ବିଜେଡ଼ି ଆକାଉଣ୍ଟ ଓ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ଅଭିଯୋଗ ଉପରେ ବିଜେପିକୁ କାଉଣ୍ଟର କରିବେ ବିଜେଡ଼ି ବିଧାୟକ ମହୀଧର ରଣା ଓ ବେଦବ୍ୟାସ ନାଏକ । ପିନାକୀ ମିଶ୍ର କି ପ୍ରତାପ ଦେବ ନୁହଁନ୍ତି, ତାଙ୍କ ବଦଳରେ ମହିଆ ଓ ବେଦଙ୍କୁ କାଉଣ୍ଟର ଦାୟିତ୍ୱ ଦେବାକୁ ଦଳର କିଛି ନେତା କୁଆଡେ ସୁପ୍ରିମୋଙ୍କୁ ପରାମର୍ଶ ଦେଇଛନ୍ତି । ଏହା ପଛର ଚାଲ୍ ବି ସେମାନେ ବୁଝାଇ ଦେଇଛନ୍ତି । ସକାଳ ପାଇଲେ ବିଜେପିର ତିନି ତୁଣ୍ଡିଆ ସଜ୍ଜନ, ସମୀର ଏବଂ ଗୋଲକ ପ୍ରେସ୍ ମିଟ୍ ରେ ମାତୁଛନ୍ତି । ବିଜେଡ଼ି ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷୁଛନ୍ତି । ନିଜେ ତଥ୍ୟ ନ ବୁଝନ୍ତୁ ପଛେ ଲେଖା କାଗଜ ଖଣ୍ଡେ ପଢ଼ି ଗଣମାଧ୍ୟମର ଚର୍ଚ୍ଚାରେ ରହୁଛନ୍ତି । ଏପଟେ ବିଜେଡ଼ି ପ୍ରତିଦିନ ଏହାର ଜବାବ ରଖୁଛି । ଦଳର ମୁଖ୍ୟ ମୁଖପାତ୍ର ବନିଥିବା ପ୍ରତାପ ଦେବ ବିଜେପିର ଜବାବ ଦେବାକୁ ସକାଳୁ ସଜବାଜ ହୋଇ ବସୁଛନ୍ତି । ସମୀର ଦାଶ ବି ଟିଭିରେ ଟିକେ ମୁହଁ ଦେଖେଇ ଦେବାକୁ କଳା ଗଗଲେସ୍ ପିନ୍ଧି ସଚିବାଳୟରେ ରାଉଣ୍ଡ ମାରୁଛନ୍ତି । ଶେଷରେ ପିନାକୀ ମିଶ୍ରଙ୍କୁ ସୁପ୍ରିମୋ କାମରେ ଲଗାଇଛନ୍ତି । ବିଜେଡ଼ିର କିଛି ମହଲ କିନ୍ତୁ ଏହାକୁ ନାପସନ୍ଦ କରିଛନ୍ତି । ସେମାନଙ୍କର ଯୁକ୍ତି, ଏହାଦ୍ୱାରା ବିଜେପିର ତିନି ତୁଣ୍ଡିଆଙ୍କ ଭାଉ ବଢୁଛି । ବିଜେଡ଼ି ସେମାନଙ୍କୁ ଗୁରୁତ୍ୱ ଦେଇ ଭାଉ ବଢ଼ାଉଛି । ତେଣୁ ପ୍ରତାପ କି ପିନାକୀ ନୁହଁନ୍ତି ମହୀଧର ଏବଂ ବେଦବ୍ୟାସଙ୍କୁ ଏହି କାମରେ ଲଗାଇଦେଲେ ତିନିତୁଣ୍ଡିଆ ଠିକ୍ ସାବାଡ଼ ହୁଅନ୍ତେ । ନିଜ କଥାର ଗୁରୁତ୍ୱ ନାହିଁ ବୋଲି ବୁଝିଯାଆନ୍ତେ । ବିଜେଡ଼ି ଏହି ମହଲର ଭିତିରିଆ ଯୁକ୍ତି, ଆମେ ଯେତେ ସଫେଇ ଦେଲେ ବି ଆକାଉଣ୍ଟ ଓ ଖର୍ଚ୍ଚ ଅନିୟମିତତା କଥାଟି ଶତ ପ୍ରତିଶତ ଶତ । ପ୍ରତି ରାଜନୈତିକ ଦଳରେ ଏମିତି ହୋଇଥାଏ । ଏହି ପୃଷ୍ଠଭୂମିରେ ସେମାନେ ନିରଞ୍ଜନ ପଟ୍ଟନାୟକଙ୍କ ଉକ୍ତି ଉଲ୍ଲେଖ କରିଛନ୍ତି । ନିରଞ୍ଜନ ଯାହା କହିଛନ୍ତି ସେଥିରେ ବିଲକୁଲ୍ ମିଛ ନାହିଁ । ସୁତରାଂ ବିରୋଧୀଙ୍କ ଅଭିଯୋଗକୁ ଅଣଦେଖା କରିଦେଲେ କାମ ସରନ୍ତା । ଆଇନ ଲଢ଼େଇରେ କାହାର ଜିତାପଟ ତାହା ଅଲଗା କଥା । ହେଲେ ରାଜନୀତି ଖେଳରେ ଗୁଗୁଲି ମାରି ବିଜେପିର ଭାଉକୁ ରୋକିବା ଦରକାର ବୋଲି ସେମାନଙ୍କର ଯୁକ୍ତି ।