ଭୁବନେଶ୍ୱର: ଯୁବସମାଜ ହେଉଛନ୍ତି ଦେଶର ଭବିଷ୍ୟତ । ସେମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଶକ୍ତି ବଳରେ ଭାରତ ବିକାଶର ଶୀର୍ଷରେ ପହଞ୍ଚିପାରିବ । ଯୁବସମାଜକୁ ନେଇ ଏଭଳି ବିଶ୍ୱାସ ରଖିଛନ୍ତି ବିଶିଷ୍ଟ ଶିକ୍ଷାବିତ ତଥା କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ । କନ୍ଧମାଳରୁ ସାଂସଦ ଭାବେ ନିର୍ବାଚିତ ହେବା ପରେ ତାଙ୍କ ନିର୍ବାଚନମଣ୍ଡଳୀର ଯୁବବର୍ଗଙ୍କ ସାମର୍ଥ ଓ ଦକ୍ଷତା ପ୍ରତିପାଦିତ କରିବା ପାଇଁ ଏବେ ବିଭିନ୍ନ କାର୍ଯ୍ୟ ହାତକୁ ନେଇଛନ୍ତି । ଆର୍ନ୍ତଜାତିକ ଯୁବ ଦିବସ ଅବସରରେ ଡ. ସାମନ୍ତଙ୍କ ଦ୍ୱାରା ଆରମ୍ଭ ହୋଇଛି ‘ଆମ କନ୍ଧମାଳ’ ଅଭିଯାନ । କନ୍ଧମାଳ ଜିଲ୍ଲାର ଯୁବକଯୁବତୀଙ୍କୁ ସାମଗ୍ରିକ ଭାବେ ସଶକ୍ତ କରିବା ଲକ୍ଷ୍ୟରେ ସୋମବାର ଦିନ ଫୁଲବାଣୀ ଟାଉନ୍ ହଲଠାରେ ଏହି ଅଭିଯାନର ଶୁଭାରମ୍ଭ ହୋଇଛି ।
ଏହି ଅବସରରେ ସାଂସଦ ଡ. ସାମନ୍ତ କନ୍ଧମାଳର ଯୁବକଯୁବତୀମାନଙ୍କ ପାଇଁ ଅନେକଗୁଡ଼ିଏ ବିକାଶମୂଳକ ଯୋଜନା ଘୋଷଣା କରିଥିଲେ । ସେପ୍ଟେମ୍ବର ମାସରେ ସ୍ଥାନୀୟ ଯୁବକଯୁବତୀମାନଙ୍କ ରୋଜଗାର ନିମନ୍ତେ କନ୍ଧମାଳରେ ବ୍ୟାପକ ନିଯୁକ୍ତି ମେଳା ଅନୁଷ୍ଠିତ ହେବ । ସେମାନଙ୍କ ପାଇଁ ବିଭିନ୍ନ ପ୍ରକାର ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯିବ ।
ଯୁବର୍ଗଙ୍କୁ ସମ୍ବୋଧିତ କରି ଡ. ସାମନ୍ତ କହିଥିଲେ, ଭାରତରେ ଯୁବଗୋଷ୍ଠୀଙ୍କ ପାଇଁ ବ୍ୟାପକ ସୁଯୋଗ ରହିଛି । ଯୁବଗୋଷ୍ଠୀ ସେମାନଙ୍କ ଅନ୍ତର୍ନିହିତ ଦକ୍ଷତାର ସଦୁପଯୋଗ କରିପାରିଲେ ଏହାର ସୁଫଳ ପାଇବା ସହ ଦେଶର ମଧ୍ୟ ବିକାଶ ହୋଇପାରିବ । ଯୁବଶକ୍ତି ଉଦ୍ୟମ ନ କଲେ ସେମାନଙ୍କ ପାଇଁ ଏବଂ ଦେଶ ପାଇଁ ବିପଦ ଆଣିଦେବ । ଯୁବଗୋଷ୍ଠୀଙ୍କୁ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ସଶକ୍ତ କରିବାରେ ସହାୟକ ହେବା ପାଇଁ ସେ ଉତ୍ସାହିତ କରିଥିଲେ ।
ନିଜ ଜୀବନର ଉଦାହରଣ ଦେଇ ଡ. ସାମନ୍ତ କହିଥିଲେ, ତୁମେମାନେ ଯଦି ତୁମର କର୍ତ୍ତବ୍ୟ କ୍ଷେତ୍ରରେ ସାଧୁତାର ସହ ନିରନ୍ତର ଉଦ୍ୟମ ଜାରି ରଖିବ ତେବେ ଜୀବନରେ ସଫଳ ହୋଇପାରିବ । ପିତାମାତା ଏବଂ ପରିବାରରେ ବୟସ୍କମାନଙ୍କ ଯତ୍ନକୁ ପିଲାମାନେ ଗୁରୁ ଦାୟିତ୍ୱ ଭାବେ ପାଳନ କରିବା ଦରକାର । ସମାଜସେବା କ୍ଷେତ୍ରରେ ଯୁବକମାନଙ୍କର ଅଦମ୍ୟ କ୍ଷମତା ରହିଛି ଏବଂ ସେମାନେ ନିଜ ଅଞ୍ଚଳର ବିକାଶ ନିମନ୍ତେ କିଛି ସମୟ ଉପଯୋଗ କରିବାକୁ ଡ. ସାମନ୍ତ ଯୁବକମାନଙ୍କୁ ପରାମର୍ଶ ଦେଇଥିଲେ ।
କାର୍ଯ୍ୟକ୍ରମରେ କନ୍ଧମାଳର ସମସ୍ତ ଯୁବକଯୁବତୀ ସାଂସଦ ଡ. ସାମନ୍ତଙ୍କ ସହିତ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମରେ ସାମିଲ ହୋଇ କନ୍ଧମାଳର ବିକାଶକୁ ଆଗେଇ ନେବେ ବୋଲି ଶପଥ ନେଇଥିଲେ ।