ଭୁବନେଶ୍ୱର: ‘କାଳିଆ’ ତାଲିକାରେ ପଶିଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବା ପ୍ରକ୍ରିୟା ଜାରି ରହିଛି । ଅଗଷ୍ଟ ୧୪ ତାରିଖ ଥିଲା ଯାଞ୍ଚ ଅବଧି । ମାତ୍ର ‘କାଳିଆ’ ଟଙ୍କା ନେଇଥିବା ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ମାତ୍ର ୧୩ ଲକ୍ଷ ହିତାଧିକାରୀଙ୍କର ଯାଞ୍ଚ ସରିଛି । ପୁଣି ୩୮ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ବାକି ରହିଲାଣି । ଏହି ଦୃଷ୍ଟିରୁ ଯାଞ୍ଚ ଅବଧିକୁ ବୃଦ୍ଧି କରାଯାଇଛି । ଆସନ୍ତା ୨୭ ତାରିଖରେ ପଞ୍ଚାୟତସ୍ତରୀୟ ଯାଞ୍ଚ ଶେଷ ହେବ । ୨୯ ତାରିଖରେ ବ୍ଲକ୍ ସ୍ତରୀୟ ଏବଂ ୩୧ ତାରିଖରେ ଜିଲ୍ଲାସ୍ତରୀୟ ଯାଞ୍ଚ ଶେଷ ହେବ । ଆଜି ‘କାଳିଆ’ ଯୋଜନାର ଉଚ୍ଚସ୍ତରୀୟ ସମୀକ୍ଷା ପରେ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ଏହି ନିଷ୍ପତ୍ତି ଶୁଣାଇଛନ୍ତି ।
ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି, ଚିହ୍ନଟ ହୋଇଥିବା ଅଯୋଗ୍ୟ ହିତାଧିକାରୀମାନଙ୍କୁ ପରବର୍ତ୍ତୀ ‘କାଳିଆ’ କିସ୍ତି ଦିଆଯିବ ନାହିଁ । ତେବେ ରାଜ୍ୟ ସରକାରଙ୍କ ଟାର୍ଗେଟ୍ ଅନୁଯାୟୀ ୭୧ ଲକ୍ଷ ଯୋଗ୍ୟ ହିତାଧିକାରୀ ‘କାଳିଆ’ ଟଙ୍କା ପାଇବେ । ତାଲିକାରୁ ଜଣେ ବି ଯୋଗ୍ୟ ହିତାଧିକାରୀ ଯେଭଳି ବାଦ ନ ପଡ଼ନ୍ତି ଏବଂ ଜଣେ ବି ଅଯୋଗ୍ୟ ହିତାଧିକାରୀ ସାମିଲ ନ ହୁଅନ୍ତି ସେଥିପ୍ରତି ସରକାର ଏବେ ସମ୍ପୂର୍ଣ୍ଣ ଯତ୍ନବାନ ଥିବା କୃଷିମନ୍ତ୍ରୀ କହିଛନ୍ତି ।
କୃଷିମନ୍ତ୍ରୀଙ୍କ ସରପ୍ରାଇଜ୍ ଭିଜିଟ୍
ସମୀକ୍ଷା ବୈଠକ ପାଇଁ କୃଷି ଭବନ ଆସିବା ପୂର୍ବରୁ ଆଜି ଦିନ ପ୍ରାୟ ୧୦ଟାରେ ମନ୍ତ୍ରୀ ଶ୍ରୀ ସାହୁ ଅଚାନକ ଯାଇ ପହଞ୍ଚିଥିଲେ ବରମୁଣ୍ଡାସ୍ଥିତ ଆପିକଲ୍ ଏବଂ ଏଗ୍ରିକଲଚାଲ୍ ମାର୍କେଟିଂ ଅଫିସ୍ ରେ । ମନ୍ତ୍ରୀ ସେଠାରେ ପହଞ୍ଚିଲା ବେଳକୁ ଅଧିକାଂଶ ଦପ୍ତରରେ ଅଫିସର ଏବଂ କର୍ମଚାରୀଙ୍କ ଦେଖା ନ ଥିଲା । ସେମାନଙ୍କ ଆସିବା ପର୍ଯ୍ୟନ୍ତ ମନ୍ତ୍ରୀ ଅପେକ୍ଷା କରି ବିଳମ୍ବରେ ଆସିଥିବା ଅଫିସର ଓ କର୍ମଚାରୀଙ୍କୁ କଡ଼ା ତାଗିଦ୍ କରିଥିଲେ । ବିଭାଗଗୁଡ଼ିକରେ କାମ କେମିତି ଚାଲିଛି ଅଫିସରମାନଙ୍କଠାରୁ ପଚାରି ବୁଝିଥିଲେ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ୫-ଟିକୁ କଡ଼ାକଡ଼ି ପାଳନରେ କୌଣସି ସାଲିସ କରାଯିବ ନାହିଁ ବୋଲି ଶ୍ରୀ ସାହୁ ରୋକଠୋକ ଶୁଣାଇଥିଲେ ।