ଭୁୁବନେଶ୍ୱର: କରୋନା ପାଇଁ ଓଡ଼ିଶା ସରକାରଙ୍କ ମିତବ୍ୟୟିତା । ବଡ଼ବଡ଼ିଆଙ୍କ ଦରମା ବାବଦରେ ରାଜକୋଷରୁ ଖର୍ଚ୍ଚକାଟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଭୟଙ୍କର କରୋନାର ନିୟନ୍ତ୍ରଣ ଏବଂ ଲକ୍ ଡାଉନ୍ ଯୋଗୁଁ ଆର୍ଥିକ ଅବସ୍ଥା ଖରାପ ସ୍ଥିତିକୁ ଆସିଥିବାରୁ ରାଜ୍ୟ ସରକାର ଏହି ପଦକ୍ଷେପ ଆପଣେଇଛନ୍ତି ।
ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ସମସ୍ତ ନିଗମ ଅଧ୍ୟକ୍ଷ ଏବଂ ପୌରସଂସ୍ଥାର ନିର୍ବାଚିତ ଲୋକପ୍ରତିନିଧିମାନେ ସେମାନଙ୍କ ମୋଟ ଦରମା(ଗ୍ରସ୍ ସାଲାରି) ମାତ୍ର ୩୦% ପାଇବେ । ଅବଶିଷ୍ଟ ୭୦% ଦରମା ସେମାନଙ୍କୁ ପରବର୍ତ୍ତୀ ସମୟରେ ମିଳିବ । ସେହିଭଳି ସର୍ବଭାରତୀୟ ସେବାରେ ଥିବା ଆଇଏଏସ, ଆଇପିଏସ୍ ଏବଂ ଆଇଏଫଏସ୍ ଅଫିସରମାନେ ଏବେ ଅଧା ଦରମା ପାଇବେ । ସ୍ଥଗିତ ୫୦% ଦରମା ପରେ ପାଇବେ । ଏହି ନିଷ୍ପତ୍ତିକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଏ ନେଇ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।
ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଆଇଏଏସ୍, ଆଇପିଏସ୍ ଓ ଆଇଏଫଏସ୍ ଅଫିସର ସଂଘ ପକ୍ଷରୁ ସ୍ୱାଗତ କରାଯାଇଛି । ଏହି ସଙ୍କଟ ବେଳେ ସଂଘର ସମସ୍ତ ସଦସ୍ୟ ସରକାର ଓ ଓଡ଼ିଶାବାସୀଙ୍କ ସହିତ ଦୃଢ଼ ଭାବରେ ରହିଥିବା କହିଛନ୍ତି ।