ନିଃସଙ୍ଗ ହୋଇଯାଇଛନ୍ତି ପ୍ରସାଦ ହରିଚନ୍ଦନ । ହାତଗଣତି ଯେଉଁ କେତେକ ନେତା ସାଙ୍ଗରେ ଥିଲେ ସେମାନେ ଇତିମଧ୍ୟରେ ହାତଛାଡ଼ି ଚାଲିଯାଇଛନ୍ତି । କଟକୀ ବାବୁଙ୍କର ଟ୍ରେଜେରି ବି ପ୍ରସାଦଙ୍କ ପାଇଁ ବନ୍ଦ ହୋଇଯାଇଛି । ଭୁବନେଶ୍ୱରିଆ ମଧ୍ୟମ ଭାଇ ତାଙ୍କୁ ଧରାଛୁଆଁ ଦଉନାହାନ୍ତି । କଂଗ୍ରେସର ମଙ୍ଗୁଆଳ ହୋଇ ମଧ୍ୟ କଂଗ୍ରେସରୁ ଏକଘରିଆ ହୋଇଯିବା ରାଜ୍ୟ କଂଗ୍ରେସ ଇତିହାସରେ ପ୍ରଥମ ଘଟଣା କୁହାଯାଉଛି । ଦିଲ୍ଲୀ ଯୋଡି ହରିପ୍ରସାଦଙ୍କୁ ଧରି ସୋନିଆ, ରାହୁଲଙ୍କ ଶରଣରେ ଥିଲେ ମଧ୍ୟ ତାହା ଆଉ କାଟୁ କରୁନି । ବିଧାୟକମାନେ ତାଙ୍କୁ ଏମିତି ଅଛୁଆଁ କରିଛନ୍ତି ଯେ ପ୍ରସାଦ ମୁହଁ ଦେଖାଇପାରୁନାହାନ୍ତି । କାମରୁ ମନଛାଡ଼ି ଯାଇଛି । ହେଲେ କ’ଣ ହେବ ଥୋବରା ପଣ ଭାଙ୍ଗିନି । ପଦକୁ ଜାବୁଡ଼ି ଧରି ମୌନବ୍ରତ ପାଳୁଛନ୍ତି ସେ । ବିଜେଡ଼ି ଆକାଉଣ୍ଟ ଓ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ପ୍ରସଙ୍ଗରେ ବି ତାଙ୍କର ମୌନତା ଭାଙ୍ଗୁନି । ମଝିରେ ମଝିରେ କଂଗ୍ରେସ ଭବନ ଆସି ସାମ୍ବାଦିକ ସମ୍ମିଳନୀ କରୁଥିଲେ ମଧ୍ୟ ସେତକ ପାଇଁ ସହଯୋଗ ପାଉନାହାନ୍ତି କି ନିଜେ ଖର୍ଚ୍ଚ ପାଣି ଯୋଗାଡ଼ କରିପାରୁନାହାନ୍ତି । ଇତିମଧ୍ୟରେ ନିରଞ୍ଜନ ପଟ୍ଟନାୟକ କୋଲକତା ଯାଇଥିବା ବେଳେ ପ୍ରସାଦଙ୍କ ଅତି ନିଜର କିଛି ଅନୁଗତ କୋଲକତା ଯାଇ ଗୋପନରେ ତାଙ୍କୁ ଭେଟିଥିବା ଜଣାପଡ଼ିଛି । ଏହି ଖବର ପ୍ରସାଦଙ୍କୁ ଅତ୍ୟନ୍ତ ବ୍ୟଥିତ କରିଦେଇଛି । ଯାହାଙ୍କୁ ନିଜର ଭାବି ଏତେ ଭରସା କରୁଥିଲେ ସେମାନେ ଯେ ଦିନେ ପର କରିଦେବେ ପ୍ରସାଦଙ୍କର ବିଶ୍ୱାସ ପାଉନି । ଜାଣିଲେଣି ଆଉ ନୁହେଁ । ଦିନକାଳ ସରିଆସୁଛି । ଗୁରୁବାର ଦିନ ନରସିଂହ ମିଶ୍ର ରାହୁଲଙ୍କୁ ଭେଟିଲା ପରେ ପ୍ରସାଦଙ୍କ ଛାତି ଅଧିକ କମ୍ପମାନ ହୋଇଛି । କେଉଁ ମୁହୁର୍ତ୍ତରେ ଦିଲ୍ଲୀରୁ ଫୋନ୍ ଆସିବ ସେଇ ଆଶଙ୍କାରେ ଛାନିଆଁ ହୋଇ ରହିଛନ୍ତି । ପଦ ତ ଯିବ ହେଲେ ଦଳରେ ତାଙ୍କର ଅସ୍ତିତ୍ୱ ବି ହଜିଯିବ ବୋଲି ପ୍ରସାଦ ନିଜେ ନିଜେ ପ୍ରମାଦ ଗଣୁଛନ୍ତି ।