ଭୁବନେଶ୍ୱର: ନାଲିବତୀ ହରାଇବାର ଯନ୍ତ୍ରଣା ଭୋଗୁଥିବା ଭିଭିଆଇପିମାନଙ୍କ ପାଇଁ ପୁଣି ଏକ ଯନ୍ତ୍ରଣାଦାୟକ ଖବର । ଆଉ ସେମାନଙ୍କୁ ମିଳିବନି ଗାର୍ଡ ଅଫ ଅନର । ରାଜ୍ୟରେ ‘ଗାର୍ଡ ଅଫ ଅନର’/ ହାଉସ ଗାର୍ଡ ବ୍ୟବସ୍ଥାକୁ ଉଚ୍ଛେଦ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସରକାରୀ ପଦାଧିକାରୀମାନଙ୍କୁ ଦିଆଯାଉଥିବା ‘ଗାର୍ଡ ଅଫ ଅନର’/ହାଉସ ଗାର୍ଡ ବ୍ୟବସ୍ଥା ଆଜିଠାରୁ ଉଚ୍ଛେଦ ହେଲା ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।
‘ଗାର୍ଡ ଅଫ ଅନର’ ହିତାଧିକାରୀଙ୍କ ପାଇଁ କିନ୍ତୁ ସାମୟିକ ଆଶ୍ୱାସନା ରହିଛି । ସାଧାରଣତନ୍ତ୍ର ଦିବସ, ସ୍ୱାଧୀନତା ଦିବସ ଏବଂ ଉତ୍କଳ ଦିବସ ପାଳନ ବେଳେ ସେମାନେ ଏହି ସମ୍ମାନ ପାଇପାରିବେ । ଉତ୍ସବର ମୁଖ୍ୟ ଅତିଥିଙ୍କୁ ‘ଗାର୍ଡ ଅଫ ଅନର’ ଦିଆଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶନାମାରେ କୁହାଯାଇଛି ।
ତେବେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ଲୋକାୟୁକ୍ତ, ସୁପ୍ରିମକୋର୍ଟ ଓ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିଙ୍କ କ୍ଷେତ୍ରରେ ଗାର୍ଡ ଅଫ ଅନର ଉଚ୍ଛେଦ କଟକଣା ଲାଗୁ ହେବ ନାହିଁ । ଏହି ଭିଭିଆଇମାନଙ୍କୁ ପୂର୍ବଭଳି ଗାର୍ଡ ଅଫ ଅନର ଦିଆଯିବ ।
‘ମାନ୍ୟବର’ ହେଲେ ସ୍ୱାଧୀନତା ସଂଗ୍ରାମୀ
ମନ୍ତ୍ରୀ, ବିଧାୟକମାନଙ୍କ ଭଳି ରାଜ୍ୟର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏଣିକି ମାନ୍ୟବର ସମ୍ବୋଧନ କରାଯିବ । ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କ ମହନୀୟ ଅବଦାନକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏଣିକି ଉଚ୍ଚ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିବିଶେଷ ଓ ସ୍ୱାଧୀନତା ସଂଗ୍ରାମୀମାନେ ହିଁ ‘ମାନ୍ୟବର’ ସମ୍ବୋଧିତ ହେବେ ବୋଲି ସ୍ପଷ୍ଟ କରାଯାଇଛି ।