ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଶେଷରେ ନିଜ ପଦରୁ ଇସ୍ତଫା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ସଂଧ୍ୟାରେ ଅଚାନକ ଭାବେ ମୁଖ୍ୟମନ୍ତ୍ରୀ ଅତନୁଙ୍କ ଇସ୍ତଫା ସଂକ୍ରାନ୍ତରେ ଘୋଷଣା କରିଥିଲେ । ସମ୍ ଅଗ୍ନିକାଣ୍ଡ ଘଟଣା ପାଇଁ ନୈତିକତା ଦୃଷ୍ଟିରୁ ଅତନୁ ଇସ୍ତଫା ଦେଇଥିବା ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏଥିସହ ଅତନୁଙ୍କୁ ବିଦା କରିବା ପାଇଁ ଗତ ୫ ଦିନ ଧରି ଝାଳନାଳ ଖଟାଇଥିବା ବିରୋଧୀ ଶିବିର ରାତି ତମାମ ଖୁସି ମନାଇବା ପରେ ଆଜି ଶାନ୍ତ ପଡ଼ିଛନ୍ତି ।
ଗୁରୁବାର ରାତିରେ ଦୁଇଦିନିଆ ଦିଲ୍ଲୀ ଗସ୍ତରୁ ଫେରିଥିଲେ ମୁଖ୍ୟମନ୍ତ୍ରୀ । ସମ୍ ଘଟଣାର ତଦନ୍ତ ଚାଲିଛି ଏବଂ ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଓ ମତିଗତିରୁ ଅତନୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କଥାକୁ କେହି ଠଉରାଇ ପ ।ରି ନ ଥିଲେ । କୁହାଯାଉଛି, ଶୁକ୍ରବାର ଦିନ ଗୋଟାଏ ସୁଦ୍ଧା ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ କ’ଣ କରିବେ ନ କରିବେ ମନସ୍ଥିର କରି ନ ଥିଲେ । ତେବେ ସଚିବାଳୟରେ ଅଫିସ୍ କାମ ସାରି ମଧ୍ୟାହ୍ନ ଭୋଜନ ପାାଇଁ ନବୀନ ନିବାସ ଫେରିଲା ପରେ ସେ ଅତନୁଙ୍କ ଇସ୍ତଫା ନିଷ୍ପତ୍ତି ନେଇଥିଲେ । ଏହି ନିଷ୍ପତ୍ତି ଧରି ମୁଖ୍ୟମନ୍ତ୍ରୀ ଅପରାହ୍ନରେ ସଚିବାଳୟ ଯାଇଥିଲେ ଏବଂ ସଂଧ୍ୟା ପ୍ରାୟ ସାଢ଼େ ଛଅଟା ବେଳେ ଅତନୁଙ୍କୁ ଫୋନ୍ କରି ଇସ୍ତଫା ମାଗିଥିଲେ । ଅତନୁ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ତାଙ୍କର ଇସ୍ତଫାପତ୍ର ପଠାଇଦେବା ସହ ଅଫିସ୍ ଗାଡ଼ି, ଡ୍ରାଇଭର ଓ ଅଫିସ ପିଅନକୁ ଫେରାଇ ଦେଇଥିଲେ ।
ଅତନୁଙ୍କ ଇସ୍ତଫା ଖବର ପ୍ରଚାର ହେଲା ମାତ୍ରେ ତାଙ୍କର ବିରୋଧୀ ଶିବିର ଖୁସିରେ ନାଚି ଉଠିଥିଲେ । ଅତନୁ ବଳି ପଡୁଥିବାର ଗନ୍ଧ ପାଇ ଦଳର ଦୁଇ ଯୁବ ବିଧାୟକ ଅପରାହ୍ନରୁ ତୃତୀୟ ମହଲାରେ ବାଆଁରେଇ ଡେରା ପକାଇଥଲେ । ଯାହା ସୁରାକ୍ ପାଉଥିଲେ ତାଙ୍କର ବସ୍ ଙ୍କୁ ଫୋନ୍ ଯୋଗେ ଅପଡେଟ୍ କରାଉଥିଲେ । ଆଉ ମୁଖ୍ୟମନ୍ତ୍ରୀଙ୍କ ପାଟିରୁ ଅତନୁଙ୍କ ଇସ୍ତଫା ଘୋଷଣା ପରେ ବିରୋଧୀ ଯୁବ ଗ୍ରୁପ୍ ସିଧା ଯାଇଥିଲେ ଖଣ୍ଡଗିରି ଅଞ୍ଚଳରେ ଭଡ଼ାରେ ରଖିଥିବା ଆଡ୍ଡା ଘରକୁ । ସେଠାରେ ପେଟେ ଲେଖାଏଁ ମଦ ପିଇ ବାଣ ପୁଟାଇବା ସହ ଦିୱାଲି ମନାଇଥିଲେ । ମଧ୍ୟରାତ୍ର ପର୍ଯ୍ୟନ୍ତ ସେମାନଙ୍କ ଆସର ଜମିଥିଲା ସେଠି । ଅବଶ୍ୟ ଭୁବନେଶ୍ୱରରେ ସେମାନଙ୍କ ବସ୍ ଙ୍କ ଅନୁପସ୍ଥିତିକୁ ବହୁତ ମିସ୍ କରୁଥିଲେ ଏହି ଅତନୁ ବିରୋଧୀ ଯୁବଗୋଷ୍ଠୀ । ସେପଟେ ଅନ୍ୟ ଜଣେ ମନ୍ତ୍ରୀଙ୍କ ଘରେ ଅତନୁ ବଳି ପର୍ବ ପାଳିଥିଲେ ଆଉ ଏକ ଗୋଷ୍ଠୀ ।
ଅତନୁଙ୍କ ଇସ୍ତଫା ପରେ ତାଙ୍କ ବିରୋଧୀଙ୍କ ଏଭଳି ଖୁଲମ୍ ଖୁଲା ଉନ୍ମାଦନା ବିଜେଡ଼ିରେ ଥିବା ଗୋଷ୍ଠୀ କନ୍ଦଳକୁ ପୁଣି ଥରେ ପଦାରେ ପକାଇଛି । ସରକାର କି ଦଳର ବଦନାମକୁ ସେମାନେ ଖାତିର ନ କରି ବ୍ୟକ୍ତିଗତ ଭାବେ ଅତନୁଙ୍କ ବିରୋଧରେ ଏଭଳି ରାଗ ପରିପ୍ରକାଶ କରାଇବା ବିଜେଡ଼ି ମାହୋଲକୁ ସରଗରମ କରିଛି । ପାୱାର ପଲିଟିକ୍ସରେ ମାତିଥିବା ଯୁବଗୋଷ୍ଠୀ ମଧ୍ୟରେ ଥିବା ସାଂଘାତିକ ତିକ୍ତତାକୁ ଏହା ପଦାରେ ପକାଇଛି ।