ଭୁବନେଶ୍ୱର(ମିଡ-ଡ଼େ ଓଡ଼ିଶା): ହସ୍ପିଟାଲ୍ ରେ ଫାୟାର ସେଫ୍ଟି ବ୍ୟବସ୍ଥା ନ ଥିଲା । ଏକଥା ସ୍ୱାସ୍ଥ୍ୟ ବିଭାଗ ଜାଣିଥିଲା । ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ନିଜେ ଦାୟିତ୍ୱ ନ ନେଇ ଜିଲ୍ଲାପାଳଙ୍କ ଉପରକୁ ଛାଡ଼ିଦେଇଥିଲେ । ଜିଲ୍ଲାପାଳ ନିରଞ୍ଜନ ସାହୁ ଏହି ସୁଯୋଗକୁ ହାତଛଡ଼ା କରି ନ ଥିଲେ । ଶହ ଶହ କୋଟି ଟଙ୍କାର ମାଲିକ ମନୋଜ ନାୟକଙ୍କ ଶୁଭ ଦୃଷ୍ଟିରେ ରହିବାକୁ ତାଙ୍କ ମନ ହାକୁ ହାକୁ ହେଲା । ଯାହାର ଫଳ ୨୧ ଟି ନିରୀହ ଜୀବନକୁ ନେଇଗଲା । ଆଜି ଜିଲ୍ଲାପାଳ ନିଜକୁ ବଞ୍ଚାଇବା ପାଇଁ ପ୍ରତିଷ୍ଠିତ ସମ୍ ହସ୍ପିଟାଲ୍ ରେ ତାଲା ଝୁଲାଇବାକୁ ପ୍ରସ୍ତୁତି ଆରମ୍ଭ କରି ନିଜ ଅପରାଧକୁ ଦ୍ୱିଗୁଣିତ କରିବାକୁ ଯାଉଛନ୍ତି । ମନୋଜ ନାୟକଙ୍କ ପରେ ଜିଲ୍ଲାପାଳଙ୍କୁ ବାନ୍ଧି ଜେଲ୍ ପଠାଇଦେଲେ ୨୧ ଟି ଆତ୍ମାକୁ ଶାନ୍ତି ମିଳିଯାଆନ୍ତା ବୋଲି ବିଭିନ୍ନ ମହଲରେ ଦାବି ଉଠିଲାଣି ।
ସମ୍ ହସ୍ପିଟାଲ୍ ର କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ ରେଜିଷ୍ଟ୍ରେସନ୍ କୁ ଏହି ଜିଲ୍ଲାପାଳ ମହୋଦୟ ଜୁଲାଇ ମାସରେ ରିନ୍ୟୁଆଲ୍ କରିଥିଲେ । ହସ୍ପିଟାଲ୍ ଅଗ୍ନି ନିର୍ବାପକ ବ୍ୟବସ୍ଥାରେ ତ୍ରୁଟିବିଚ୍ୟୁତି ଥିଲେ ମଧ୍ୟ ଏନଓସି ଦେଇଥିଲେ । ପ୍ରଶ୍ନ ଉଠୁଛି, ଜିଲ୍ଲାପାଳଙ୍କୁ ଏହି ଅଧିକାର ଦେଲା କିଏ ? ଏହାର ଉତ୍ତର ହେଉଛି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ । ଖାଲି ଖୋର୍ଦ୍ଧା ଜିଲ୍ଲାପାଳ ନୁହଁନ୍ତି ରାଜ୍ୟର ୩୦ଟି ଯାକ ଜିଲ୍ଲାର ଜିଲ୍ଲାପାଳଙ୍କୁ ସେମାନଙ୍କ ଜିଲ୍ଲାରେ ଥିବା ହସ୍ପିଟାଲ୍ ଗୁଡ଼ିକୁ ତଦାରଖ କରି ଏନଓସି ଓ ରେଜିଷ୍ଟ୍ରସନ୍ ରିନ୍ୟୁଆଲ୍ ର କ୍ଷମତା ଦେଇଥିଲା ବିଭାଗ । ଜିଲ୍ଲାପାଳ ଏକ ତଦାରଖ କମିଟି କରି ଦାୟିତ୍ୱ ତୁଲାଇବାକୁ ଗତ ମେ ମାସରେ ସ୍ୱାସ୍ଥ୍ୟ ବିଭାଗରୁ ନିର୍ଦ୍ଦେଶନାମା ଦିଆଯାଇଥିଲା । ବ୍ୟବସ୍ଥାର ବିକେନ୍ଦ୍ରୀକରଣ ଉଦ୍ଦେଶ୍ୟରେ ଜିଲ୍ଲାପାଳମାନଙ୍କ ହାତରେ ଏହି ଦାୟିତ୍ୱ ଛାଡି ଦିଆଯାଇଥିଲା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସଫେଇ ଦେଇଛନ୍ତି । ତେବେ ଏହି ଅଖଣ୍ଡ କ୍ଷମତାର ଭରପୁର ଫାଇଦା ଉଠାଇବାକୁ କିଛି ନିର୍ଦ୍ଦିଷ୍ଟ ଜିଲ୍ଲାପାଳଙ୍କୁ ସୁଯୋଗ ମିଳିଯାଇଥିଲା । ଖୋର୍ଦ୍ଧା ଜିଲ୍ଲାପାଳ ନିରଞ୍ଜନ ସାହୁ ଏହି କାଟାଗୋରିର ଶୀର୍ଷରେ ଥିଲେ । ଭୁବନେଶ୍ୱର ଭଳି ସହରର ହସ୍ପିଟାଲ୍ ଗୁଡ଼ିକର ରିନ୍ୟୁଆଲ୍ ଚାବିକାଠି ପାଇ ଉତ୍ସାହିତ ହୋଇପଡ଼ିଥିଲେ । କଟକ ଜିଲ୍ଲାପାଳ ଏହି କ୍ଷମତାବଳରେ ୮ ଟି ଘରୋଇ ହସ୍ପିଟାଲ୍ କୁ କାରଣଦର୍ଶାଅ ନୋଟିସ୍ ଜାରି କରିଥିଲା ବେଳେ ଖୋର୍ଦ୍ଧା ଜିଲ୍ଲାପାଳ ସାହୁ ବାବୁ ଜିଲ୍ଲାପାଳଙ୍କ କ୍ଷମତାକୁ ନିଜସ୍ୱ ସ୍ୱାର୍ଥରେ ଲଗାଇ ଦେଇଥିଲେ । ସମ୍ ହସ୍ପିଟାଲ୍ ଭଳି ଏକ ଡିଫଲ୍ଟର ସଂସ୍ଥାକୁ କାରଣ ଦର୍ଶଆ ନୋଟିସ୍ ଜାରି କରିବା ପରବର୍ତ୍ତେ ଆଖିକାନ ବୁଜି ଗତ ଜୁଲାଇ ମାସରେ ନୋ ଅବଜେକ୍ସନ୍ ସାର୍ଟିଫିକେଟ ଦେଇଥିଲେ । ସବୁଠାରୁ ସାଂଘାତିକ କଥା ହେଉଛି, ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମା କଡ଼ାକଡ଼ି ପାଳନ କରିବାକୁ ସ୍ୱାସ୍ଥ୍ୟ ସଚିବ ଶ୍ରୀମତୀ ଆରତୀ ଆହୁଜା ତିନି ତିନି ଥର ଚିଠି ଲେଖିଥିଲେ । ଶେଷ ଥର ପାଇଁ ଗତ ସେପ୍ଟେମ୍ବର ୧୫ ତାରିଖରେ ସ୍ୱାସ୍ଥ୍ୟ ସଚିବ ଜିଲ୍ଲାପାଳମାନଙ୍କୁ ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ତାଗିଦ୍ କରିଥିଲେ । ମାତ୍ର ନିରଞ୍ଜନ ସାହୁଙ୍କ ଭଳି ଜିଲ୍ଲାପାଳ ତାହାକୁ ଖାତିର କରି ନ ଥିଲେ ।
ହସ୍ପିଟାଲ୍ ରେ ଏହି ପ୍ରଶାସନିକକୃତ ଅଗ୍ନିକାଣ୍ଡ ଘଟିଲା ପରେ ଜିଲ୍ଲାପାଳଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ଯେଉଁ କଥାକୁ ୫ ମାସ ତଳୁ ଯାଞ୍ଚ କରିବା କଥା ଏବେ ୨୧ ଟି ଜୀବନ ଗଲା ପରେ ତାହାକୁ ଅନୁପାଳନ କରୁଛନ୍ତି । ହସ୍ପିଟାଲ୍ ସିଲ୍ ପାଇଁ ପ୍ରସ୍ତୁତିସ୍ୱରୂପ କର୍ତ୍ତୃପକ୍ଷଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଚୋର ଗଲା ପରେ ଜିଲ୍ଲାପାଳଙ୍କର ବୁଦ୍ଧି ପଶିନି । ପ୍ରବଳ ଚାପରେ ନିଜର ଦାୟିତ୍ୱ ହେଜିଛନ୍ତି ଜିଲ୍ଲାପାଳ । ଏବେ ସମ୍ ହସ୍ପିଟାଲ୍ ର ଭବିଷ୍ୟତ କ’ଣ ହେବ ତାହା ତ ଜଳ ଜଳ ଦିଶିଲାଣି । ହେଲେ ହସ୍ପିଟାଲ୍ ସିଲ୍ ପୂର୍ବରୁ ମୁଖ୍ୟ ଧର୍ତ୍ତବ୍ୟ ଅପରାଧୀ ଜିଲ୍ଲାପାଳ ସାହୁ ମହାଶୟଙ୍କ ବିରୋଧରେ ଫୌଜଦାରି ମାମଲାରେ ଜେଲ୍ ପଠାଇ ସରକାର ନିଜ ପାପର ପ୍ରାୟଶ୍ଚିତ କରିବା କଥା । ନହେଲେ ସରକାରଙ୍କୁ କେହି କ୍ଷମା କରିପାରିବେ ନାହିଁ । ନିଜ ଉପରୁ ଦୋଷ ନ ହଟାଇ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ଗୁରୁଦାୟିତ୍ୱ ନେବାର ବେଳ ଆସିଛି । ଯଦି ଏହା ନ ପାରୁଛନ୍ତି ତେବେ ଇସ୍ତଫା ଦେଇଦେବା ଉଚିତ୍ ।