ଭୁୁବନେଶ୍ୱର: ଅଙ୍ଗନବାଡ଼ି କର୍ମଚାରୀଙ୍କ ଦରମା ବୃଦ୍ଧି ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଘୋଷଣାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଡ଼ା ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣାକୁ ନିଜ ନାଁରେ ପ୍ରଚାର କରି ରାଜ୍ୟ ସରକାର ମିଛ ନାଟକ କରୁଛନ୍ତି । ପରଘର ତିଅଣରେ ଅତିଥି ସତ୍କାର କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧୂରନ୍ଧର ବୋଲି ସେ କହିଛନ୍ତି ।
ଧର୍ମେନ୍ଦ୍ର କହିଛନ୍ତି, ଅଙ୍ଗନବାଡ଼ି ଭଉଣୀମାନଙ୍କୁ କେନ୍ଦ୍ର ସରକାର ୨୦୧୮ ମସିହା ସେପ୍ଟେମ୍ବର ମାସରେ ୧୫୦୦ ଟଙ୍କା ମାନଧନ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଥିଲେ । ଅକ୍ଟୋବରରୁ ଏହାକୁ ଲାଗୁ କରିବା ପାଇଁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ଏହି ପୁରୁଣା ନୀତିଗତ ନିର୍ଣ୍ଣୟ ଓ ଘୋଷଣାକୁ ଦୀର୍ଘ ଦିନ ଧରି କାର୍ଯ୍ୟକାରି ନକରି ପକାଇ ରଖିଥିଲେ । ଏବେ ନିର୍ବାଚନ ପୂର୍ବରୁ ସତେ ଯେମିତି ନିଜେ ଦେଲା ଭଳି ଘୋଷଣା କରି ବାହାବା ନେବାକୁ ଚେଷ୍ଟା କରିଛନ୍ତି । ରାଜ୍ୟରେ ରାଧୁଆ ମିଛୁଆ ସରକାର ଚାଲିଛି ବୋଲି ସେ କଟାକ୍ଷ କରିଛନ୍ତି ।
ଧର୍ମେନ୍ଦ୍ର ପୁଣି କହିଛନ୍ତି ଯେ ରାଜ୍ୟର ଅଙ୍ଗନବାଡ଼ି କର୍ମଚାରୀଙ୍କୁ ସରକାର ଯଥେଷ୍ଟ କାମରେ ନିୟୋଜିତ କରୁଛନ୍ତି । ଏହି ଅଧିକ କାମ ପାଇଁ ଅଧିକ ଆର୍ଥିକ ରାଶି ପାଇବା ଅଙ୍ଗନବାଡ଼ି ଭଉଣୀମାନଙ୍କର ଅଧିକାର । ବିଭିନ୍ନ ରାଜ୍ୟ ସେମାନଙ୍କ ନିଜସ୍ୱ ବଜେଟରୁ ଅଧିକା କାମ ପାଇଁ ଅଧିକା ଅର୍ଥ ଯୋଗାଇ ଦେଉଛନ୍ତି । ବିଜେପି ଶାସିତ ହରିଆଣାରେ ସେମାନଙ୍କ ମାସିକ ପାରିଶ୍ରମିକ ୧୩,୦୦୦ ଟଙ୍କା । ଓଡ଼ିଶା ସରକାର ଏବେ ଅଙ୍ଗନବାଡ଼ି ଭଉଣୀମାନଙ୍କୁ ପିଠା, କାଳିଆ ଆଦି କାର୍ଯ୍ୟକ୍ରମରେ ଲଗାଇଛନ୍ତି । ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ସେମାନଙ୍କୁ ମାସିକ ପାରିଶ୍ରମିକ ୧୦ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ସେ ଦାବି କରିଛନ୍ତି । ସେହିପରି ଅବସରକାଳୀନ ସହାୟତା ବାବଦରେ ଅନ୍ୟ ରାଜ୍ୟ ୧ ଲକ୍ଷ ଟଙ୍କା ଦେଲେଣି । ଓଡ଼ିଶାରେ ତାହାକୁ ୨୦ ହଜାର ଟଙ୍କା ଘୋଷଣା କରି ବାହାବା ମାରିବା ଲଜ୍ଜାଜନକ ବୋଲି କହିଛନ୍ତି ।
ଧର୍ମେନ୍ଦ୍ରଙ୍କ ଏହି ମନ୍ତବ୍ୟ ଉପରେ ବିଜେଡ଼ିର ପ୍ରତିକ୍ରିୟା ମିଳିପାରିନାହିଁ ।