଡ଼ିରେ ଯୋଗଦେବେ । ନିଜେ ଶ୍ରୀ ଦାସ ଆଜି କଥାଟିକୁ ଖୋଲି ଦେଇଛନ୍ତି । ଆସନ୍ତା ୨୫ ତାରିଖରେ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ପୂର୍ବଦିନ ନବ ବିଜେଡ଼ିରେ ଯୋଗଦେବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି । ସେଦିନ ଝାରସୁଗୁଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଲକ୍ଷେ ଲୋକଙ୍କ ସମାବେଶ କରି ନବ ଶଙ୍ଖ ହାତ ଧରିବେ ବୋଲି ଯୋଜନା କରିଛନ୍ତି ।
ପଶ୍ଚିମ ଓଡ଼ିଶାର ଏହି ଟାଣୁଆ କଂଗ୍ରେସ ନେତା ବିଜେଡ଼ିରେ ଯୋଗ ଦେବେ ବୋଲି ବହୁ ଦିନ ଧରି ଚର୍ଚ୍ଚା ହେଉଥିଲା । ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଥିବା କୁହାଯାଉଥିଲା । ତେବେ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାକୁ ନବ ଖଣ୍ଡନ କରି ଆସୁଥିଲେ । ଖୋଦ୍ ଗତକାଲି ସେ ଏକ ବୟାନରେ କହିଥିଲେ ଯେ କଂଗ୍ରେସ ଟିକେଟରେ ହିଁ ସେ ନିର୍ବାଚନ ଲଢ଼ିବେ । ମାତ୍ର ଆଜି ସଂଧ୍ୟାରେ ଏକ ଟିଭିକୁ ନିଜର ମନର କଥା ଖୋଲି ଦେଇଛନ୍ତି ।
ନବ କହିଛନ୍ତି, ମୁଁ ବିଜେଡ଼ିରୁ ନିର୍ବାଚନ ଲଢ଼େ ବୋଲି ଝାରସୁଗୁଡ଼ା ଲୋକ ଚାହୁଁଛନ୍ତି । ତେଣୁ ବିଜେଡ଼ିରୁ ଯୋଗଦେବା ନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବି । ତେବେ କଂଗ୍ରେସ ଛାଡ଼ିବା ପଛରେ କିଛି କାରଣ ନାହିଁ ବୋଲି ସେ କହିଛନ୍ତି । ରାହୁଲ ଗାନ୍ଧୀ ଓ ନିରଞ୍ଜନ ପଟ୍ଟନାୟକଙ୍କ ସହ ତାଙ୍କର ସମ୍ପର୍କ ଭଲ ବୋଲି ଓଲଟି ସଫେଇ ଦେଇଛନ୍ତି ।
ସୂଚନାଯୋଗ୍ୟ, ନିରଞ୍ଜନ ପଟ୍ଟନାୟକଙ୍କ ଟିମ୍ ରେ ନବ ଅନ୍ୟତମ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ପାଇଛନ୍ତି । କେବଳ ଝାରସୁଗୁଡ଼ା ନୁହେଁ, ସମଗ୍ର ପଶ୍ଚିମ ଓଡ଼ିଶାରେ ତାଙ୍କର ଉତ୍ତମ ସଂଗଠନ ଥିବା କୁହାଯାଉଛି । ଗତ ଜିଲ୍ଲା ପରିଷଦ ନିର୍ବାଚନରେ ସମଗ୍ର ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ଘଟିଥିବା ବେଳେ ଝାରସୁଗୁଡ଼ାରେ ଦଳର ଇଜ୍ଜତ ରଖିଥିଲେ ନବ । ସେଠାରେ କଂଗ୍ରେସକୁ ଆଶାତୀତ ସଫଳତା ମିଳିଥିଲା । ସାଧାରଣ ନିର୍ବାଚନର କେଇ ମାସ ପୂର୍ବରୁ ନବଙ୍କ ଦଳ ଛାଡ଼ିବା ନିଷ୍ପତ୍ତି ପଶ୍ଚିମ ଓଡ଼ିଶାରେ କଂଗ୍ରେସକୁ ମହଙ୍ଗା ପଡ଼ିପାରେ ।