ଭୁବନେଶ୍ୱର: ଓଡ଼ିଶାରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭଦ୍ରକ ଜିଲ୍ଲାର ୨୯ ବର୍ଷର ଯୁବକଙ୍କ ରକ୍ତ ଓ ସ୍ୱାବ୍ ନମୁନା କୋଭିଡ୍-୧୯ ପଜିଟିଭ୍ ଆସିଛି । ଆଜି ରାତିରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ଏହି ସୂଚନା ଦିଆଯାଇଛି । କରୋନା ଆକ୍ରାନ୍ତ ଏହି ଚତୁର୍ଥ ବ୍ୟକ୍ତିଜଣଙ୍କ ନିକଟରେ ଦୁବାଇରୁ ଫେରିଥିବା ଜଣାପଡ଼ିଛି । ଏଥିସହ ଓଡ଼ିଶାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି ।
ଆଜି ୧୩୭ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ଆରଏମଆରସିରେ ୧୧୯, ଏମସ୍ ରେ ୧୫ ଏବଂ ଏସସିବିରେ ୩ଟି ନମୁନା ପରୀକ୍ଷା କରାଯାଇଥିଲା । ଏମସ୍ ରେ ଗୋଟିଏ ନମୁନା ପଜିଟିଭ୍ ଆସିଥିବା ବେଳେ ଅବଶିଷ୍ଟ ନମୁନାଗୁଡ଼ିକ ନେଗେଟିଭ୍ ରିପୋର୍ଟ ଆସିଛି ।
ଗତ ୧୫ ତାରିଖରେ ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ୧୯ ତାରିଖରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଏବଂ ୨୬ ତାରିଖରେ ତୃତୀୟ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହି ତିନିଜଣ ଯାକ ଭୁବନେଶ୍ୱର ବାସିନ୍ଦା । ପ୍ରଥମ ଦୁଇଜଣ ବିଦେଶରୁ ଫେରିଥିବା ବେଳେ ତୃତୀୟ ଆକ୍ରାନ୍ତ ଜଣଙ୍କ ଦିଲ୍ଲୀରୁ ଫେରିଥିଲେ ।